ଗୁପ୍ତ ଘାତକ

 

 

 

 

 

 

 

 

 

 

ଗୁପ୍ତ ଘାତକ

(ଡିଟେକ୍‌ଟିଭ୍‌ ଉପନ୍ୟାସ)

ବୀଣା ଦେବୀ, ଏମ. ଏ

 

–‘‘ପାନ ଦି’ଖଣ୍ଡ ଆଣ୍‌ ବାବା–ଅଖଇରିଆ, ଭଜା ଗୁଣ୍ଡି ଦେଇ’’–ଶଶାଙ୍କ ବାବୁ ଚାକରକୁ ଡାକି କହିଲେ । ସେ ଚାଲିଗଲା । ପଡ଼ୋଶୀ ରାମ ବାବୁଙ୍କୁ ନେଇ ଛୋଟ ବୈଠକଖାନାରେ ବସେଇଲେ ଶଶାଙ୍କ ବାବୁ ।

 

–‘‘ମୁଁ ଭଜା ଗୁଣ୍ଡି ଖାଏ ବୋଲି ଆପଣ ମନେ ରଖିଛନ୍ତି ?’’ ରାମ ବାବୁ ଅଳ୍ପ ହସି ପଚାରିଲେ ।

 

–ନିଶ୍ଚୟ–ଆପଣଙ୍କ ସାଙ୍ଗରେ ପ୍ରାୟ କୋଡ଼ିଏ ବର୍ଷର ଚିହ୍ନା– ଏତିକି....... ଜାଣିନି-? ତା’ପରେ ଆପଣଙ୍କ ଛୋଟ ଝିଅର ବାହାଘର କଥା କଣ ହେଲା ?’’ ଶଶାଙ୍କ ବାବୁ ସ୍ୱାଭାବିକ କଣ୍ଠରେ ପଚାରିଲେ ।

 

–‘‘ସେଠି ହଉନି, ବର ପକ୍ଷ ପାଞ୍ଚହଜାର ଟଙ୍କାରେ ମଙ୍ଗିଲେନି ।’’ ରାମ ବାବୁଙ୍କ କଣ୍ଠରେ ଗୋଟେ କେମିତି ଅନ୍ୟମନସ୍କ ଭାବଥିଲା । ସେ କରିଥିଲେ–ତା’ପରେ ପଚାରିଲେ–ଆପଣ ତା ହେଲେ...... ?’’

 

–‘‘ହଁ’’–ଶଶାଙ୍କ ବାବୁ........ରାମ ବାବୁଙ୍କୁ କଣ୍ଠରେ ଅବଶୋଷ ଥିଲା ସାମାନ୍ୟ ଆଉ...-। ଏତେ ବର୍ଷର ପୁରୁଣା ପଡ଼ୋଶୀ । ଟିକେ ବିମର୍ଷ ହୋଇ ପଡ଼ିଥିଲେ, ଶଶାଙ୍କ ବାବୁ ।

 

ଘରଟା ଥିଲା ଭଡାଘର–କିନ୍ତୁ ଅବିବାହିତ ଜୀବନର ତିରିଶବର୍ଷ ଏଇଠି କଟେଇଥିଲେ ଶଶାଙ୍କ ବାବୁ । ଘରଟା ପ୍ରତି ଗୋଟେ ମାୟା ଆସି ଯାଇଥିଲା । କିନ୍ତୁ ସବୁ ମାୟା ଭଳି ସେ ମାୟାଟା ବି’ କଟେଇବାର ବେଳ ଆସିଚି । ଆଉ ଜୀବନର ମାୟା ଯେତେବେଳେ କଟେଇବାକୁ ହବ–ଶଶାଙ୍କ ବାବୁ ଛୋଟ ନିଶ୍ୱାସ ପକେଇ କହିଲେ–‘‘ପୁଣି କେବେ ଦେଖା ହବ କେଜାଣି ?’’

 

ଚାକର ପାନ ଆଣି ଦେଲା ।

 

–‘‘ମୁଁ ଯାଏଁ ଆପଣଙ୍କ ଗାଡ଼ୀ ବେଳ ହେଲା’’–ରାମ ବାବୁ ପାନ ଦି’ଖଣ୍ଡ ନେଇ ଉଠିଗଲେ ।

 

ଡାକ୍ତର କହିଥିଲେ–‘‘ଆପଣଙ୍କର ଦରକାର ପ୍ରଚୁର ପବନ ଆଉ ବିଶ୍ରାମ । ନିଜ ଦେହ କଥା ଆଦୌ ଚିନ୍ତା କରିବେନି ଖାଇବେ, ବୁଲିବେ–ଆଉ ବିଶ୍ରାମ ନେବେ, ହୁଏତ ଆରବର୍ଷ ଏଇ ଦିନକୁ ଆପଣ ପୁଣି ଭଲହୋଇ ଉଠିବେ । କିଏ ଜାଣେ ହୁଏତ ଅଫିସକୁବି’’... ।

 

ଡାକ୍ତର ବାବୁ ସେ ପର୍ଯ୍ୟନ୍ତ ଶଶାଙ୍କ ବାବୁଙ୍କ ମୁହଁକୁ ଚାହିଁ ନ ଥିଲେ । କିନ୍ତୁ ଆଖି ଆଗରେ ସେ ଦୁର୍ବଳ, କିନ୍ତୁ ଜରାଜୀର୍ଣ୍ଣ ଲୋକଟି ସଂପର୍କରେ ପ୍ରକୃତରେ ତାଙ୍କର ଖୁବ୍‍ ଉଚ୍ଚ ଆଶା ନ ଥିଲା । ସେ ଥିଲେ ନିଜ ବ୍ୟବସାୟ କ୍ଷେତ୍ରରେ ସ୍ୱନାମଧନ୍ୟ–ତେଣୁ ତାଙ୍କ ଡାକ୍ତରୀ ଆଖିରେ ଦେଖିବା କଥାର ଗୋଟେ ମୂଲ୍ୟ ଥିଲା । ଡାକ୍ତର ମନ ସହିତ ମଣିଷ ହୃଦୟର ସମନ୍ୱୟ ମରି ସେ କେବଳ କାମନା କରୁଥିଲେ–ଲୋକ ଶାନ୍ତିରେ ମରୁ ।

 

ଶଶାଙ୍କ ବାବୁ ସେ କଥାଟା ଯେ ଜାଣି ନ ଥିଲେ ଏମିତି ନୁହେଁ । କିନ୍ତୁ ତାଙ୍କର ଯେ ଠିକ୍‌ କି ରୋଗ ହେଇଚି ସେ ଜାଣି ନ ଥିଲେ–ଜାଣିବାକୁ ଚାହୁଁ ନ ଥିଲେ ବୋଲି ସେଇଥିପାଇଁ ଡାକ୍ତର କହିଥିବା ବଡ଼ ନାଁ ଟା ତାଙ୍କର ମନେ ରହି ନ ଥିଲା । ପ୍ରକୃତରେ କହିବାକୁ ଗଲେ ସେ କ୍ଲାନ୍ତ ହେଇ ପଡ଼ିଥିଲେ । ବନ୍ଧୁବାନ୍ଧବଙ୍କ କଥାରେ ପଡ଼ି ଡାକ୍ତରଙ୍କୁ ବାରମ୍ବାର ଡାକିଥିଲେ ବି ମନେ ମନେ ସେ ବି ସେତିକି ଚାହୁଁଥିଲେ–

 

‘‘ଭଗବାନ ଶାନ୍ତି ଦିଅ– ।’’

 

‘‘ଜାଗାଟା ଏ ଦିନେ ଶୁନ୍‌ଶାନ୍‌ ହେଇ ଯାଇଥିବ–ଖରା ଦିନ ଛଡା ଅନ୍ୟ ଦିନେ ସେଠିକି ପ୍ରାୟ କେହି ଯା’ନ୍ତିନି । ସେହିଭଳି ଯାଗା ବର୍ତ୍ତମାନ ଆପଣଙ୍କର ଦରକାର ।’’

 

ଉଠିବାକୁ ଯାଇ ଡାକ୍ତରବାବୁ ଇତସ୍ତତ କରୁଥିଲେ । ପ୍ରକୃତରେ ଏ ବିଦାୟ ଯେତେ ଦୂର ସମ୍ଭବ–ଶେଷ ବିଦାୟ । ଡାକ୍ତର ବାବୁଙ୍କୁ ଅସ୍ୱସ୍ତ ଲାଗୁଥିଲା ।

 

ଶଶାଙ୍କ ବାବୁ କିନ୍ତୁ ଡାକ୍ତର ବାବୁଙ୍କର ଏ ଅସୁସ୍ଥତା ବୁଝିଲେ । ଜୋର୍‌ କରି ଟିକେ ହସି ସେ ନିଜେ ପ୍ରଥମେ ଉଠି ପଡ଼ିଲେ ।

 

‘‘ଆପଣ ଆସନ୍ତୁ ତେବେ–ମୋ ପାଇଁ ବ୍ୟସ୍ତ ହେବେନି; ଦେଖିବେ ଚାରିମାସ ପରେ ମୁଁ ପୁଣି ଆପଣଙ୍କ ପାଖେ ପହଞ୍ଚିବି । ଅବଶ୍ୟ ଏଥର ଆଉ ରୋଗ ପରାମର୍ଶ ପାଇଁ ନୁହେଁ । ଧରନ୍ତୁ–ଏଇ କାନ ଟଣକିବା ଓଷଦ ପାଇଁ ।’’ ସେ ଡାକ୍ତର ବାବୁଙ୍କ ଲାଗି ପର୍ଦ୍ଦା ତୋଳି ଧରିଲେ । ତା’ ପରେ ଅଳ୍ପ ହସି କହିଲେ–‘‘ନମସ୍କାର’’–

 

ଖାଲି ଘର ଭିତରକୁ ଫେରି ଆସି ସେ ଦୁଆର ବନ୍ଧରେ କିଛି ବେଳ ଠିଆ ହେଇ ପଡ଼ିଲେ । ଘର ଭିତରେ ଥିଲା ବଡ଼ ସାନ ଦି’ଟି ସୁଟ୍‌କେଶ୍‌, ଆଉ ବେଡ଼ିଂ । ୟା ଛଡା ସେଠି ଅନ୍ୟ କିଛି ନ ଥିଲା ତାଙ୍କର । ସବୁ ବିକ୍ରିକରି ଶେଷ ସମ୍ବଳ ଏକାଠି କରି ଶଶାଙ୍କ ବାବୁ ଚାହୁଁଥିଲେ ଶାନ୍ତିରେ କଟେଇବେ ଶେଷ ଜୀବନଟା । ଟଙ୍କାର ଅଭାବ ତାଙ୍କର ନ ଥିଲା । ଡାକ୍ତର କିନ୍ତୁ ସାନ୍ତ୍ୱନା ଦେଇଥିଲା–ଯାହା ତାଙ୍କର ଅଛି ସେଇଥିରେ ଆରାମରେ କଟିବ ତାଙ୍କ ଦିନ ।

 

ଅବିବାହିତ ନିଃସଙ୍ଗଜୀବନର ତିରିଶଟା ବର୍ଷ କଟିଛି ଏଇଠି, ଘରର ପ୍ରତିଟି ଅଣୁ ପରମାଣୁ ସହିତ ତାଙ୍କର ହୃଦୟର ଯୋଗାଯୋଗ । ଯଦିଓ ଘରଟା ଥିଲା ଭଡା ଘର–ସେ କଥା ସେ ଭୁଲି ଯାଇଥିଲେ । କାହାକୁ ଆପଣାର କରିପାରି ନାହାନ୍ତି ସେ, ବରଂ ଦୂରକୁ ଘୁଞ୍ଚି ଯାଇଛନ୍ତି ସଂସାରଠାରୁ । ତା ଆଖିର ଦୂରରେ ସତେ ଯେପରି ସେ ନିରାପଦ ।

 

ଚାକର ରଜୁ ଡାକି ଗଲା–‘‘ଗାଡ଼ିବେଳ ହୋଇଗଲା ବାବୁ–ଖାଇବାକୁ ଦେଇଚି ।’’ ସବୁ ଦିନ ଏମିତି ଡାକେ ସେ ଘରଟାର ବିଭିନ୍ନ କୋଠରୀର ଲୋକଙ୍କୁ ।–‘‘ଅଫିସ ବେଳ ହୋଇଗଲା ବାବୁ’’–‘‘କଲେଜ ଟାଇମ ହେଲାଣି’’–ଷ୍ଟେସନକୁ କେତେବେଳେ ଆଉ ଯିବେ ?’’ ଶଶାଙ୍କ ବାବୁଙ୍କୁ କିନ୍ତୁ ଟିକେ ଅସ୍ୱାଭାବିକ ଲାଗିଲା–ରାଜୁର ଗଳା ଆଜି ଟିକେ ଭାରୀ ଶୁଭିଲାନି କି-? ‘‘ଚାଲ ବାବା–ବରଂ ଗାଡ଼ିଟେ ଡାକି ଆଣେ ଯାଇ । ମୁଁ ଏ ମଧ୍ୟରେ ଖାଇ ନେଉଚି-। ଜିନିଷ ଗୁଡା ଗାଡ଼ିରେ ଉଠେଇ ଦବୁ ।’’

 

ସବୁ ଦିନର ଅଭ୍ୟାସ ଭଳି ସେ ବାଁ ପଟ କାନ୍ଥ ପାଖେ ଯାଇ ଠିଆ ହେଲେ–କିନ୍ତୁ କଣ୍ଟାଟାରେ ଦର୍ପଣ ନ ଥିଲା । ନିଜର ଭୁଲ ବୁଝି ଅଳ୍ପ ହସି ସାର୍ଟର ବୋତାମ ବନ୍ଦ କଲେ ସେ–ପରେ ଘରୁ ବାହାରି ଗଲେ ।

 

–୨–

 

ରେଲ ଷ୍ଟେସନଠାରୁ କେତେ ମାଇଲ ବାଟ ଟ୍ୟାକ୍‌ସିରେ ଯାଇ ଜାଗାଟାରେ ପହଞ୍ଚିବା ବେଳକୁ ସନ୍ଧ୍ୟା ହବାକୁ ଖୁବ୍‌ ଡେରି ନ ଥିଲା ଆଉ ।

 

–‘‘ଏଇ ଘରଟା ?’’ ଶଶାଙ୍କବାବୁ ବଡ଼ ଗୋଟେ ଲାଲ ରଙ୍ଗର କୋଠା ଭିତରକୁ ଗାଡ଼ି ନବାର ଦେଖି ପଚାରିଲେ ଡ୍ରାଇଭରକୁ । ସମୁଦ୍ରକୂଳଠାରୁ ଦୂରରେ କିନ୍ତୁ ବାଲରେଇ ଥିଲା ଘରଟା–ପ୍ରକାଣ୍ଡ ଫାଟକ ।

 

‘‘ହଁ ଆଜ୍ଞା । ସେଇଟା ଆପଣଙ୍କ ହୋଟେଲ, ଏ ପଟଟା ସେମାନେ ଭଡା ଦିଅନ୍ତି । ବଙ୍ଗଳା ଦେଶର କିଏ ଜଣେ ବଡ଼ ଲୋକ ଦି’ଶ ଟଙ୍କାକୁ ଭଡା ନେଇଛନ୍ତି ଏଇ ପାଖଟା ।’’ ଡ୍ରାଇଭର ଗାଡ଼ି ଅଟକେଇ କହିଲା । ଘରଟିର ପ୍ରଧାନ ଫାଟକ ଥିଲା ରାସ୍ତା ଉପରକୁ–ଆର ପଟେ ସମୁଦ୍ର । ଚାରି ପଟେ ପ୍ରକାଣ୍ଡ ହତା–ପାଚିରୀ ଧାରରେ ବହଳିଆ ଝାଉଁ ଗଛର ଜଙ୍ଗଲ–ତା ପରେ ସୁନ୍ଦର ବଗିଚା । ଶଶାଙ୍କ ବାବୁ ଫାଟକ ପାଖ ସାଇନ୍‌ବୋର୍ଡ଼ରେ ଆଖି ପକେଇଲେ–‘‘ସାଗର–ନିବାସ’’, ଟିକେ ଆଶ୍ୱସ୍ତ ହେଲେ ସେ । ଜାଗାଟି ହୁଏତ ପ୍ରକୃତରେ ଭଲ–ଯାହା ଆଶା କରିଥିଲେ ତା’ଠାରୁ ବି ।

 

ପ୍ରକାଣ୍ଡ ପୋର୍ଟିକୋରେ ଗାଡ଼ି ରହିବା କ୍ଷଣି ଫିଟ୍‌ଫାଟ୍‌ ଚାକରଟିଏ ଆସି ଜିନିଷ ନେଇଗଲା । ଆଉ ମଧ୍ୟବୟସ୍କ ଜଣେ ଭଦ୍ରଲୋକ ନିଜେ ଆସି ନମସ୍କାର କଲେ । ଶଶାଙ୍କ ବାବୁଙ୍କ ଅନୁମାନ ଠିକ୍‌ ବୋଲି ପ୍ରମାଣିତ କରି ସେ ନିଜର ପରିଚୟ ଦେଲେ ।

 

–‘‘ମୋ ନାଁ ନଗେନ୍ଦ୍ର କୁମାର ରାୟ–ଆପଣଙ୍କ ଚିଠି ପାଇ ଘର ଠିକ୍‌ କରି ରଖିଚି ।’’ ଏଇ ହେଲେ ‘‘ସାଗର–ନିବାସ’’ର ମାଲିକ–ଶଶାଙ୍କ ବାବୁ ମନେ ମନେ ସ୍ଥିର କଲେ ।

 

‘‘ଚା’ଟା ଆପଣ ଏଇ ଡ୍ରଇଂରୁମ୍‌ରେବି’ ଖାଇ ପାରନ୍ତି, ଏଠି କେହି ନାହାନ୍ତି । ଆମ ଆର ଅତିଥି ପ୍ରଭାତ ବାବୁ ଏ ସମୟଟା ବାହାରେ କଟାନ୍ତି–ଜଣେ ଶିଳ୍ପୀ କିନା !’’ ନଗେନ୍ଦ୍ର ବାବୁ ଧୀର ସ୍ୱରରେ କହିଲେ ।

 

ଏତେ ବଡ଼ ଘର ଯାହାର ସେ କେଡ଼େ ବଡ଼ ଲୋକ ହେଇ ନ ଥିବ ? ଏଇ କଥା ମନକୁ ଆସି ଟିକେ ସଙ୍କୁଚିତ ହେଇ ପଡ଼ିଲେ ଶଶାଙ୍କ ବାବୁ । ସନ୍ତ୍ରସ୍ତ ଭାବରେ ସେ କହିଲେ–‘‘ମୁଁ ଟ୍ରେନରୁ ଓହ୍ଲେଇ ଷ୍ଟେସନରେ ଚା’ ଖାଇଥିଲି । ବରଂ ଟିକେ ବୁଲି ଆସେ, ଗୋଡ଼ ହାତ ଲାଗି ଯାଇଚି ଟ୍ୟାକ୍‌ସିରେ ଏତେ ବାଟ ଆସି ।’’ ସେ ଟ୍ୟାକ୍‌ସି ଡ୍ରାଇଭର ହାତକୁ ଟଙ୍କା ବଢ଼େଇ ଦେଲେ ।

 

‘‘ନିଶ୍ଚୟ ନିଶ୍ଚୟ, ଆପଣଙ୍କ ଜିନିଷପତ୍ର ଆପଣଙ୍କ ଘରେ ରାମ ଠିକ୍‌ ସଜାଡ଼ି ଦେଇଥିବ ଆପଣ ବରଂ ବୁଲି ଆସନ୍ତୁ । ବାଁ ସଟର ସେ ରାସ୍ତାଟା ଝାଉଁବଣ ଭିତର ଦେଇ ସମୁଦ୍ରକୂଳକୁ ଯାଇଚି–ଆଉ ଡାହାଣ ପଟର ରାସ୍ତାଟା ସିଧା ପଡ଼ିବ । ବରଂ ଏଇ ଡାହାଣ ହାତ ରାସ୍ତାରେ ଯା’ନ୍ତୁ–ନୂଆ ଯାଗା’’–

 

–‘‘ନିଶ୍ଚୟ’’–ଶଶାଙ୍କ ବାବୁ ଓହ୍ଲେଇ ପଡ଼ିଲେ ପାହାଞ୍ଚ ଦେଇ । ନଗେନ୍ଦ୍ର ବାବୁ ପଛରୁ ଡାକି କହିଲେ–‘‘ରାତି ଖାଇବାଟା ଆଠଟା ବେଳକୁ ହେଇ ଯାଇଥିବ ।’’ ଝାଉଁବଣ ଆଡ଼େ ଯାଇ ଗୋଟେ ଗଛମୂଳେ ଠିଆ ହୋଇଥିଲେ ଶଶାଙ୍କ ବାବୁ । ଅଧା ଅନ୍ଧାରରେ ଖଣ୍ଡେ ଚେୟାର ଦିଶିଲା–ସେଇଥିରେ ଆଉଜି ବସି ନିଶ୍ୱାସ ମାରିଲେ ସେ । ଚାରିଆଡ଼ ନିସ୍ତବ୍‌ଧ ମନେ ହେଉଥିଲା-। ଦୂର ଡ୍ରଇଂରୁମ୍‌ରେ ଆଲୁଅ ଦିଶୁଥିଲା, ନଗେନ୍ଦ୍ର ବାବୁ ବୋଧେ ଅଛନ୍ତି ସେଠି ।

 

ସମୁଦ୍ର ଉପରେ ସନ୍ଧ୍ୟା ନଇଁ ଆସି ଥିଲା । ‘ଉଠିବି’ ‘ଉଠିବି’ ଭାବି ବସି ରହିଥିଲେ ଶଶାଙ୍କ ବାବୁ । ଦୂରରୁ ଖାଇବା ଘଣ୍ଟା ବାଜିଲା । ସେ ଉଠି ପଡ଼ିଲେ–ପାଶ୍ଚତ୍ୟ ରୀତିନୀତି ଏ ଦେଶରେ ଏବେ ବି ଚଳେ ।

 

କିନ୍ତୁ ଚିନ୍ତିତ ହେଇ ପଡ଼ିଲେ ସେ । ଆଲୁଅ ଦିଶୁନି କୌଣସି ଆଡ଼ୁ ହେଲେ । କୋଉ ପଟଟା ହୋଟେଲ ଆଉ କୋଉଟା–ଏଇ ବାରଣ୍ଡାଟା ବୋଧେ–ସେ ପୋର୍ଟିକୋରେ ଉଠି ଡ୍ରଇଂରୁମ୍‌ ବୋଲି ଅନୁମାନ କରି ଯୋଉଁ ରୁମ୍‌ଟାରେ ପଶିଲେ ସେଇଟାବି ଥିଲା ବାରଣ୍ଡା ଭଳି ଅନ୍ଧାର । ସେ ପର୍ଦ୍ଦା ଆଡ଼େଇ ଠିଆ ହେଲେ–ହଠାତ୍‌ ବାହାରର ପୋର୍ଟିକୋ ପାଖ ବାରଣ୍ଡାର ଆଲୁଅ ଜଳି ଉଠିଲା-। ବିବ୍ରତ ଭାବରେ ପର୍ଦ୍ଦା ଅଳ୍ପ ଘୁଞ୍ଚେଇ ବାହାରି ଆସିବାକୁ ବସି ଅଟକି ଗଲେ ସେ-। ଲାଇଟ୍‌ ସୁଇଚ୍‌ଟା ଥିଲା ପୋର୍ଟିକୋର ବାଁ ପଟ ଖୁମ୍ବରେ । ତା’ରି ଉପରେ ହାତ ରଖି ନିଶ୍ଚଳ ଭାବରେ ଠିଆ ହୋଇ ଥିଲେ ଜଣେ ଭଦ୍ରମହିଳା–ବଙ୍କା ଆଲୁଅ ପଡ଼ି ତାଙ୍କ ମୁହଁର ଯୋଉ ପଟଟା ଆଲୋକିତ ହୋଇଥିଲା ତାକୁ ଦେଖି ଶଶାଙ୍କ ବାବୁ ଚମକି ପଡ଼ିଲେ । ସେ ମୁହଁରେ ଘୃଣା ଥିଲା ବିଷାକ୍ତ-। ପୋର୍ଟିକୋର ପାହାଞ୍ଚ ଉପରେ ବିହ୍ୱଳ ଭାବରେ ଠିଆ ହୋଇ ଯୋଉ ଭଦ୍ରଲୋକ ଆଖି ମିଟ୍‌କା ମାରୁଥିଲେ ସେ ଯେ ନିଃସନ୍ଦେହରେ ଅନ୍ଧାରରୁ ଏଇମାତ୍ର ଆଲୁଅକୁ ଆସିଥିଲେ ତା ଜାଣିବାକୁ କଷ୍ଟ କରିବାକୁ ହୁଏନା । ତାଙ୍କରି ବାଁ ବାହୁକୁ ଦୁଇ ହାତରେ ମୁଠେଇ ଧରି ପିଲାଳିଆ ଅବାଧ୍ୟତାର ଭଙ୍ଗୀରେ ମୁହଁ ତୋଳି ଠିଆ ହୋଇଥିଲେ ଜଣେ ଯୁବତୀ–ବୟସ ନିଶ୍ଚୟ କୋଡ଼ିଏ ଡେଇଁନି-। ତାଙ୍କର ସ୍ଥିର ଆଖି ଥିଲା ପୂର୍ବର ଭଦ୍ରମହିଳାଙ୍କ ମୁହଁ ଉପରେ ।

 

‘‘ମୁଁ ତତେ ମନାକରିଥିଲି ନାଁ ଛବି–ସନ୍ଧ୍ୟା ପରେ ବାହାରେ ରହିବାର ବୟସ ତୋର ହେଇନି’’ । ଭଦ୍ରମହିଳା ତୀକ୍ଷ୍‍ଣ କଣ୍ଠରେ କହିଲେ–ଆଉ ତାଙ୍କ କଣ୍ଠରେ ଅଭିଭାବକ ସୁଲଭ ବିରକ୍ତି ଛଡା ଯେ ଅନେକ କିଛି ଥିଲା ଶଶାଙ୍କ ବାବୁ ସେ ବିଷୟରେ ନିଶ୍ଚିତ ହେଇ ପଡ଼ିଲେ ।

 

‘‘ତମେ ନିଶ୍ଚୟ ଭୁଲିଯାଇଚ ମାସୀ ମା ଯେ–ମୁଁ–ମତେ ଅଠରବର୍ଷ ହୋଇ ସାରିଛି-।’’ ଟିକେ ଅପ୍ରତିଭ ହେଲେବି ଦୃଢ଼ କଣ୍ଠରେ କହିଲେ ସେ ଯୁବତୀ ।

 

–‘‘ତୋ’ରି ଭଲପାଇଁ କହୁଥିଲି–ଆଉ ତୋରି ଭଲପାଇଁ ମୁଁ ଠିକ୍‌କରିଛି ତତେ କଲିକତା ପଠାଇ ଦେବି । ତୋ’ର ତ କଲେଜ ଖୋଲିବଣି, କୁମାର ତୋତେ ନେଇ ଛାଡ଼ି ଆସିବ ।’’ ‘‘ଅନ୍ୟର ମନରେ କଷ୍ଟଦେଇ ତା’ ଉପରେ ନିଜ କ୍ଷମତା ଜାହିର କରିବାରେ ବାହାଦୁରୀ ନାହିଁ ମାସୀମା–ବିଶେଷତଃ ସେ ଯଦି ମୋରି ଭଳି ନିରୂପାୟ ହେଇଥାଏ । ଧନ୍ୟବାଦ ପ୍ରଭାତ ବାବୁ ଘରେ ପହଞ୍ଚେଇ ଦେଇ ଥିବାରୁ ।’’ ଯୁବତୀ ଦ୍ରୁତ ପାଦରେ ବାରଣ୍ଡା କୋଣରେ ସିଢ଼ି ଦେଇ ଉପରକୁ ଉଠିଗଲେ ।

 

ଶଶାଙ୍କ ବାବୁ ପର୍ଦ୍ଦାଟା ଛାଡ଼ିଦେଇ ଅନ୍ଧାରରେ ଅଣ୍ଡାଳି ଗୋଟିଏ ସୋଫାରେ ବସି ପଡ଼ି ନିଶ୍ୱାସ ମାରିଲେ ‘‘ବେଶ୍‌ତ’’ ।

 

–୩–

 

ଭୋରୁ ଉଠି ସମୁଦ୍ରକୂଳ ଆଡ଼େ ଚାଲି ଯାଇଥିଲେ ଶଶାଙ୍କ ବାବୁ, ଛୋଟ ଗୋଟେ ବାଲିକୁଦ ଆଢ଼ୁଆଳରେପ ବନଠାରୁ ନିଜକୁ ବଞ୍ଚେଇ ବସି ପଡ଼ିଥିଲେ ସେ, ସମୁଦ୍ରରେ ଦୂରରେ ଦିଶୁଥିଲା ନୋଳିଆ ମାନଙ୍କର ଛୋଟ ଛୋଟ ଡଙ୍ଗା କେତେଟା । ଢେଉର ତାଳେ ତାଳେ ନାଚି ନାଚି ସେ ଗୁଡାକ ଚାଲି ଯାଉଥିଲା ଦୂରକୁ–କ୍ରମଶଃ ଦୂରରୁ ।

 

ସମୁଦ୍ରର–ଗର୍ଜ୍ଜନ–ପବନର ସୁ’ସୁ–ତଥାପି ଚାରିଆଡ଼ ମନେ–ହଉଥିଲା ନିଛାଟିଆ, ନିସ୍ତବ୍‌ଧ । ଶଶାଙ୍କ ବାବୁ ଡାଇରୀଟା ଖୋଲି ସେ ଦିନର ତାରିଖଟା ଲେଖି ନିଶ୍ଚଳ ଭାବରେ ବସିଥିଲେ । ତାଙ୍କର ଆଖି ଥିଲା ଦୂରର ଡଙ୍ଗା ଉପରେ । ବାଁ ପାଖରେ ଡଙ୍ଗାଟା–ହେଇ ବୁଡ଼ିଲା । ଓଲଟି ପଡ଼ି ସୋଲର ଡଙ୍ଗା ପୁଣି ସିଧା ହେଇଗଲା । ଶଶାଙ୍କ ବାବୁଙ୍କର ମନ କେମିତି ସକ୍ରୀୟ ହେଇ ପଡ଼ିଥିଲା । କେଡ଼େ ପୁରୁଣା କଥା ସବୁ ମନେ ପଡ଼ୁଥିଲା ତାଙ୍କର, ଦଶ ବର୍ଷ ତଳର ପୁରୁଣା କଥା–ସେଇଟି ଥିଲା ତାଙ୍କ ଜୀବନର ବିପର୍ଯ୍ୟୟ, କିନ୍ତୁ ତା’ପରେ ଚେଷ୍ଟାକରି ମଧ୍ୟ ଜୀବନରୁ ତା’ର ଚିହ୍ନ ଲିଭାଇ ପାରି ନ ଥିଲେ ସେ । ଜୀବନ ତାଙ୍କର ପୂର୍ବ ଅବସ୍ଥାକୁ ଆଉ ଫେରି ନ ଥିଲା । ମନରେ, ଦେହରେ ତା’ରି ଚିହ୍ନ ନେଇ ଆଜିର ଏ ଅବସ୍ଥାରେ ପହଞ୍ଚିଛନ୍ତି ସେ । ଦୁନିଆ ତାଙ୍କୁ ଆଘାତ ଦେଇଛି ପ୍ରଚୁର–ତଥାପି ବଞ୍ଚି ରହିଛନ୍ତି ସେ; ଯଦିଓ ଜୀବନ ପାତ୍ରରୁ ସତେ ପଳେ ଝରି ଯାଉଚି ତାଙ୍କର ଆୟୁ ନିଃଶେଷ ହୋଇ । କିନ୍ତୁ ମନରେ ତାଙ୍କର ହିଂସା, ଅବଶୋଷ ଏସବୁ ନ ଥିଲା–କାରଣ ନିଜ ଦୁର୍ଦ୍ଦଶା ଲାଗି ସେ କାହାରିକି ହେଲେ ଦାୟୀ କରି ପାରୁ ନ ଥିଲେ ।

 

ହଠାତ୍‌–ତାଙ୍କ ଭାବନାରେ ବାଧା ପଡ଼ିଲା । ବାଲିକୁଦ ଉହାଡ଼ରୁ କୁକୁରଟାଏ ଦୌଡ଼ି ଆସି ତାଙ୍କ ହାତଗୋଡ଼ ଶୁଙ୍ଘିବାକୁ ଆରମ୍ଭ କଲା, ଚମକି ପଡ଼ିଥିଲେବି, ବିସ୍ମିତ ହୋଇଥିଲେ ଆହୁରି ବେଶୀ, ଛୋଟ–କଳାଧଳା ମିଶା ତା’ରଙ୍ଗ । ଗୋଟେ ଗୋଡ଼ରେ ତା’ର ବନ୍ଧା ହୋଇଥିଲା ଖଣ୍ଡେ ଛିଣ୍ଡା, ମଇଳା କନା । ବେକର ଲୁହା ଚେନ୍‌ଟା ତଳେ ଘୁଷୁରୁ ଥିଲା । ତାକୁ ଧିରେ ଆଉଁସି ଚାରି ଆଡ଼କୁ ଚାହିଁଲେ ଶଶାଙ୍କ ବାବୁ ।

 

ଚାରିହାତ ଦୂରରେ ଠିଆ ହୋଇ ବଡ଼ ବଡ଼ ଆଖି ମଲାଇ ଚାହିଁ ରହିଥିଲା ଦୁର୍ବଳିଆ ପିଲାଟିଏ–ପ୍ରାୟ ଦଶ ବାର ବର୍ଷର ହେବ । ଶଶାଙ୍କ ବାବୁଙ୍କ ମନରେ ଝଟ୍‌କା ଲାଗିଲା । ପିଲାଟିର ଆଖି ଥିଲା ବାସ୍ତବିକ ସ୍ଥିର ଆଉ ଦୃଷ୍ଟ ତୀକ୍ଷ୍‌ଣ । ସେ ଶଶାଙ୍କ ବାବୁଙ୍କ ଆଡ଼ୁ ଆଖି ଫେରାଇ କୁକୁରକୁ ଚାହିଁ କହିଲା–‘‘ମିନୁ ଆପଣଙ୍କୁ ଡରିଲାନି ତ ? ସେ ପ୍ରକୃତରେ ଲୋକ ଚିହ୍ନିପାରେ । ସବୁରି ପାଖକୁ ସେ ଯାଏନି ।’’ ତା’ କଣ୍ଠରେ ଅଧିକାରୀର ଗର୍ବ ଥିଲା ।

 

–‘‘କୁକୁରଟା ତମର ତେବେ ?’’ ଶଶାଙ୍କ ବାବୁଙ୍କ କୋଳରେ ମଇଳା ଗୋଡ଼ ରଖି ବେଶ୍‌ ନିଶ୍ଚିନ୍ତରେ ବସିଥିଲା କୁକୁରଟି ।

 

‘‘ହଁ’ ତା’ରି ନା ମିନୁ’’ ପିଲାଟି ଧୀର ଭାବରେ କହିଲା ଟିକେ ଇତସ୍ତତ ନ କରି ।

 

–‘‘ଗୋଡ଼ରେ ତା’ର ଘା’ ହେଇଛି ବୋଧେ ?’’ ଶଶାଙ୍କ ବାବୁ କୁଁ’ କୁଁ ସ୍ୱରରେ ହଉଥିବା ମିନୁର ପ୍ରତିବାଦକୁ ଗ୍ରାହ୍ୟ ନ କରି ଅନଭ୍ୟସ୍ତ ହାତରେ ବନ୍ଧା ଯାଇଥିବା ମଇଳା; ଛିଣ୍ଡା ରୁମାଲଟା ତା’ ଗୋଡ଼ରୁ ଫିଟେଇ ଦେଲେ । ଘା’ଟା ବେଶ୍‌ ମାରାତ୍ମକ ଦିଶୁଥିଲା ।

 

–‘‘ଏ ଘା’ କୁଆଡ଼େ ମଣିଷଙ୍କୁ ଡିଏଁ ?’’ ଏଇଥର ସାମାନ୍ୟ ଅପ୍ରତିଭ ହେଲା ଭଳି ଜଣା ପଡ଼ିଲା ପିଲାଟି ।

 

–‘‘ଅବଶ୍ୟ ସାବଧାନ ହେଲେ ଡିଏଁନି ।’’ ବ୍ୟାଣ୍ଡେଜ୍‌ଟା ପୁଣି ବାନ୍ଧିଦେଲେ ଶଶାଙ୍କ ବାବୁ-

 

–‘‘ରମେଶ’’–ବଡ଼ପାଟିରେ ଡାକି ଯେ ଦ୍ରୁତ ପାଦରେ ଆଗେଇ ଆସୁଥିଲେ । ତାକୁ ଶଶାଙ୍କବାବୁ ଚିହ୍ନିଲେ ଗଲା କାଲିର ସେଇ ଯୁବତୀ ବୋଲି । ଭଦ୍ର ମହିଳାଙ୍କଠାରେ କିନ୍ତୁ ଗଲା ରାତିର ସେ ରାଗ, ଘୃଣା ବା ବିଦ୍ୱେଷର କିଛି ନଥିଲା । ଥରକରେ ସମସ୍ତ ବିଷୟଟା ଦେଖିନେଇ ସେ ଅଳ୍ପ ହସି କହିଲେ–‘‘ନିଶ୍ଚୟ ରମେଶ ଏ ମଧ୍ୟରେ ଆପଣଙ୍କୁ ତା କୁକୁର ପ୍ରତି ହଉଥିବା ଅତ୍ୟାଚାର କଥା କହିସାରିଛି ।’’ ସହଜ; ପରିଷ୍କାର ତାଙ୍କ କଣ୍ଠସ୍ୱର ।

 

–‘‘ନାଁ’’–ଟିକେ ଅପ୍ରସ୍ତୁତ ହୋଇ ପଡ଼ିଲେ ଶଶାଙ୍କ ବାବୁ–ବିଶେଷତଃ ଭଦ୍ରମହିଳାଙ୍କ ସହଜ ଭଙ୍ଗୀ ତାଙ୍କୁ ଅସ୍ୱସ୍ତ କରି ପକେଇଲା ।

 

–‘‘କଥା କଣକି, କୁକରଟା ନେଇ ବିଚାରାର ସବୁରି ସାଙ୍ଗେ କଳି–ସବୁରି ମତରେ ରୋଗୀଣା ହେଲାଣି ସେଇଟାକୁ ଗୁଳୀକରି ମାରି ଦିଆଯାଉ’’ କଥା ଶେଷ ହେଲାନି ।

 

–‘‘ଯଦି ମୋ କୁକୁର ମରେ’’–ପିଲାଟିର ହାଡ଼ୁଆ ଦୁର୍ବଳିଆ ମୁଁହରେ ରକ୍ତର ସଞ୍ଚାର ହେଲା–‘‘ତେବେ–ମୁଁ ବି ମରିଯିବି, ରାତିରେ ସମସ୍ତେ ଶୋଇଥିବା ବେଳେ’’–ସେ ରାଗରେ ଚୁପ୍‌ କରିଗଲା, ତାର ହାତଗୋଡ଼ ଥରି ଥରି ଉଠୁଥିଲା। ଶଶାଙ୍କବାବୁ ଆଶ୍ଚର୍ଯ୍ୟ ହେଇ ଭାବୁଥିଲେ–ପିଲାଟିର ଅଦ୍ଭୁତ ଭାବପ୍ରବଣତାର କଥା ।

 

–‘‘ନାଇଁ ବାବା ନାଇଁ–ମୁଁ ସବୁରିକି ମନା କରିଛି, କେହି ତୋ କୁକୁର ଦେହରେ ହାତ ବି ଦେବେନି । ବର୍ତ୍ତମାନ ଡାକ୍‌ତାକୁ । ଦେଖୁଛୁଟି ଲୁଗାପଟା ମଇଳା କରି ସେଇଟା’’–ଭଦ୍ର ମହିଳା ନଇଁପଡ଼ି ତଳେ ଘୁଷୁରିଥିବା କୁକରର ଚେନ୍‌ଟା ଧରି ଟାଣିଲେ ।

 

–‘‘ମୋ ସୁନା ଛବିଦି’’–ପିଲାଟିର ମୁହଁରେ କୃତଜ୍ଞତା ଥିଲେ ଗଭୀର । ସେ ଦି’ହାତରେ ଗୁଡାଇ ଧରିଥିଲା ଭଦ୍ରମହିଳାଙ୍କ ଅଣ୍ଟା ।

 

–‘‘ମାଁ ଆଜି ପଚାରିବେ ମୁଁ ମୋଟେ କହିବିନି ଯେ ଆମର ଆଜି ସକାଳେ ପ୍ରଭାତ ବାବୁଙ୍କ ସାଙ୍ଗେ ଦେଖା ହୋଇଥିଲା । ଯେତେ ଚକୋଲେଟ୍‌ ଦେଲେ ବି କହିବିନି’’–

 

ଭଦ୍ରମହିଳାଙ୍କ ମୁହଁ ହଠାତ୍‌ଲାଲ ହୋଇ ପୁଣି ରକ୍ତହୀନ ହୋଇ ପଡ଼ିଲା, ତଳ ଓଠ ଉପରେ ନିବୁଜ ଭାବରେ ଉପର ଓଠକୁ ଚାପି ରି ସେ କେତେବେଳେଯାଏ ଠିଆ ହୋଇ ପଡ଼ିଲେ । ଶଶାଙ୍କ ବାବୁଙ୍କ କୋଡ଼ରୁ କୁକୁରଟାକୁ ନଉ ନଉ ଅନ୍ୟ କିଛି ଲକ୍ଷ୍ୟ କରିବା ଅବସ୍ଥାରେ ନ ଥିଲା ରମେଶ । ଶଶାଙ୍କ ବାବୁ ଦୂର ସମୁଦ୍ର ଆଡ଼େ ଚାହିଁ ନୀରବରେ ବସି ରହିଥିଲେ–‘‘ବର୍ତ୍ତମାନ୍‌ ଆ’’–ଭଦ୍ରମହିଳା ନିଜକୁ ସଂଯତ କରି ଅନ୍ୟମନସ୍କ ଭାବରେ କହିଲେ ତା’ପରେ ଧୀର ପାଦରେ ଆଗେଇ ଗଲେ । ରମେଶ କୁକୁରଟାକୁ କାଖରେ ଯାକି ଦୌଡ଼ିଗଲା ତାଙ୍କ ପଛେ ପଛ ।

 

–‘‘କାଲି ରାତିର ସେ ଭଦ୍ରଲୋକଇ ହେଲେ ପ୍ରଭାତ ବାବୁ’’–ଛୋଟ ଡାଇରୀଟାର ଗୋଟେ ପୃଷ୍ଠାରେ ଅନ୍ୟମନସ୍କ ଭାବରେ ଲେଖୁ ଲେଖୁ ଭାବୁଥିଲେ ଶଶାଙ୍କ ବାବୁ ।

 

କେବଳ ଏତିକି ସେ ବୁଝି ପାରୁ ନଥିଲେ ଏ ସବୁ କଥା ଜାଣି କି ଲାଭ ହବ ତାଙ୍କର ।

 

–୪–

 

–‘‘ଚେୟାରଟା ସେଇଠି ପକାଅ’’–କ୍ୟାନ୍‌ଭାସ୍‌ ଚେୟାର ଦି’ଖଣ୍ଡ ଚାକର ପକାଇ ଦେଲା-। ଶଶାଙ୍କ ବାବୁ ବହି ଓ ଖବର କାଗଜ ଥୋଇଲେ ଗୋଟିଏ ଉପରେ । ଅନ୍ୟଟାର ବସି ପଡ଼ିଲେ ସେ ।

 

ବଡ଼ ଆମ୍ବଗଛଟାର ଛାଇ ବେଶ୍‌ କେତେଟା ଯାଗା ମାଡ଼ି ବସିଥିଲା ଆଉ ଯାଗାଟା ନିର୍ଜନ ବି’ ଥିଲା । ସମୁଦ୍ର ଉପରଦେଇ ଆସି ଥଣ୍ଡା ସ୍ଥଳବାୟୁ ଗଛର ପତ୍ରଗୁଡାଏ ହଲେଇ ଦଉଥିଲା ରହି ରହି ।

 

–‘‘ଏଇଠି ନିଶ୍ଚିନ୍ତରେ ଆପଣ ବିଶ୍ରାମ ନିଅନ୍ତୁ–ଏଠିକି ପ୍ରଭାତ ବାବୁଙ୍କ ଛଡା ଅନ୍ୟ କେହି ଆସନ୍ତିନି, ସେଇ ମଝିରେ ମଝିରେ ଆସି ବସନ୍ତି ସେ ଗଛ ମୂଳେ–ଛବି ଆଙ୍କିବାକୁ । ଆଜି ସେ ବି’ ସମୁଦ୍ର କୂଳ ଆଡ଼େ ଯାଇଚନ୍ତି’’ । ଅନ୍ୟ ଆଦେଶର ଅପେକ୍ଷାରେ ଠିଆ ହୋଇଥିଲା ଚାକରଟି ।

 

–‘‘ତମେ ଏଇକ୍ଷଣି ଯାଅ–ଆଉ କିଛି ଦରକାର ନାହିଁ । ହୁଁ–ପ୍ରଭାତ ବାବୁ ଛବି ଆଙ୍କନ୍ତି ତେବେ’’ । ଶଶାଙ୍କ ବାବୁ ଭଲ କରି ଆଉଜି ବସି କହିଲେ ।

 

‘‘ହଁ–କଲିକତାରେ ତାଙ୍କ ଛବିଗୁଡା ବିକ୍ରୀ ହୁଏ’’–ଚାକର ଚାଲିଗଲା ତରତର ହେଇ-

 

–‘‘ଚାରିଟା ବେଳେ ଚା’ଟା ଏଇଠି ଦେଇଯିବ’’ । ପଛରୁ ଡାକି ବରାଦ ଦେଲେ ଶଶାଙ୍କ ବାବୁ । ଥରେ ଚାରିଆଡ଼େ ଆଖି ବୁଲେଇ ନେଲେ ସେ ।

 

ଜାଗାଟା ଘରର ଗୋଟିଏ ପାଖରେ ପ୍ରାୟ କୋଣରେ ଥିଲା, ବଗିଚା ଭିତରେ । ଯୋଉ ଝରକା ଗୁଡା ଦେଖା ଯାଉଥିଲା ସେ ସବୁଗୁଡା ବନ୍ଦ ଥିଲା । ଯେତେଦୂର ସମ୍ଭବ ଏଇଟା ହୋଟେଲ ପଟ ନୁହେଁ । ଚାରିଆଡ଼ ଜନହୀନ ମନେ ହଉଥିଲା–ହୋଟେଲଟା ବୋଧେ ଆର ପଟରେ, ସେଠୁ ବି କିଛି ଶବ୍ଦ ଶୁଭୁ ନ ଥିଲା । ଶୁଭୁଥିଲା ଝାଉଁଗଛର ସୁସୁ–ଆଉ ଦୂରରୁ ଅସ୍ପଷ୍ଟ ଭାବରେ ସମୁଦ୍ରର ଶବ୍ଦଟା । ଶାନ୍ତିର ନିଶ୍ୱାସ ମାରି ଆଖି ମୁଦିଲେ ଶଶାଙ୍କ ବାବୁ । ଏମିତି ଶାନ୍ତିରେ ଯଦି ଦିନ କେତେଟା କଟିଯାଇ ପାରନ୍ତା...

 

ହୁଏତ ତାଙ୍କୁ ନିଦ ଲାଗିଥିଲା–ହୁଏତ ନୁହେଁ, ନିଜ ନାଁ ଧରି କାହାକୁ ଡାକିବାର ଶୁଣି ଆଖି ଖୋଲିଲେ ସେ । ନଗେନ୍ଦ୍ରବାବୁ ମୃଦୁ ସ୍ୱରରେ କହୁଥିଲେ, ‘‘ଆପଣ ଜଣେ ଡାକ୍ତରଙ୍କୁ ଡାକି ଦବାକୁ କହିଥିଲେ ନୁହେଁ ? ମୁଁ ଖବର ଦେଇଛି ଡା:ରବିନ୍‌ସଙ୍କୁ । ବୁଢ଼ା ଲୋକ–କିନ୍ତୁ ମୋର ମନେହୁଏ ଖୁବ୍‌ କାମୀକା । ମିସେସ୍‌: ସରକାର ଖୁବ୍‌ ପ୍ରଶଂସା କରନ୍ତି ତାଙ୍କର ।’’

 

–‘‘ମିସେସ୍‌: ସରକାର ?’’ –ଧୀରେ ସ୍ୱରରେ ପଚାରିଲେ ଶଶାଙ୍କବାବୁ, ତା’ ପରେ ଅନ୍ୟ ଚେୟାରଟାରୁ ବହିପତ୍ର ତଳକୁ ଥୋଇଦେଇ ନଗେନ୍ଦ୍ର ବାବୁଙ୍କୁ ବସିବାକୁ ଅନୁରୋଧ କଲେ ସେ ।

 

–‘‘ହଁ–କମଳ ସରକାର । ଘରଟାର ଗୋଟେ ପାଖ ସେମାନେ ଭଡା ନେଇଛନ୍ତି । ତାଙ୍କ ସ୍ୱାମୀ ପ୍ରବୀର ବାବୁ ମୋର ବହୁତ ପୁରୁଣା ବନ୍ଧୁ ।’’ ନଗେନ୍ଦ୍ର ବାବୁ ବସି ପଡ଼ିଲେ ।

 

–‘‘ମିସେସ୍‌: ସରକାରଙ୍କ ଦେହ ଖରାପ ହେଇଛି ?’’ ଶଶାଙ୍କବାବୁ ଟିକେ ବ୍ୟସ୍ତ ଭାବରେ ପଚାରିଲେ ।

 

–‘‘ଆରେ–ନାଁ–ନାଁ–ବର୍ତ୍ତମାନ ସେ ସମ୍ପୂର୍ଣ୍ଣ ସୁସ୍ଥ ଯଦିଓ ସେ କଥା ଅନ୍ୟ କାହାକୁ ଜାଣିବାକୁ ଦବାରେ ଆପତ୍ତି ଅଛି ତାଙ୍କର ।’’ ଏଥର ନଗେନ୍ଦ୍ର ବାବୁ ହସିଲେ । ଶଶାଙ୍କବାବୁ ବିବ୍ରତ ହେଇ ଭାବୁଥିଲେ ଭଦ୍ରଲୋକଙ୍କ କଥାର ବାହ୍ୟଛଡା, ଆନ୍ତରିକ କଥାର ଅନ୍ୟ ଗୋଟେ ଅର୍ଥ ନିଶ୍ଚୟ ବାହାର କରାଯାଇ ପାରନ୍ତା । ତାଙ୍କର ଏ ଭାବ ଲକ୍ଷ୍ୟକରି ବୋଧେ ନଗେନ୍ଦ୍ରବାବୁ ପଚାରିଲେ–‘‘ମୋ କଥାଟା ସ୍ପଷ୍ଟ ହେଲାନି ବୋଧେ ?’’ ତାଙ୍କର ହସ ବନ୍ଦ ହୋଇଗଲା । ଶଶାଙ୍କବାବୁ ଉତ୍ତର ଦେଲେନି ।

 

–‘‘କଥା କଣ ଜାଣନ୍ତି–ମିସେସ୍‌: ସରକାର ଟିକେ ଜଟିଳ ଧରଣର’’ ନଗେନ୍ଦ୍ରବାବୁ ଇତସ୍ତତ କରି ଚୁପ୍‌ କରିଗଲେ ।

 

–‘‘ଆପଣ କହୁଥିଲେ ମିସେସ୍‌: ସରକାରଙ୍କ ଅସୁସ୍ଥତା କଥା’’–ଭାବିଚିନ୍ତି କଥାର ଗତି ବଦଳେଇବାକୁ ଚେଷ୍ଟା କଲେ ଶଶାଙ୍କ ବାବୁ ।

 

–‘‘ଅସୁସ୍ଥତାଟା ତାଙ୍କର ମିଛ ନୁହେଁ–ସ୍ୱାସ୍ଥ୍ୟର ଉନ୍ନତି ଲାଗି ସପରିବାରରେ ସେ ଏଠିକି ଆସିଛନ୍ତି । କିନ୍ତୁ’’–ଏଥର ନଗେନ୍ଦ୍ରବାବୁଙ୍କ କଣ୍ଠ ପୁଣି ଭଦ୍ର ଆଉ ଗମ୍ଭୀର ଶୁଭିଲା ।

 

‘‘ସେମାନେ ଥିବା ଦ୍ୱାରା ଆପଣଙ୍କର କିଛି ଅସୁବିଧା ହବନି ।’’

 

‘‘ନାଁ-ନାଁ ମୁଁ ସେକଥା କହୁନି । କେବଳ ଡା: ରଚିନ୍‌ସଙ୍କ ବିଷୟରେ’’–କ୍ଲାନ୍ତଭାବରେ ଶଶାଙ୍କ ବାବୁ କହିଲେ । କେତେ ଅଳ୍ପରେ କ୍ଲାନ୍ତ ହେଇ ପଡ଼ନ୍ତି ସେ ଆଜି କାଲି ।

 

‘‘ସେ ସନ୍ଧ୍ୟାବେଳେ ଆସିବେ କହିଛନ୍ତି’’, ନଗେନ୍ଦ୍ର ବାବୁ ଉଠି ପଡ଼ିଲେ ।

 

ଏଥର ପ୍ରକୃତରେ ଶୋଇ ପଡ଼ିଲେ ଶଶାଙ୍କ ବାବୁ । ନିଦ ଭାଙ୍ଗିଲେ ଚାକରର ଡାକରେ । ଆଖି ମେଲାଇ ଦେଖିଲେ ସେ ସେ ସୂର୍ଯ୍ୟ ବୁଡ଼ି ଗଲାଣି ବହୁତ ବେଳୁ; ଅନ୍ଧାର ବି’ ହେଇ ଆସିଛି, ଟ୍ରେରେ ଚାହା ଓ ଜଳଖିଆ ପ୍ଲେଟ ଧରି ଅପେକ୍ଷା କରୁଥିଲା ସକାଳର ସେ ଚାକର । ଶଶାଙ୍କ ବାବୁ ଚା’ ଖାଇବାରେ ମନଦେଲେ ।

 

–‘‘ଟିକେ ଡେରି ହେଇ ଗଲା ହଜୁର୍‌’’–ଲୋକଟି ବ୍ୟସ୍ତ ଭାବରେ କହିଲା । ଶଶାଙ୍କ ବାବୁବି ମନେ ମନେ ସେଇଆ ଭାବୁଥିଲେ ।

 

–‘‘ସେଥିରେ କଣ ଅଛି–କିନ୍ତୁ ଡେରି ହେଲା କାହିଁକି ?’’ ସେ ଧୀର ସ୍ୱରରେ ପଚାରିଲେ-

 

–‘‘ଆଉ କାହିଁକି କହୁଛନ୍ତି ବାବୁ–ବାବାରେ ସାକ୍ଷାତ ମାଁ ଚଣ୍ଡୀତ । ଏମିତି ଲୋକ ମୋ ବାପ ଅଜା ଚଉଦପୁରୁଷରେ କେହି କେବେ ଦେଖି ନଥିଲେ । ଏମିତି ମାଲିକକୁ ଦୂରୁ ଜୁହାର-।’’

 

ଶଶାଙ୍କ ବାବୁ ବୁଝିଲେ ଲୋକଟି ବିରକ୍ତ ହୋଇଛି ଅବଶ୍ୟ ତା’ର କାରଣ ବି ଥାଇପାରେ-। ସେ ପରବର୍ତ୍ତୀ କଥାର ଅପେକ୍ଷା କଲେ । ନିଜର ପ୍ରତିବେଶୀମାନଙ୍କ ସଂପର୍କରେ ଏଇ କୌତୁହଳକୁ ବଞ୍ଚେଇ ରଖିବାକୁ ଚାହୁଁଥିଲେ ସେ, ନ ହେଲେ କେମିତି ବଞ୍ଚିବେ ସେ !

 

–‘‘ଆଚ୍ଛା ଆପଣ କୁହନ୍ତୁ ବାବୁ–ମୁଁ କଣ ସେ ଟ୍ୟାକ୍‌ସି ବାଲାକୁ ଶିଖେଇ ଦେଲି ତୁ ବାବୁ ପାଣି ସୁରେଇଟା ଭାଙ୍ଗ ବୋଲି ? ଗାଡ଼ିର ଧକର ଚକରରେ ଭାଙ୍ଗିଗଲା ସେଇଟା । ହେଲା ସେଥିପାଇଁତ’ ଫେର୍‌ ଫାଇନ୍‌ ଦେଲି–ପୁଣି ଏତେ ଗାଳିମନ୍ଦ–’’

 

–‘‘ଆରେ–ନାଁ–ନାଁ ବର୍ତ୍ତମାନ ସେ ସମ୍ପୂର୍ଣ୍ଣ ସୁସ୍ଥ ଯଦିଓ ସେ କଥା ଅନ୍ୟ କାହାକୁ ଜାଣିବାକୁ ଦବାରେ ଆପତ୍ତି ଅଛି ତାଙ୍କର ।’’ ଏଥର ନଗେନ୍ଦ୍ର ବାବୁ ହସିଲେ । ଶଶାଙ୍କ ବାକୁ ବିବ୍ରତ ହେଇ ଭାବୁଥିଲେ ଭଦ୍ରଲୋକଙ୍କ ବାହ୍ୟଛଡ଼ା, ଆନ୍ତରିକ କଥାର ଅନ୍ୟ ଗୋଟେ ଅର୍ଥ ନିଶ୍ଚୟ ବାହାର କରାଯାଇ ପାରନ୍ତା । ତାଙ୍କର ଏ ଭାବ ଲକ୍ଷ୍ୟକରି ବୋଧେ ନଗେନ୍ଦ୍ର ବାବୁ ପଚାରିଲେ–‘‘ମୋ କଥାଟା ସ୍ପଷ୍ଟ ହେଲାନି ବୋଧେ ।’’ ତାଙ୍କର ହସ ବନ୍ଦ ହୋଇଗଲା । ଶଶାଙ୍କ ବାବୁ ଉତ୍ତର ଦେଲେନି ।

 

–‘‘କଥା କଣ ଜାଣନ୍ତି–ମିସେସ୍‍: ସରକାରଙ୍କ ଅସୁସ୍ଥତା କଥା’’–ଭାବି ଚିନ୍ତି କଥାର ଗତି ବଦଳେଇବାକୁ ଚେଷ୍ଟା କଲେ ଶଶାଙ୍କ ବାବୁ ।

 

‘‘ଅସୁସ୍ଥତାଟା ତାଙ୍କର ମିଛ ନୁହେଁ–ସ୍ୱାସ୍ଥ୍ୟର ଉନ୍ନତି ଲାଗି ସପରିବାରେ ସେ ଏଠିକି ଆସିଚନ୍ତି-। କିନ୍ତୁ’’–ଏଥର ନଗେନ୍ଦ୍ର ବାବୁଙ୍କ କଣ୍ଠ ପୁଣି ଭଦ୍ର ଆଉ ଗମ୍ଭୀର ଶୁଭିଲା ।

 

‘‘ସେମାନେ ଥିବା ଦ୍ୱାରା ଆପଣଙ୍କର କିଛି ଅସୁବିଧା ହବନି ।’’

 

‘‘ନାଁ-ନାଁ ମୁଁ ସେକଥା କହୁନି । କେବଳ ତା: ରବିନ୍‍ସଙ୍କ ବିଷୟରେ’’–କ୍ଳାନ୍ତ ଭାବରେ ଶଶାଙ୍କ ବାବୁ କହିଲେ । କେତେ ଅଳ୍ପରେ କ୍ଳାନ୍ତ ହେଇ ପଡ଼ନ୍ତି ସେ ଆଜିକାଲି ।

 

‘‘ସେ ସନ୍ଧ୍ୟାବେଳେ ଆସିବେ କହିଛନ୍ତି’’, ନଗେନ୍ଦ୍ର ବାବୁ ଉଠି ପଡ଼ିଲେ ।

 

ଏଥର ପ୍ରକୃତରେ ଶୋଇ ପଡ଼ିଲେ ଶଶାଙ୍କ ବାବୁ । ନିଦ ଭାଙ୍ଗିଲା ଚାକରର ଡାକରେ । ଆଖି ମେଲାଇ ଦେଖିଲେ ସେ ସୂର୍ଯ୍ୟ ବୁଡ଼ି ଗଲାଣି ବହୁତ ବେଳୁ; ଅନ୍ଧାର ବି ହେଇ ଆସିଛି, ଟ୍ରେରେ ଚାହା ଓ ଜଳଖିଆ ପ୍ଲେଟ ଧରି ଅପେକ୍ଷା କରିଥିଲା । ସକାଳର ସେ ଚାକର । ଶଶାଙ୍କ ବାବୁ ଚା’ ଖାଇବାରେ ମନ ଦେଲେ ।

 

–‘‘ଟିକେ ଡେରି ହେଇଗଲା ହଜୁରୁ’’– ଲୋକଟି ବ୍ୟସ୍ତ ଭାବରେ କହିଲା । ଶଶାଙ୍କ ବାବୁବି ମନେ ମନେ ସେଇଆ ଭାବୁଥିଲେ ।

 

–‘‘ସେଥିରେ କ’ଣ ଅଛି, କିନ୍ତୁ ଡେରି ହେଲା କାହିଁକି ?’’ ସେ ଧିର ସ୍ୱରରେ ପଚାରିଲେ-

 

–‘‘ଆଉ କାହିଁକି କହୁଛନ୍ତି ବାବୁ–ବାବାରେ, ସାକ୍ଷାତ ମାଁ ଚଣ୍ଡୀ ତ । ଏମିତି ଲୋକ ମୋ ବାପ ଅଜା ଚଉଦ ପୁରୁଷରେ କେହି କେବେ ଦେଖି ନଥିଲେ । ଏମିତି ମାଲିକକୁ ଦୂରୁ ଜୁହାର-।’’

 

ଶଶାଙ୍କ ବାବୁ ବୁଝିଲେ ଲୋକଟି ବିରକ୍ତ ହୋଇଛି ଅବଶ୍ୟ ତା’ର କାରଣବି ଥାଇପାରେ । ସେ ପରବର୍ତ୍ତୀ କଥାକୁ ଅପେକ୍ଷା କଲେ । ନିଜର ପ୍ରତିବେଶୀମାନଙ୍କ ସମ୍ପର୍କରେ ଏଇ କୌତୁହଳକୁ ବଞ୍ଚେଇ ରଖିବାକୁ ଚାହୁଁଥିଲେ ସେ, ନ ହେଲେ କେମିତି ବଞ୍ଚିବେ ।

 

‘‘ଆଚ୍ଛା ଆପଣ କୁହନ୍ତୁ ବାବୁ–ମୁଁ କଣ ସେ ଟ୍ୟକ୍‍ସି ବାଲାକୁ ଶିଖେଇ ଦେଲି ତୁ ବାବୁ ପାଣି ସୁରେଇଟା ଭାଙ୍ଗ ବୋଲି ? ଗାଡ଼ିର ଧକର ଚକରରେ ଭାଙ୍ଗିଗଲା ସେଇଟା । ହେଲା, ସେଥିପାଇଁ ତ ଫେର୍‍ ଫାଇନ୍‍ ଦେଲି–ପୁଣି ଏତେ ଗାଳିମନ୍ଦ’’–

 

–‘‘କେତେଟଙ୍କା ଫାଇନ୍‌ଦେଲ ?’’ ଧୀର ସ୍ୱରରେ ପଚାରିଲେ ଶଶାଙ୍କ ବାବୁ ।

 

‘‘କାହିଁକି ଦି’ଟଂକା, ହେଲେ ସେ ଟଙ୍କାଟା ବକ୍‌ସିସ୍‌ ଦେଇଥିଲେ ସେ ବାବୁ ।’’ ଚାକରଟି ଯିବାକୁ ବସିଲା ।

 

–‘‘ସେମାନେ ତେବେ ଆଜି ବାହାରକୁ ଯାଇଥିଲେ ?’’ ଜଳଖିଆ ପ୍ଲେଟ୍‌ଟା ଖାଇ ସାରି ତଳେ ଥୋଇଦେଲେ ଶଶାଙ୍କ ବାବୁ ।

 

–‘‘ହଁ, ପିକ୍‌ନିକ୍‌ କରିବାକୁ । ସେଠି ପୁଣି ଆଉ ଏକ ଗୋଳମାଳ । ମିସ୍‌: ବାବା କହିଲେ ଯିବେନି ବୋଲି । ଇଏ କି ଛାଡ଼ିବା ଜନ୍ତୁ ? ଜବରଦସ୍ତ ନେଇଗଲେ–ସତେ ଯେମିତି କୁଆଡ଼େ ପଳେଇ ଯାଉଛନ୍ତି ।’’

 

–‘‘ଏଇ ମିସ୍‌: ବାବାଙ୍କ ଭଲ ନାଁଟି କ’ଣ ?’’ ଶଶାଙ୍କ ବାବୁ ମୃଦୁ ସ୍ୱରରେ ବାଧା ଦେଲେ-

 

–‘‘ସୁପ୍ରିୟା; ଡାକନ୍ତି ଛବି ବୋଲି । ଆହା, ଛବିଟିଏ ତ–ଓଠରେ ହସଟି ଲାଗି ରହିଚି, ମିଜାଜ୍‌ବି’ ସେମିତି ଥଣ୍ଡା । ନ ହେଲେ ଏ ଯୋଉ ମାସୀ ମା, ଆଉ କିଏ ହେଇଥିଲେ ।’’

 

–‘‘ମିସେସ୍‌: ସରକାର ତେବେ ସୁପ୍ରିୟା ଦେବୀଙ୍କ ମାସୀ ମା ?’’ ପୁଣି କଥାର ସୁଅରେ ବାଧା ଦେଲେ ଶଶାଙ୍କ ବାବୁ ।

 

–‘‘କିନ୍ତୁ ଯାହା କହନ୍ତୁ ପଛେ ବାବୁ–ଏମିତି ମାସୀ ମା ଥିବାଠାରୁ ନ ଥିବା ଭଲ । ହେଲେ ସେ ବାବୁ ଲୋକ ଭଲ । ତାଙ୍କ ପାଖରେ ତାଙ୍କ ପୁଅ ରମେଶ ବାବୁ ଯେମିତି, ଛବି ଦିଦି କୁମାର ବାବୁ ବି’ ସେମିତି ।’’

 

–‘‘କୁମାର ବାବୁ ?’’

 

–‘‘ସେ ବାବୁଙ୍କର ପୁତୁରା ନାଁ କଣ ହୁଅନ୍ତି । ଭାରୀ ନିରୀହ, ମେମ୍‌ ସାହେବଙ୍କ କଥାରେ ବସିବେ, ଉଠିବେ । ତେବେ କାମୀକା ଲୋକ । ଝିଅ ମାଳତୀ କହୁଥିଲା ସେଇ ତ ପ୍ରବୀର ବାବୁଙ୍କର ସବୁ ସମ୍ପତ୍ତି ଦେଖା ଶୁଣା କରନ୍ତି ।’’

 

ଦଶ ହାତ ଛଡା ଲନ୍‌ରେ ଆସି ବସିଲେ । କାଲିର ସେ ମହିଳା–ଏବେ ଚିହ୍ନିଲେ ଶଶାଙ୍କ ବାବୁ । ଏଇ ମିସେସ୍‌ସରକାର ଯାହା କଥା ଦିନ ଯାକ ଶୁଣୁଚନ୍ତି ସେ । ସାଙ୍ଗରେ ତାଙ୍କର ସୁପ୍ରିୟା ଦେବୀ । ଏତେ ଦୂରରୁ ବି’ ଶଶାଙ୍କ ବାବୁ ମିସେସ୍‌: ସରକାରଙ୍କ ଶକ୍ତ, ଧାତବ କଣ୍ଠସ୍ୱର ଶୁଣି ପାରିଲେ ।

 

–‘‘ମୁଁ ଆଉଥରେ ବି’ ସେ କଥା ଶୁଣିବାକୁ ଚାହେଁନି–ଘରକୁ ଯା ।’’ ସେ ମାର୍ବଲ୍‌ ବେଞ୍ଚରେ ଆଉଜି ବସିଥିଲେ ।

 

–‘‘ନାଁ ଯିବିନି’’–ପ୍ରାୟ ଚିତ୍କାର କରି ଉଠିଲେ ସୁପ୍ରିୟା ଦେବୀ । ଦି’ମିନିଟ ପର୍ଯ୍ୟନ୍ତ ଛାତି ଉପରେ ଦି’ହାତ ରଖି ସେ ଚାହିଁ ରହିଲେ ମିସେସ୍‌ ସରକାରଙ୍କ ମୁହଁକୁ–ତା’ପରେ ହଠାତ୍‌ଦୌଡ଼ି ଚାଲିଗଲେ ପାହାଞ୍ଚ ଆଡ଼କୁ । ଆଉ ସଶବ୍ଦରେ ହସି ଉଠିଲେ ମିସେସ୍‌: ସରକାର–କେମିତି ନିଷ୍ଠୁର ଭାବରେ ।

 

–‘‘ମୁଁ ହେଇଥିଲେ କୁଆଡ଼େ ପଳେଇ ଯାନ୍ତି’’–ମିସେସ୍‌ ସରକାରଙ୍କ ହସ ଭିତରୁ ଭାସି ଆସିଲା ଚାକରଟିର କଥା କେତୋଟି । ଶଶାଙ୍କ ବାବୁ ବି ତା’ କଥାର ଭାବ ନିଜେ ଉପଲବ୍‌ଧି କରୁଥିଲେ ।

 

–‘‘କିନ୍ତୁ ଯିବେ କୁଆଡ଼େ ? ପିଲା ଦିନୁ ବାପ ମା ମରିଚନ୍ତି–କେହି କୁଆଡ଼େ ନାହାନ୍ତି-। ଯେତେ ପାଠ ପଢ଼ିଲେବି’ ଝିଅତ ।’’ ଚାକର ରାମ କପ୍‌, ପ୍ଲେଟ୍‌ ଉଠେଇ ଟ୍ରେ’ରେ ସଜାଡ଼ୁ ସଜାଡ଼ୁ ମନକୁ ସାନ୍ତ୍ୱନା ଦେବା ଭଳି କହିଲା–

 

–‘‘ହେଲେ ଥରେ ପ୍ରଭାତ ବାବୁଙ୍କ ସାଙ୍ଗେ ବାହାଘରଟା ହେଇ ଗଲେ ଏ ଦୁଃଖ ଆଉ ରହିବନି ।’’

 

ଶଶାଙ୍କ ବାବୁ ବି’ ଉଠିଲେ ଚିଠିପତ୍ରର ସନ୍ଧାନରେ । ଖଣ୍ଡେ ଚିଠି ଥିଲା ପଡ଼ୋଶୀ ରାମ ବାବୁଙ୍କଠାରୁ, ଲେଖାଥିଲା କେମିତି ଶଶାଙ୍କ ବାବୁଙ୍କ ପୁରୁଣାଘରେ ଏବେ ରହୁଛନ୍ତି ଯୋଉ ଭଦ୍ରଲୋକ–ସେ ତାଙ୍କ ସ୍ତ୍ରୀଙ୍କୁ– । ଶଶାଙ୍କ ବାବୁ ଚିଠିଟା ଉପରେ ଥରେ ଆଖି ବୁଲେଇ ଉତ୍ତର ଦବାକୁ ବସିଲେ କରିଧରର ଛୋଟ ଟେବୁଲ ପାଖରେ । କେମିତି ପରିବର୍ତ୍ତନ ଆସିଥିଲା ତାଙ୍କର । ସେ ତାଙ୍କର ପୁରୁଣା ଜୀବନ କଥା ମନେ ପକେଇବାକୁ ଚେଷ୍ଟା କଲେ । ଅସ୍ପଷ୍ଟ ହେଇ ଆସିଥିଲା ସେ କଥା–ବରଂ ତା’ ଯାଗାରେ ମନେ ପଡ଼ୁଥିଲା ଟିକେ ସମୟ ତଳେ ଶୁଣିଥିବା ମିସେସ୍‌ ସରକାରଙ୍କ ସେ ଅଦ୍ଭୁତ ହସ । ସେ କାଗଜ ଖଣ୍ଡେ ଟାଣିଲେ–ଆଉ ଖଣ୍ଡେ କାଗଜ ଟାଣି ହେଇ ଆସିଲା ତା’ ସାଙ୍ଗେ ସାଙ୍ଗେ । ତା’ ଉପରେ ତାଙ୍କ ଆଖି ବୁଲିଗଲା ।

 

ନାନା ପ୍ରକାର ତ୍ରିଭୁଜ, ବୃତ୍ତ, ସରଳରେଖା ଟାଣି ସମୟ ନଷ୍ଟ କରୁ କରୁ ଜଣେ ଲେଖିଛି ଗୋଟିଏ ବାକ୍ୟ–

 

–‘‘ଭଗବାନଙ୍କୁ ଧନ୍ୟବାଦ । ସେମିତି ସ୍ତ୍ରୀ–ଭାଗ୍ୟରୁ ଅଳ୍ପକେ ବଞ୍ଚିଗଲି ।’’

 

ଶଶାଙ୍କ ବାବୁ ବିରକ୍ତ ଭାବରେ ଲକ୍ଷ୍ୟ କଲେ ଯେ ତାଙ୍କ କାନରେ ସେତେବେଳେବି’ ବାଜୁଛି–ମିସେସ୍‌ ସରକାରଙ୍କର ସେ ହସ ।

–୫–

 

–‘‘ଆପଣ ତେବେ ଶଶାଙ୍କ ବାବୁ ?’’ ଶଶାଙ୍କ ବାବୁ ବୁଲି ଚାହିଁଲେ । ସେଦିନ ବି’ ସେ ବସିଥିଲେ ତାଙ୍କ ପ୍ରିୟ ଯାଗାଟିରେ ଆଉ ଏଣୁ ତେଣୁ ଭାବୁଥିଲେ ।

 

–‘‘ହଁ–ଆପଣ ହେଲେ’’–ଉଠିପଡ଼ି ଇତସ୍ତତ କରି କହିଲେ ଶଶାଙ୍କ ବାବୁ–‘‘ପ୍ରଭାତ ବାବୁ-?’’

 

–‘‘କେମିତି ଚିହ୍ନିଲେ ?’’ ପ୍ରଭାତ ବାବୁଙ୍କ ମୁହଁରେ ଆଗ୍ରହ ଫୁଟି ଉଠିଲା । ଦିନର ଆଲୁଅରେ ସେ ମୁହଁ ଦିଶୁଥିଲା ଭାରୀ ପିଲାଳିଆ ।

 

ଶଶାଙ୍କ ବାବୁ ପ୍ରଭାତ ବାବୁଙ୍କୁ ଆପାଦମସ୍ତକ ଥରେ ଦେଖି ନେଇ ଟିକେ ହସିଲେ । ପ୍ରଭାତ ବାବୁଙ୍କ କାନ୍ଧରେ ଥିଲା ଗୋଟେ ବଡ଼ କ୍ୟାନଭାସ୍‌ବ୍ୟାଗ୍‌ଆଉ ଗୋଟେ ଛୋଟ କ୍ୟାମେରା । ଧଳା ପ୍ୟାଣ୍ଟର ବାଁ ଆଣ୍ଠୁରେ ଲାଗିଥିଲା ମେଞ୍ଚାଏ ନାଲି ରଙ୍ଗ, ହାତର ନଖ ଅପରିଷ୍କାର–ବାଳ ଅଡ଼ୁଆ–ମୋଟ ଉପରେ ଜଣେ ଚିତ୍ରକର ।

 

–‘‘ଆମ ହୋଟେଲ ଚାକର ରାମକୁ ଦେଖିଚନ୍ତି ? ତା’ରିଠାରୁ ଆପଣଙ୍କ କଥା ଶୁଣିଥିଲି-।’’ ଶଶାଙ୍କ ବାବୁ ମନେ ମନେ ଆଶ୍ୱସ୍ତ ହେଲେ–ପ୍ରଭାତ ବାବୁଙ୍କର ମନଖୋଲା, ବନ୍ଧୁତ୍ୱ–ପୂର୍ଣ୍ଣ ହସ ଦେଖି । ସୁପ୍ରିୟା ଦେବୀ ଲୋକ ଚିହ୍ନିବାରେ ଭୁଲ୍‌ କରିନାହାନ୍ତି ।

 

–‘‘ଓହୋ–ରାମ ?’’ ପ୍ରଭାତ ବାବୁ ଆମ୍ବଗଛର ବଡ଼ ଚେରଟା ଉପରେ ବସି ପଡ଼ିଲେ । ‘‘ସେ ଜଣେ ବଡ଼ ଭକ୍ତ ଛବି–ସୁପ୍ରିୟାର, ତେଣୁ ମୋ ପ୍ରତି ତାର ଧାରଣା ଭଲଇ । ଆଶା କରେ ଆପଣ ସୁପ୍ରିୟା କଥା ବି’ ଶୁଣିଛନ୍ତି ତାଠୁ ?’’

 

–‘‘ତା’ ଛଡା ଆହୁରି ଅନେକ କଥା ବି । ସମୁଦ୍ର କୂଳକୁ ଛବି ଆଙ୍କିବାକୁ ଯାଉଛନ୍ତି ବୋଧେ ?’’ ବୟସର ଏତେ ପାର୍ଥକ୍ୟ ସତ୍ୱେ ଲୋକଟା ପ୍ରତି ଗୋଟେ ସାଧାରଣ ବନ୍ଧୁତା ଅନୁଭବ କରୁଥିଲେ ଶଶାଙ୍କ ବାବୁ ।

 

–‘‘ସେଇଆ ତ’ ଉଦ୍ଦେଶ୍ୟ’’–କିନ୍ତୁ ପ୍ରଭାତବାବୁଙ୍କ ଢଙ୍ଗଢାଙ୍ଗରୁ ତାଙ୍କର ଏ ଉଦ୍ଦେଶ୍ୟ ସ୍ପଷ୍ଟ ହେଲାନି । ସେ ଦି’ ଗୋଡ଼ ଲମ୍ବେଇ ଆମ୍ବଗଛକୁ ଆଉଜି ବସିଥିଲେ ଆଉ ଅନ୍ୟମନସ୍କ ଭାବରେ ଘାସଟେ ଛିଣ୍ଡେଇ ଦାନ୍ତରେ କାଟୁଥିଲେ । –ହଠାତ୍ ଗୋଟେ ଅବାସ୍ତବ ପ୍ରସ୍ତାବ କରିବସିଲେ ସେ, ‘‘ମୁଁ ଆପଣଙ୍କର ଗୋଟେ ଛବି ଆଙ୍କିବି । ପୋର୍ଟରେଟ୍–ଆପଣଙ୍କର କିଛି ଆପତ୍ତି ନାହିଁ ତ ?’’

 

‘‘ମୋର ଛବି ?’’ ଶଶାଙ୍କ ବାବୁ ଆକାଶରୁ ପଡ଼ିଲେ ଯେପରି–ହାତରୁ ତାଙ୍କର ଖସି ପଡ଼ିଲା ପଢ଼ୁଥିବା ଖବରକାଗଜ ଖଣ୍ଡ ।

 

–‘‘କାଲି ରାତିରେ ଡା:ରବିନ୍‌ସ ଗୋଟେ ଅଦ୍ଭୁତ କଥା କହିଲେ । ସେ କହୁଥିଲେ ମୃତ୍ୟୁକୁ ପ୍ରାୟ ଅପେକ୍ଷା କରୁଥିବା କୌଣସି ଲୋକ ଆପଣଙ୍କ ଭଳି ଶାନ୍ତ, ନିର୍ବିକାର ରହିବା ସେ କେଉଁଠି ଦେଖି ନାହାନ୍ତି ।’’ ଝଲକାଏ ଖରା ଆସି ପଡ଼ିଥିଲା ପ୍ରଭାତ ବାବୁଙ୍କ ଆଖିରେ ।

 

–‘‘କିନ୍ତୁ ସେଥିରେ ଏମିତି ପ୍ରଶଂସାର କଣ ଅଛି–ତା’ ଛଡା ଅନ୍ୟ ଉପାୟ ନାହିଁ ଯେତେବେଳେ ? ବରଂ ପ୍ରକୃତ କଥା ଜାଣିଥିବାର ଅନିଶ୍ଚିତର ଆଶଙ୍କାରେ ମୁଁ ଶଙ୍କିତ ନୁହେଁ ।’’ ଶଶାଙ୍କ ବାବୁ ନିର୍ଲିପ୍ତ ଭାବରେ କହିଲେ ।

 

–‘‘କିନ୍ତୁ ମରିବାଟାକୁ ଏଡ଼େ ନିର୍ବିବାଦରେ କଣ ସମସ୍ତେ ନେଇ ପାରନ୍ତେ–ଆପଣଙ୍କ ଭଳି ?’’ ପ୍ରଭାତବାବୁ ରହି ରହି ପଚାରିଲେ । ତା’ ପରେ ଶଶାଙ୍କ ବାବୁଙ୍କୁ କିଛି କହିବାର ଅବସର ନଦେଇ କହିଲେ–‘‘ମରିବାକୁ ଯଦି ହୁଏ ତେବେ ହଠାତ୍ ମରିବା ଭଲ, ଜଣକୁ ମରିବୁ’ ମରିବୁ’ କହି ତିଳ ତିଳ କରି ମରିବା–ଉଃ–ସେ ଅତି ନିଷ୍ଠୁରତା ।’’ ସେ ଦି’ ହାତରେ ଆଖି ଚାପି ଧରିଲେ-

 

–‘‘ଉପାୟ ନାହିଁ ଯେ–ତା’ ଛଡା ଅପମୃତ୍ୟୁ’’–ଶଶାଙ୍କ ବାବୁ ଇତସ୍ତତ କଲେ । ପ୍ରକୃତରେ କଣ କହିବେ ଭାବି ଠିକ୍ କରି ପାରିଲେନି ସେ ।

 

–‘‘ନାଁ ମତେ ଯେବେ କାହାକୁ କେବେ ମାରିବାକୁ ପଡ଼େ ’’ ଅଳ୍ପ ହସି କହିଲେ ପ୍ରଭାତ ବାବୁ–‘‘ମୁଁ ଅନ୍ତତଃ ଦେଖିବି ଯେ ମିନିଟକରେ ଦଶଥର ମରିବାକୁ ନ ପଡ଼େ ତାକୁ ।’’

 

ଶଶାଙ୍କ ବାବୁ ଟିକେ ବ୍ୟସ୍ତ ଭାବରେ ଯୁକ୍ତି କଲେ–‘‘କିନ୍ତୁ ଧରନ୍ତୁ ଜଣଙ୍କୁ ଆପଣ ଖୁନ୍ କଲେ । ଆପଣଙ୍କ କଥା ଅନୁସାରେ ଦେଖିଲେ ତା’ ପ୍ରତି ନିଷ୍ଠୁରତା ହବନିକି–ଯଦି ଆଗରୁ ଜାଣି ପାରି ସେ ପ୍ରସ୍ତୁତ ନ ଥାଏ ?’’

 

–‘‘କେମିତି ?’’ ପ୍ରଭାତ ବାବୁଙ୍କ ମୁହଁ ଗମ୍ଭୀର ଦିଶିଲା ।

 

–‘‘ଯଦି ଆଗରୁ ସେ ଜାଣନ୍ତା ଯେ ଆପଣ ତାକୁ ଖୁନ୍ କରିବାକୁ ଯାଉଚନ୍ତି, ତେବେ ସେ ସାବଧାନ ହୁଅନ୍ତା । ସେତେବେଳେ ତା’ ବୁଦ୍ଧି ସହିତ ତୁଳନା ହୁଅନ୍ତା ଆପଣଙ୍କ ବୁଦ୍ଧିର । ହୁଏତ ଶେଷ ପର୍ଯ୍ୟନ୍ତ ଆପଣ ହାରି ଯା’ ନ୍ତେ–ଆଉ ସେ ବଞ୍ଚି ଯା’ନ୍ତେ । ଫଳରେ ଆପଣ ବି’ ଅନେକ ହଇରାଣରୁ ରକ୍ଷା ପା’ନ୍ତେ । ଜାଣିଥିବେ ତ–ଏମିତି ଗୋଟେ କଥା କଲେ ଧରା ପଡ଼ନ୍ତି ପ୍ରାୟ ସମସ୍ତେ ।’’ ଶଶାଙ୍କ ବାବୁ ମୁହଁ ବୁଲେଇଲେ–ନିଶ୍ଚୟ ୟା ଉପରେ ପ୍ରଭାତ ବାବୁଙ୍କର କହିବାର କିଛି ନ ଥିବ ! ସେ ଲନ୍ ଆଡ଼କୁ ଆଖି ପକେଇ ଚମକି ପଡ଼ିଲେ–ଲନ୍‍ର ଫୁଲଗଛ ଗୁଡାକ ପ୍ରତି ଭ୍ରୂକ୍ଷେପ ନ କରି ତାକୁ ଦଳି ମକଚି ଦୌଡ଼ି ଆସୁଥିଲା ରମେଶ, ନିଶ୍ଚୟ ତା’ର କୁକୁର ।

 

–‘‘ପ୍ରଭାତ ବାବୁ–ମୋ କୁକୁର–ମୋ ମିନୁ କୁଆଡ଼େ ଗଲା ଦେଖିଚନ୍ତି ?’’ ରମେଶ ବ୍ୟସ୍ତ ଭାବରେ ପଚାରିଲା ।

 

–‘‘କୁକୁର ? –ମୁଁ ତ–’’ ପ୍ରଭାତ ବାବୁ ଅଟକି ଗଲେ ।

 

–‘‘ଆପଣ ଦେଖି ନାହାନ୍ତି ତ ? ରମେଶ ଶଶାଙ୍କ ବାବୁଙ୍କ ମୁହଁକୁ ବ୍ୟଗ୍ର ଭାବେ ଚାହିଁଲା-। ଶଶାଙ୍କ ବାବୁ ମୁହଁ ନୁଆଁଇଲେ । ତାଙ୍କର ଖାଲି ମନେ ହଉଥିଲା ଯେ–ବୋଧେ ଏଥର ମିନୁକୁ ଆଉ ଖୋଜି ପାଇବନି ରମେଶ ।

 

–‘‘କାଲି ରାତିରୁ ଖୋଜି ଖୋଜି ପାଉନି ତାକୁ । କାଲି ବଜାରକୁ ଯାଇଥିଲି ବାବାଙ୍କ ସାଥୀରେ । କେଡ଼େ ସୁନ୍ଦର ବଲ୍ ଟେ ଆଣିଥିଲି ତା’ ପେଇଁ । ସେତିକିବେଳୁ ଖୋଜୁଚି ତାକୁ । ରାତି ବେଶି ହୋବରୁ ମାଁ କହିଲେ ସକାଳୁ ମିଳିବ ବୋଲି–ଆଜି ଆସି ଏତେବେଳ ହେଲାଣି–’’ ସେ ପ୍ରାୟ କାନ୍ଦି ପକେଇଲା । ତା ହାତରେ ଥିଲା–ରଙ୍ଗୀନ୍ ଗୋଟେ କାଠବଲ ।

 

–‘‘ରମେଶ’’–ମିସେସ୍ ସରକାର ଧୀର ପାଦରେ ଆଗେଇ ଆସିଲେ । ରମେଶ ଉତ୍ତର ନ ଦେଇ ଗମ୍ଭୀର ଭାବରେ ତାଙ୍କ ଆଡ଼କୁ ଚାହିଁଲା ।

 

–‘‘କହିଲି ତ ଆଉ ଗୋଟେ ଚମତ୍କାର ଜାପାନୀ କୁକୁର ଆଣି ଦେବି–ସେଇଟାକୁ ତୁ ପକେଟରେ–’’ ମିସେସ୍ ସରକାର ପୁଅ ମୁଣ୍ଡରେ ହାତ ରଖିଲେ ।

 

ଦୂରକୁ ଘୁଞ୍ଚିଯାଇ ଧୀର ସ୍ୱରରେ ରମେଶ କହିଲା–

 

–‘‘ନାଁ ମୋର ଜାପାନୀ କୁକୁର ଦରକାର ନାହିଁ ।’’ ପ୍ରଭାତ ବାବୁଙ୍କ ପାଖକୁ ଆଗେଇ ଗଲା ସେ ।

 

–‘‘ଆସନ୍ତୁ ଟିକେ ଖୋଜିବା ପ୍ରଭାତ ବାବୁ–ସମୁଦ୍ରକୂଳରେ–’’ ବିରକ୍ତ ଭାବରେ ତା’ କଥାରେ ବାଧା ଦେଲେ ମିସେସ୍: ସରକାର ।

 

–‘‘ପ୍ରଭାତ ବାବୁ କୋଉଠୁ ଆଣିବେ ଶୁଣେ ? ମିନୁ ଆଉ ମିଳିବନି–’’ ସେ ପ୍ରଭାତ ବାବୁଙ୍କ ମୁହଁକୁ ଚାହିଁଲେ । ପ୍ରଭାତ ବାବୁ ମୁହଁ ପୋତି କ୍ୟମେରାଟା ଏପଟ ସେପଟ କରୁଥିଲେ ।

 

–‘‘ମିଳିବନି !’’ ଚିତ୍କାର କରି ଉଠିଲା ରମେଶ । ତା ମୁହଁ କାଗଜ ଭଳି ଧଳା ହେଇ ଯାଇଥିଲା । ସେ ପ୍ରାୟ ଦି’ମିନିଟ୍ ନିଶ୍ଚଳ ଭାବରେ ଠିଆ ହୋଇ ପଡ଼ିଲା । ତାର ଆଖି ଥିଲା ତା’ ମାଁଙ୍କ ମୁହଁ ଉପରେ । ତା ପରେ ଧୀର ସ୍ୱରରେ କହିଲା, ଅସମ୍ଭବ ଗମ୍ଭୀର ଭାବରେ–‘‘ବୁଝିଲି, ତମେମାନେ ସମସ୍ତେ ତାର ମରିବା ଚାହୁଁଥିଲ । ସେ ମରିଯାଇଚି–ତମେ ତାକୁ ମାରିଦେଇଚ । ମାଁ–ତମେ ମୋ ମିନୁକୁ ମାରିଦେଲ । ମୋ ମିନୁ–’’ ପାଗଳ ଭଳି ଦୌଡ଼ିଗଲା ସେ ଝାଉଁ ବଣ ଭିତରକୁ । ଶଶାଙ୍କ ବାବୁ ଟିକେ ଶିହରି ଉଠିଲେ । ତାଙ୍କର ମନେ ପଡ଼ୁଥିଲା ଗତ ରାତିର କଥା । ଶୋଇବାକୁ ବାରମ୍ବାର ଚେଷ୍ଟା କରି ବିଫଳ ହୋଇଥିଲେ ସେ । ଦୂରରୁ ଭାସି ଆସୁଥିଲା ଗୋଟେ ଶବ୍ଦ–ଗୋଟେ କୁକୁରର । ସେତେବେଳେ ସେ ଠିକ୍ ବୁଝିପାରି ନ ଥିଲେ ରହି କୁକୁରଟା ଏମିତି ବୁକୁଫଟା ଚିତ୍କାର କାହିଁକି କରୁଥିଲା ।

 

‘‘ଅସମ୍ଭବ ଜିଦ୍‌ଖୋର୍ ପିଲାଟା’’–ମିସେସ୍ ସରକାର ଚେୟାରଟାରେ ସଶବ୍ଦରେ ବସିପଡ଼ିଲେ । ଚମକିପଡ଼ି ଫେରି ଚାହିଁଲେ ଶଶାଙ୍କ ବାବୁ ।

 

ପ୍ରଭାତ ବାବୁ ଉଠି ପଡ଼ିଥିଲେ–

 

–‘‘ମୁଁ ତେବେ ଆସୁଚି ଶଶାଙ୍କ ବାବୁ । ଖାଇବା ପରେ ସବୁଦିନେ ଯଦି ମତେ ଘଣ୍ଟାଏ ଖଣ୍ଡେ ସମୟ ଦିଅନ୍ତି–ପ୍ରକୃତରେ ଡେରି ଲାଗିବନି ଛବିଟା ଶେଷ ହେବାକୁ ।’’ ସେ ଲମ୍ବା ଲମ୍ବା ପାଦ ପକେଇ ଚାଲିଗଲେ।

 

ଅପ୍ରସ୍ତୁତ ହେଇ ଶଶାଙ୍କ ବାବୁ ମିସେସ୍ ସରକାରଙ୍କ ଆଡ଼କୁ ଚାହିଁଲେ । ଭଦ୍ର ମହିଳାଙ୍କ ବୟସ ତିରିଶରୁ ଖୁବ୍ ବେଶି ହବନି ବୋଧେ–କିନ୍ତୁ ମୁହଁଟା କି ଶକ୍ତ ।

 

–‘‘ଆପଣ ଶଶାଙ୍କ ବାବୁ ତ ?’’ ସେ କିଛି ମାତ୍ର ବିରକ୍ତ ନ ହେଇ ପଚାରିଲେ ।

 

–‘‘ମୁଁ ଏ ମଧ୍ୟରେ ବେଶ୍ ପ୍ରସିଦ୍ଧ ହେଇ ପଡ଼ିଚି ’’–କିଛି ଉତ୍ତର ନ ଦେଇ ଭାବୁଥିଲେ ଶଶାଙ୍କ ବାବୁ ।

 

–‘‘ମୁଁ ମିସେସ୍ ସରକାର–କମଳା ସରକାର’’–ଉତ୍ତରର ଅପେକ୍ଷା ନ କରି ସେ ନିଜର ପରିଚୟ ଦେଲେ ।

 

‘‘ପରିଚିତ ହୋଇ ଖୁସି ହେଲି । ମୋ’ରି ନାଁ ଶଶାଙ୍କ । ଶଶାଙ୍କ ବାବୁ ରହି ରହି ପୁଣି ଯୋଗ କଲେ–‘‘ରମେଶକୁ ବେଶ୍ ଲକ୍ଷ୍ୟ କରିଚି । ମୋର ମନେ ହୁଏ ଏଡ଼େ ଅଳ୍ପ ବୟସରେ ବି’ ସେ ଅସ୍ୱାଭାବିକ ଭାବପ୍ରବଣ–ଆଉ ଇଏ’’–ସେ କଥା ଖୋଜି ପାଇଲେନି ।

 

ମିସେସ୍ ସରକାର ଟିକେ ଚିନ୍ତିତ ଭାବରେ କହିଲେ, ‘‘ହଁ କୁକୁରଟାକୁ ଭାରୀ ଭଲ ପାଉଥିଲା ସେ । ବୋଧେ ସେଇଟାକୁ ମାରିଦେବା ଠିକ୍ ହେଇନି । କୁମାର କହିଲା ତାକୁ ଡାକ୍ତର କୁଆଡ଼େ କହୁଥିଲେ କୁକୁରଟାର ଯୋଉ ଘା ହୋଇଥିଲା ସେଇଟା ପିଲାଙ୍କୁ ଡିଏଁ ।’’ ଅଳ୍ପ ହସି ସେକଥା ଶେଷ କଲେ–‘‘ପିଲାଲୋକ ଦି’ ଦିନରେ ଭୁଲିଯିବ ।’’

 

‘‘ସବୁପିଲା ଭୁଲନ୍ତନି’’–ଶଶାଙ୍କ ବାବୁ ମତ ପ୍ରକାଶ କଲେ ଖୁବ୍ ସ୍ୱରରେ–ଯଦିଓ ସେ ନିଜେବି’ ବୁଝି ପାରୁନଥିଲେ ଏକଥା ସେ କାହିଁକି କହୁଚନ୍ତି ।

 

–‘‘ନାଁ ସମସ୍ତେ ଭୁଲନ୍ତନି । ମୁଁ ବି’ ଭୁଲେନି’’ କେଜାଣି କାହିଁକି ଅନ୍ୟମନସ୍କ ଭାବରେ କହିଲେ ମିସେସ୍ ସରକାର ।

 

–‘‘ସମସ୍ତେ ଭୁଲନ୍ତନି’’–ସେ ଉଠି ପଡ଼ିଲେ । ଦି’ ପାଦ ଆଗେଇ ଫେରି ଆସିଲେ ପୁଣି–

 

–‘‘ଆଜି ସନ୍ଧ୍ୟାରେ ଆପଣ ଆମ ଘରେ ଚା’ ଖାଇବେ ଶଶାଙ୍କ ବାବୁ’’–ସେ କହିଲେ ଗମ୍ଭୀର ଭାବରେ–‘‘ମୋର ସ୍ୱାମୀ ଆପଣଙ୍କ ସହିତ ପରିଚିତ ହେଲେ ଖୁସୀ ହେବେ ।’’

 

‘‘ମୁଁ ? –ମୁଁ ତ’’–ଶଶାଙ୍କ ବାବୁ ମିସେସ୍ ସରକାରଙ୍କ ପରିବାରର ଗୋଳମାଳ ଭିତରେ ନ ପଶିବାକୁ ଶେଷଥର ପାଇଁ ଚେଷ୍ଟା କଲେ ।

 

–‘‘ନାଁ ଆପଣ ଆସିବେ, ବାହାରଲୋକ କେହି ନାହିଁ, କେବଳ ଡା:ରବିନ୍‌ସ୍‌ । ନିଶ୍ଚୟ ଆସିବେ’’–

 

ଏଥର ବି’ ଅପେକ୍ଷା ନ କରି ଚାଲିଗଲେ ସେ ।

 

–‘‘ଅତି ଅଦ୍ଭୁତ–ଅତି ଅଦ୍ଭୁତ’’ ମନକୁ ମନ କହୁଥିଲେ ଶଶାଙ୍କ ବାବୁ ।

 

–୬–

 

ଗୋଳମାଳରେ ପଶିବା ଇଚ୍ଛା ନ ଥିଲେବି’ ଶଶାଙ୍କ ବାବୁ ଯିବାକୁ ଠିକ୍ କଲେ ଶେଷ ପର୍ଯ୍ୟନ୍ତ । ନିଜ ମନକୁ ସେ ବୁଝେଇବାକୁ ଚେଷ୍ଟା କରୁଥିଲେ ଯେ ଏ ଆଗ୍ରହଟା ଅନ୍ୟ କିଛି ନୁହେଁ । କେବଳ ନିଜର ଆସନ୍ନମୃତ୍ୟୁ କଥାଟାକୁ ମନର ଚିନ୍ତାଧାରାଠାରୁ ଦୂରକୁ ରଖିବାକୁ ତାଙ୍କର ଇଏ ଗୋଟେ ଚେଷ୍ଟା ।

 

–‘‘ହେଇ ଯେ ଶଶାଙ୍କବାବୁ’’–ମିସେସ୍ ସରକାର ଆଗେଇ ଆସି ଅଭ୍ୟର୍ଥନା କଲେ-

 

ଲନ୍ ରେ ବେତର ଛୋଟ ଟେବୁଲ୍ ଚେୟାର କେତୋଟା ପଡ଼ିଥିଲା–ତା’ରି ଭିତରୁ ଗୋଟାଏ ପାଖକୁ ଆଗେଇ ଯାଇ ପରିଚୟ କରେଇ ଦେଲେ ମିସେସ୍ ସରକାର ।

 

–‘‘ମୋ ସ୍ୱାମୀ–ଶଶାଙ୍କ ବାବୁ’’–ଶଶାଙ୍କ ବାବୁ ନମସ୍କାର କରି ଭାବୁଥିଲେ–ତାଙ୍କ ଅନୁମାନ ଠିକ୍ । ୟାଙ୍କୁଇ ସେ କାଲି ମିସେସ୍ ସରକାରଙ୍କ ସହିତ କଥାବାର୍ତ୍ତା କରିବାର ଦେଖିଥିଲେ-

 

–‘‘କମଳାର ସ୍ୱାମୀ–ଏଇଟା ମୋ ନାଁ ନୁହେଁ କମଳା, ବରଂ ମୋ ନିଜ ନାଁଟା କହିଥିଲେ କହି ପାରିଥାନ୍ତ । ମୁଁ ‘ପ୍ରବୀର ସରକାର’ ଶଶାଙ୍କ ବାବୁ, ବସନ୍ତୁ–ସେ ଦିନ ଡା: ରବିନ୍‌ସ୍‌ ଆପଣଙ୍କ କଥା କହୁଥିଲେ । ଆଉ ମୋର ଯାହା ମନେହୁଏ–ଆପଣ ଏତିକି ଅଳ୍ପଦିନ ଭିତରେ ମୋ ପୁଅ ସାଙ୍ଗରେ ବି’ ଖୁବ୍ ବନ୍ଧୁତ୍ୱ କରି ପାରିଛନ୍ତି । ପ୍ରବୀର ବାବୁ କଥା ଶେଷକରି ରମେଶକୁ ଚାହିଁଲେ । ଶଶାଙ୍କ ବାବୁ ବି’ ବୁଲି ଚାହିଁଲେ; ଦୂର ଛଡା ହୋଇ ଏକୁଟିଆ ବସିଥିଲା ସେ ।

 

–‘‘ଆକସ୍ମିକ ଭାବରେ ତା’ ସହିତ ମୋର ଚିହ୍ନା ହେଲା । ମୁଁ ଆସିବାର ଦି’ଦିନ ପରେ ତ-। କିନ୍ତୁ’’–ଶଶାଙ୍କ ବାବୁ ଆଖି ଫେରେଇ ନେଲେ । ନିଜ ମନରେ ରାଗ ଓ ବିରକ୍ତି ।

 

–‘‘କିନ୍ତୁ ଚେଷ୍ଟା କରିଥିଲେ ବି’ ଆପଣ ତା’ ସହିତ ୟାଠୁ ଭଲ ଚିହ୍ନା କରି ପାରି ନ ଥାନ୍ତେ । ମିନୁ ବୋଲି ତା’ କୁକୁରଟାକୁ ଯେ ଭଲ ପାଇଥିଲା–ସେ ତା’ର ପରମବନ୍ଧୁ ଆଉ ଯେ ତା’ ମିନୁକୁ ଭଲ ନ ପାଏ’’–ପ୍ରବୀର ବାବୁ କଥା ଶେଷ ନ କରି ଅଳ୍ପ ହସିଲେ ।

 

ବିରକ୍ତ ଭାବରେ ଉଠି ପଡ଼ିଲେ ମିସେସ୍ ସରକାର–

 

–‘‘ସେ କଥା ଶୁଣି ପୁଣି ଉଠେଇବାର ଦରକାରଟା ଯେ କଣ ମୁଁ ବୁଝିଲିନି ।’’ ସେ ରମେଶ ପାଖକୁ ଯାଇଁ ଜଳଖିଆ ପ୍ଲେଟ୍‌ଟା ତା ଆଡ଼କୁ ବଢ଼େଇ ଦେଲେ ।

 

ରମେଶ ତାଙ୍କ ହାତକୁ ଟିକେ ଚାହିଁ, ହଠାତ୍ କଣ ଭାବି ଉଠି ପଡ଼ିଲା । ତା’ ପରେ–‘‘ନାଁ ମୁଁ ଖାଇବିନି’’–କହି ଚାଲିଗଲା ଘର ଆଡ଼େ ।

 

–‘‘କିନ୍ତୁ’’–ମିସେସ୍ ସରକାର ନିଜ ହାତକୁ ଚାହିଁଲେ, ତାଙ୍କ ମୁହଁ ବିବର୍ଣ୍ଣ ହେଇଗଲା ।

 

–‘‘ମୁଁ ତ ତୋ ମିନୁକୁ ମାରିନି ରମୁ–କୁମାର ଦାଦା କହିଲାରୁ ସିନା’’–ରମେଶ ବୋଧେ ତାଙ୍କ କଥା ଶୁଣି ପାରି ନ ଥିଲା । ସେ ବାରଣ୍ଡାରେ ଉଠି ଘର ଭିତରକୁ ଚାଲି ଯାଇ ସାରିଥିଲା ।

 

ଶଶାଙ୍କ ବାବୁ ବୁଝିଲେ ଯେ ଆଉ ଟେବୁଲଟାରେ ନଗେନ୍ଦ୍ର ବାବୁ, ଡ: ରବିନ୍‌ସ ଆଉ ସୁପ୍ରିୟା ଦେବୀଙ୍କ ସହିତ ତଳକୁ ମୁହଁ ଅନ୍ୟ ଯୋଉ ଜଣକ ଚା’ ଖାଉଥିଲେ ସେଇ ହେଲେ–କୁମାର ବାବୁ । ବୋଧେ କୁମାର ବି ଅସ୍ୱସ୍ତି ବୋଧ କରୁଥିଲେ । ତାଙ୍କ ହାତ ଥରୁ ଥିଲା ବୋଲି–ଚା କପ୍ ଟା ଅଳ୍ପ ଶବ୍ଦ କରି ପ୍ଲେଟ ଉପରେ ଥୁଆ ହେଲା ।

 

ମିସେସ ସରକାର ପ୍ଲେଟ୍ ଟା ଟେବଲ୍‍ ଉପରେ ଥୋଇ ଦେଇ କପାଳରୁ ଝାଳ ପୋଛିଲେ ।

 

–‘‘ଆଶ୍ଚର୍ଯ୍ୟ ପିଲା–ଏତେ କମ୍ ବୟସରେ‘‘–ଡା: ରବିନ୍‌ସ୍‌ ଗମ୍ଭୀର ଭାବରେ ମୁଣ୍ଡ ହଲାଉଥିଲେ ।

 

‘‘ମୁଁ ମୂଳରୁ କହିଥିଲି ଏମିତି ହବ–ତମେ ମୋ କଥା ଶୁଣିଲନି’’–ବ୍ୟସ୍ତ ଭାବରେ କହିଲେ ସୁପ୍ରିୟା ଦେବୀ ।

 

–‘‘ଦୟା କରି ଚୁପ୍ କର ଛବି–ପିଲା କେମିତି ପାଳିବାକୁ ହୁଏ–ସେ ବିଷୟରେ ତୋଠୁ ଉପଦେଶ ନବାର ଦରକାର ହେଲେ ଜଣେଇବି । ରମେଶକୁ ଏତେ ଅବାଧ୍ୟ ହବାକୁ ଶିଖେଇଚୁ ତୁ–ତାକୁ ବେଶି ଆଦର କରି । କିନ୍ତୁ ମୁଁ ମୋ ପୁଅକୁ ଅବାଧ୍ୟ ହବାକୁ ଦେବିନି । ଆଉ ମନେରଖ–ତତେବି’ ନୁହେଁ ।’’ ମିସେସ୍ ସରକାର ତୀକ୍ଷ୍‌ଣ ଦୃଷ୍ଟିରେ ସୁପ୍ରିୟା ଦେବୀଙ୍କ ମୁହଁକୁ ଚାହିଁଲେ । ଶଶାଙ୍କ ବାବୁ ଲଜ୍ଜିତ ହେଇ–ଆଖି ଫେରେଇ ନେଲେ ।

 

ଆଖି ପଡ଼ିଲା କୁମାର ବାବୁଙ୍କ ମୁହଁ ଉପରେ, ତାଙ୍କ ମୁହଁ କେମିତି ଉଜ୍ଜ୍ୱଳ ଦିଶୁଥିଲା–ଭାରି ନିଷ୍ଠୁର ବି, ଶଶାଙ୍କ ବାବୁ କାବ୍‌ବା ହୋଇଗଲେ–ଏମାନେ ସମସ୍ତେ କଣ ସାଧାରଣ ମଣିଷ ।

 

‘‘ଛବି ଯଥେଷ୍ଟ ବଡ଼ ହେଇଚି କମଳା–ଭଲ ମନ୍ଦ ନିଜେ ଠିକ୍ କରିବାକୁ । ତା’ଛଡା କିଏ ତମର ଅବାଧ୍ୟ ହେଲାକି ନାହିଁ କେମିତି ଖବର ରଖିବ ତମେ ? ତା’ର ପ୍ରତିଟି କାମ ବିଷୟରେ କୈଫିୟତ ନବା ସମ୍ଭବ ହବକି ?’’ ପ୍ରବୀର ବାବୁ ହାଲ୍‌କା ହସଟା ସେ ଆବହାବାରେ କେମିତି ନିରର୍ଥକ ମନେ ହେଲା ।

 

–ମୁଁ କିନ୍ତୁ କିଏ କଣ କରୁଚି ଠିକ୍ ଜାଣି ପାରିବି । ହେଇ ସେ ଦିନ କୁମାର–ମୁଁ ସବୁ ଜାଣେ ।’’ ମିସେସ୍ ସରକାର କୁମାର ବାବୁଙ୍କ ମୁହଁକୁ ଚାହିଁ ଚୁପ କଲେ–କିନ୍ତୁ ତାଙ୍କ ଓଠରେ ସେ ଧାରୁଆ ହସଟା ଲାଗି ରହିଥିଲା ।

 

କୁମାର ବାବୁଙ୍କ ମୁହଁର ସେ ଉଜ୍ଜ୍ୱଳତା କୁଆଡ଼େ ଗଲା–ରକ୍ତହୀନ ମୁହଁ ବୁଲେଇ ଥରେ ସବୁରି ମୁହଁକୁ ଚାହିଁଲେ । ତା’ପରେ ସେ ଆଖି ନୁଆଁଇଲେ ।

 

ଡା:ରବିନ୍‌ସ ପରିବର୍ତ୍ତନ କରିବା ଉଦ୍ଦେଶ୍ୟରେ ପଚାରିଲେ ।

 

–‘‘ଆପଣମାନଙ୍କ ଯିବା ତେବେ ବନ୍ଦ ରହିଲା ?’’

 

–‘‘କଣ କରିବା ଅନ୍ୟ କିଛି ଉପାୟ ନାହିଁ । ଏଡ଼େ ଶକ୍ତ ବେମାରୀରୁ ଉଠିଲା କମଳା–ତା’ର ବିଶ୍ରାମ ଦରକାର ବୋଲି ଡାକ୍ତର କହିଲା ପରେ’’–

 

–‘‘ପ୍ରଭାତ ବାବୁ ବି’ ରହୁଚନ୍ତି–ଆପଣମାନେ ବି’ । ବେଶ୍ କଟିଲା କିନ୍ତୁ ଏଥର ଦିନ ଗୁଡା,’’ ଏତେବେଳ ପରେ ନଗେନ୍ଦ୍ର ବାବୁ ଧୀର ସ୍ୱରରେ କହିଲେ ।

 

–‘‘ପ୍ରଭାତ ବାବୁ ରହିବେ ? କିନ୍ତୁ ଆମ ଛବି ତ’ କୁମାର ସାଙ୍ଗରେ କଲିକତା ଫେରି ଯାଉଚି ?’’ ପ୍ରବୀର ବାବୁ ସୁପ୍ରିୟା ଦେବୀଙ୍କ ମୁହଁକୁ ଚାହିଁ ଆଖି ମିଟିକା ମାରିଲେ । ତା’ ପରେ ସ୍ତ୍ରୀଙ୍କ ମୁହଁକୁ ଚାହିଁ ପଚାରିଲେ–

 

‘‘ଆଚ୍ଛା କମଳା–ଆଜି କଣ ପ୍ରଭାତ ବାବୁଙ୍କୁ ଡାକି ନ ଥିଲ ତେବେ ?’’

 

‘‘ଛବିର ଯିବା ନ ଯିବା ସାଥିରେ ପ୍ରଭାତ ବାବୁଙ୍କର ଯେ କି ସଂପର୍କ–ମୁଣ୍ଡ ଉପରେ ପରୀକ୍ଷା, ଛବିର ତ’ ଏଇଟା ସମୟ ନଷ୍ଟ କରିବା ବେଳ ନୁହେଁ ?’’ ମିସେସ୍ ସରକାର ବାଁ ହାତର ମୁନିଆଁ କାଣି ଆଙ୍ଗୁଠି ନଖଟାକୁ ରୁମାଲରେ ପୋଛୁଥିଲେ ।

 

–‘‘ଶୀତ ଏଠି ପଡ଼େ କେମିତି ?’’ ଶଶାଙ୍କ ବାବୁ ଡ: ରବିନ୍‌ସଙ୍କୁ ପଚାରିଲେ ।

 

‘‘ସମୁଦ୍ରକୂଳ କି ନା, ଶୀତ ଅପେକ୍ଷାକୃତ କମ୍ ।’’ ଡା:ରବିନ୍‌ସ ଶଶାଙ୍କ ବାବୁଙ୍କ କଥାର ଉତ୍ତର ଦେଲେ ଅନ୍ୟମନସ୍କ ଭାବରେ ।

 

–‘‘ଡା:ରବିନ୍‌ସ କହୁଥିଲେ–ଆପଣ ବି’ ସ୍ୱାସ୍ଥ୍ୟ ପରିବର୍ତ୍ତନ ପାଇଁ ଏଠିକି ଆସିଛନ୍ତି ଶଶାଙ୍କ ବାବୁ’’ ପ୍ରବୀର ବାବୁ ପଚାରିଲେ ।

 

–‘‘ପରିବର୍ତ୍ତନ ? –କିନ୍ତୁ ମୋ ସ୍ୱାସ୍ଥ୍ୟର ପରିବର୍ତ୍ତନ ହବା ଆଶା ଖୁବ୍ କମ୍ କି ନା ? ମୋ ଦେହ ଭଲ ହବନି ।’’ ଶଶାଙ୍କ ବାବୁ କେମିତି ଗୋଟେ ବିଶିଷ୍ଟତା ଅନୁଭବ କଲେ–ସମସ୍ତେ କଣ ତାଙ୍କ ଭଳି ମୃତ୍ୟୁର ଅପେକ୍ଷା କରିପାରିବେ ? –ଏମିତି ନିର୍ବିକାର ଭାବେ !

 

–‘‘ଏଁ ? କିନ୍ତୁ ତା’ହେଲେ ତ ଆପଣଙ୍କୁ ଖୁବ୍ ଖରାପ ଲାଗୁଥିବ ?’’ ବିସ୍ମିତ ଭାବରେ ମିସେସ ସରକାର ପଚାରିଲେ ।

 

–‘‘ନିଶ୍ଚୟ–ଅବଶ୍ୟ ମରିବାକୁ ଯାଉଚି ଅନିବାର୍ଯ୍ୟ ଭାବେ–ତା’ ଜାଣିବା ପରେ ଯଦି ଭଲ ବା ଖରାପ ଲାଗିବା ସମ୍ଭବପର ହୁଏ ।’’ ଶଶାଙ୍କ ବାବୁ ନିଜେ କଥାଟା ବୁଝିଲେ ବି ବୁଝେଇ ପାରିଲେ କି ନାହିଁ ବୁଝି ପାରିଲେନି ।

 

–‘‘ଅବଶ୍ୟ ଆପଣଙ୍କୁ ଯେ ନିଶ୍ଚୟ ମରିବାକୁ ପଡ଼ିବ–ୟାର ବି କିଛି ନିଶ୍ଚୟତା ନାହିଁ-।’’ ଡା: ରବିନ୍‌ସ ମୃଦୁ ପ୍ରତିବାଦ କଲେ–ତାଙ୍କର ସେ ପ୍ରତିବାଦ ଏଡ଼େ ଦୁର୍ବଳ ଯେ ଶଶାଙ୍କ ବାବୁଙ୍କ ଛାତିର ସ୍ପନ୍ଦନ ବଢ଼ିଗଲା ।

 

–‘‘ମରିବାକୁ ଆପଣ ଭୟ କରନ୍ତିନି ତେବେ ମୁଁ ତ କଳ୍ପନା କରି ପାରୁନି–ମରିବା ଭୟ ନ ଥିବା ଲୋକ ବି’ ଥାଇ ପାରନ୍ତି’’–ଏଥର ମିସେସ୍ ସରକାର କହିଲେ ଚିନ୍ତିତ ଭାବରେ ।

 

–‘‘କିନ୍ତୁ ମରିବାକୁ ଭୟ ଥାଉ ବା ନ ଥାଉ–ମୃତ୍ୟୁ ଯେବେ ଆସେ–ମରିବାକୁ ହୁଏ ସବୁରିକି–ଠିକ୍ ରମେଶର ମିନୁ କୁକୁରଭଳି ।’’ ଖୁବ୍ ଧୀର କଣ୍ଠରେ କହିଲେ କୁମାର ବାବୁ । ଶଶାଙ୍କ ବାବୁଙ୍କ ଦେହ ଅକାରଣେ ଶୀତେଇ ଉଠିଲା । କିନ୍ତୁ ଯାହା କଥାର ଉତ୍ତର ଦେଲେ କୁମାର ବାବୁ, ସେଇ ମିସେସ୍ ସରକାର କିନ୍ତୁ ଅନ୍ୟମନସ୍କ ହେଇ ପଡ଼ିଥିଲେ । ତାଙ୍କ କାନକୁ କଥାଗୁଡା ଗଲା କି ନାହିଁ ଜାଣି ହେଲାନି ।

 

–‘‘ମଣିଷକୁ ମୋର ଡର ନାହିଁ, ମୋର ଡର ଖାଲି ମରିବାକୁ । ମିସେସ୍ ସରକାରଙ୍କ କଥା ରହସ୍ୟମୟ ଶୁଭିଲା ।

 

ଖୁବ୍ ପାଖରୁ କାହାର ଦୀର୍ଘନିଶ୍ୱାସର ଏକ ସ୍ପଷ୍ଟ ଶବ୍ଦ ଶୁଣି ବୁଲି ଚାହିଁଲେ ଶଶାଙ୍କ ବାବୁ, ଅନ୍ଧାରରେ କିନ୍ତୁ କିଛି ଦେଖିବାର ଉପାୟ ନଥିଲା ।

 

ଅନ୍ଧାରର ବାରଣ୍ଡାରେ ଚୁପଚାପ୍ ବସିଥିଲେ ଶଶାଙ୍କ ବାବୁ । ତାଙ୍କୁ ଦେଖି ଅଟକିଗଲେ ନଗେନ୍ଦ୍ର ବାବୁ ।

 

–‘‘ଅନ୍ଧାରରେ ବସିଛନ୍ତି ଯେ ?’’ ବ୍ୟଗ୍ର, ଭଦ୍ର କଣ୍ଠରେ ନଗେନ୍ଦ୍ର ବାବୁ ପଚାରିଲେ–ପୁରା ବ୍ୟବସାୟୀ ।

 

–‘‘ଅନ୍ଧାର ଭଲ ଲାଗୁଚି । ଯଦି କିଛି ମନେ ନ କରନ୍ତି ତେବେ...ଆଲୁଅ ଏଇକ୍ଷିଣା ଭଲ ଲାଗୁନି ମତେ ।’’ ଶଶାଙ୍କ ବାବୁଙ୍କ କଣ୍ଠରେ କ୍ଲାନ୍ତି ଉତ୍କଟ ।

 

–‘‘ଡା:ରବିନ୍‌ସ୍‌ ଆସିଥିଲେ ବୋଧେ ?’’ ନଗେନ୍ଦ୍ର ବାବୁ ଚେୟାର ଖଣ୍ଡେ ଟାଣି ବସି ପଡ଼ିଲେ ।

 

‘‘ଅଳ୍ପ ସମୟ ତଳେ ଗଲେ ସେ’’–ଶଶାଙ୍କ ବାବୁଙ୍କୁ ନଗେନ୍ଦ୍ର ବାବୁଙ୍କ ସାନ୍ନିଧ୍ୟ ମୋଟେ ଭଲ ଲାଗୁ ନଥିଲା । ତାଙ୍କ କାନରେ ବାଜୁଥିଲା ଡା: ରବିନ୍‌ସଙ୍କ କଥା–‘‘ଆପଣ ନିଜ ମନକୁ ମୋଟେ ବିଶ୍ରାମ ଦଉ ନାହନ୍ତି–ଆହୁରି ସାବଧାନ ନ ହେଲେ–’’

 

ଭାବନାରେ ବାଧା ଦେଲେ ନଗେନ୍ଦ୍ର ବାବୁ–‘‘କଣ କରିବା କହିଲେ ଶଶାଙ୍କ ବାବୁ–ଗୋଟେ ବିଷୟରେ ଆପଣଙ୍କ ପରାମର୍ଶ ନବାକୁ ଠିକ୍ କରିଚି ।’’

 

–‘‘ପରାମର୍ଶ ?’’ ଆକାଶରୁ ପଡ଼ିଲେ ଶଶାଙ୍କ ବାବୁ ।

 

–‘‘କମଳା–ମିସେସ୍ ସରକାର ମତେ ଅନୁରୋଧ କରିଛନ୍ତି ପ୍ରଭାତ ବାବୁଙ୍କୁ ହୋଟେଲରୁ ତଡ଼ି ଦବାକୁ’’ ଟିକେ କୁଣ୍ଠିତ ଭାବରେ କହିଲେ ନଗେନ୍ଦ୍ର ବାବୁ ।

 

–‘‘କାହିଁକି ?’’ ଶଶାଙ୍କ ବାବୁ ମୁହଁରେ ପଚାରିଲେ କିନ୍ତୁ ଭାବୁଥିଲେ ଅନ୍ୟକଥା । ନଗେନ୍ଦ୍ର ବାବୁ ମିସେସ୍ ସରକାରଙ୍କ ସହ ଏତେ ଅନ୍ତରଙ୍ଗ ଯେ ତାଙ୍କ ନାଁ ଧରି ମଧ୍ୟ ଡାକନ୍ତି ।

 

–‘‘କୁଆଡ଼େ ପ୍ରଭାତ ବାବୁଙ୍କ ବ୍ୟବହାର ଭଲ ନୁହେଁ ।’’

 

–‘‘କିନ୍ତୁ ଆପଣଙ୍କର ତ ତାଙ୍କୁ ତଡ଼ିବାର ଅଧିକାର ଥିବା କଥା ନୁହେଁ ?’’ ଏଥର ଶଶାଙ୍କ ବାବୁ ଜୋର୍ କରି କଥାଟାରେ ମନ ଦେଲେ ।

 

–‘‘ସାଧାରଣ ଅବସ୍ଥା ହେଲେ ସେ ଅଧିକାର ମୋର ରହନ୍ତାନି, କିନ୍ତୁ ପ୍ରଭାତ ବାବୁଙ୍କ ଉପରେ ଯେ ଦୁଇମାସର ଭଡ଼ା ବାକୀ ।’’ ନଗେନ୍ଦ୍ର ବାବୁ ନିରୂପାୟ ଭାବରେ କହିଲେ ।

 

–‘‘ଓହୋଃ–କିନ୍ତୁ–ଆଚ୍ଛା ନଗେନ୍ଦ୍ର ବାବୁ–ପ୍ରଭାତ ବାବୁଙ୍କ ଉପରେ ମିସେସ୍ ସରକାରଙ୍କର ଏତେ ରାଗ କାହିଁକି ?’’

 

ନଗେନ୍ଦ୍ର ବାବୁ ହଠାତ୍ କିଛି ଉତ୍ତର ଦେଲେନି । ଅନ୍ଧାରରେ ତାଙ୍କ ମୁହଁ ଦିଶୁ ନଥିଲା କିନ୍ତୁ ଶଶାଙ୍କ ବାବୁ ଅନୁମାନ କଲେ ଯେ ସେ ଇତସ୍ତତ କରୁଛନ୍ତି ।

 

–‘‘ସୁପ୍ରିୟା ଦେବୀଙ୍କ ସହିତ ପ୍ରଭାତ ବାବୁଙ୍କ ମିଳାମିଶାଟା ସେ ପସନ୍ଦ କରନ୍ତିନି’’ । ନଗେନ୍ଦ୍ର ବାବୁ ରହି କହିଲେ ।

 

‘‘ସେ କଥାତ ବୁଝିଲି–କିନ୍ତୁ–’’ ଶଶାଙ୍କ ବାବୁ ଅଟକିଗଲେ । ଅନ୍ଧାରରେ କିଏ ଜଣେ ଆସୁଥିଲା ।

 

–‘‘କିଏ ?’’ ସେ ପଚାରି ଉଠିଲେ ।

 

–‘‘ମୁଁ–ରମେଶ’’–ଅନ୍ଧାରରେ ନିଶ୍ଚଳ ଛାଇ ଭଳି ଠିଆ ହୋଇଥିଲା ସେ ।

 

–‘‘କଣ ରମେଶ–ମତେ ଖୋଜୁଚ ?’’ ଶଶାଙ୍କ ବାବୁ ଆଗ୍ରହରେ ପଚାରିଲେ–ବିଚାରା ମନରେ ଆଘାତ ଲାଗିଚି ବେଶ୍ ।

 

–‘‘ଗୋଟେ ଜିନିଷ ଆପଣଙ୍କୁ ରଖିବାକୁ ଦେବି, ଆପଣ ସେଇଟା ରଖିବେ । ଆଉ ମୁଁ ମାଗିଲେ’’–ରମେଶ ଛୋଟ କାଗଜ ପ୍ୟାକେଟ୍‌ଟେ ବଢ଼େଇ ଦେଲା ।

 

କାଗଜ ଭିତରୁ ବୋତଲଟାର ଉପସ୍ଥିତି ଅନୁଭବ କଲେ ଶଶାଙ୍କ ବାବୁ । ସେ ପକେଟରେ ରଖିଲେ ତାକୁ । ଅନ୍ୟ ଗୋଟେ ଖେୟାଲ ମୁଣ୍ଡରେ ଢୁକୁଛି–ଭଲ–ତା’ରି ଯୋଗୁ ପିଲାଟି ତା ମିନୁକୁ ଭୁଲି ଯାଇପାରେ । ରମେଶ ଅନ୍ଧାରରେ ଅଦୃଶ୍ୟ ହେଲା ।

 

–‘‘ହଁ ଯାହା କହୁଥିଲି । ପ୍ରଭାତ ବାବୁଙ୍କ ସହିତ ସୁପ୍ରିୟା ଦେବୀଙ୍କ ମିଳାମିଶାଟାକୁ ବୋଧେ ମିସେସ୍ ସରକାର ପସନ୍ଦ କରନ୍ତିନି–ତା’ ବୋଲି ଏଇ ନାପସନ୍ଦଟା ଏଡ଼େ ଉଗ୍ର ହବ ।’’ ଶଶାଙ୍କ ବାବୁ ବିରକ୍ତ ଭାବରେ କହିଲେ ।

 

–‘‘କମଳା–ମିସେସ୍ ସରକାର ଚିରଦିନ ଟିକେ ଜବରଦସ୍ତ ସ୍ୱଭାବର’’–ନଗେନ୍ଦ୍ର ବାବୁଙ୍କ କଥା ସରିବା ଆଗରୁ ପଚାରି ବସିଲେ ଶଶାଙ୍କ ବାବୁ–

 

–‘‘ଆପଣ ବହୁଦିନ ଧରି ମିସେସ୍ କମଳା ସରକାରଙ୍କୁ ଚିହ୍ନନ୍ତି ତେବେ ?’’

 

–‘‘ହଁ–ବହୁଦିନ ନୁହେଁ ତ କଣ ? ତା ପ୍ରାୟ ପନ୍ଦର ବର୍ଷ ହବ ।’’ ନଗେନ୍ଦ୍ର ବାବୁଙ୍କ ଗଳାରେ କ୍ଲାନ୍ତି ଫୁଟିଲା । ସେ ଉଠି ଗଲେ ଧୀରେ ଧୀରେ ।

 

ହୁଏତ ନଗେନ୍ଦ୍ର ବାବୁ ବି ଏକ ସମୟରେ କମଳା ଦେବୀଙ୍କୁ ଭଲ ପାଉଥିଲେ । ଟିକେ ବିସ୍ମିତ ଭାବରେ ଠିକ୍ କଲେ ଶଶାଙ୍କ ବାବୁ ।

 

–୮–

 

–‘‘ନାଁ–ଆଲୁଅଟା ଠିକ୍ ହଉନି, ଆଉ ଟିକେ ବାଁ’କୁ–ହୁଁ–ବେଶ୍; ମୁହଁଟା ଯଦି ଟେକିବେ ତ’–ନାଁ ବରଂ ପ୍ରଥମେ ଯେମିତି ଥିଲେ ସେମିତି ବସନ୍ତୁ । ସେଇଟା ସବୁଠାରୁ ସ୍ୱାଭାବିକ ହବ ।’’ ପ୍ରଭାତ ବାବୁ ଗଛ ମୂଳେ ଷ୍ଟାଣ୍ଡ ଉପରେ କ୍ୟାନଭାସ ଲଗେଇ ସାରି, ଶଶାଙ୍କ ବାବୁଙ୍କ ପୋଜ୍ ଟା ଠିକ୍ କରି ଦଉଥିଲେ ।

 

ତୂଳିରେ କ୍ୟାନଭାସ୍ ଉପରେ ଦିଟା ଟାଣି ପ୍ରଭାତ ବାବୁ ଗୋଟେ ସମୟରେ ପଚାରିଲେ–‘‘ମିସେସ୍ ସରକାରଙ୍କୁ ଆପଣଙ୍କର କଣ ମନେ ହୁଏ ?’’ ତା ଉପରେ ଅଳ୍ପ ହସି ସାବଧାନ କରେଇ ଦେଲେ–

 

–‘‘ସାବଧାନ–କ୍ୟାମେରାଟା ଲୋଡେଡ଼୍ ଅଛି ।’’

 

–‘‘ଓଃ’’–ଅନ୍ୟମନସ୍କ ଶଶାଙ୍କ ବାବୁ ଚମକି ପଡ଼ିଲେ । କ୍ୟାମେରାଟାରେ ଅବଶିଷ୍ଟ ଥିଲା ଆଉ ଚାରିଟି ଫିଲ୍ମ; ଅବଶ୍ୟ ସେଫ୍‌ଟି–କ୍ୟାଚ ଖୋଲା ଯାଇ ନଥିବାରୁ ଭୟର କିଛି କାରଣ ନଥିଲା-। ସେଇଟା ହଉଚି ପ୍ରଭାତ ବାବୁଙ୍କର, ଛବି ଆଙ୍କିବା ପୂର୍ବରୁ ମଡ଼େଲର ତିନି ଚାରୋଟି ଫଟୋ ନେବା ତାଙ୍କର ଅଭ୍ୟାସ ବୋଲି କହି ସେ ଶଶାଙ୍କ ବାବୁଙ୍କ ଫଟୋ ଉଠେଇଥିଲେ-। ପରେ ସେଇଟା ଶଶାଙ୍କ ବାବୁଙ୍କୁ ଧରିବାକୁ ଦେଇଥିଲେ ସେ । ଶଶାଙ୍କ ବାବୁ ଅନ୍ୟମନସ୍କ ଭାବରେ ତା’ର ଲେନ୍‌ସଟା ଘୁରାଉ ଥିଲେ–’’

 

–‘‘ଭଦ୍ରମହିଳା ଟିକେ କଡ଼ା ସ୍ୱଭାବର–’’ ପ୍ରଭାତ ବାବୁଙ୍କ ପ୍ରଶ୍ନ ମନେ ପଡ଼ିବାରୁ କହିଲେ ସେ । ତା’ ପରେ କଥାଟାକୁ କମ୍ ଟାଣ କରିବାକୁ ଯାଇ ସେ ଯୋଗ କଲେ ‘‘–ଅବଶ୍ୟ ତାଙ୍କ ଚରିତ୍ରଗତ ଜୋର ତା’ର କାରଣ ହୋଇ ପାରେ ।’’

 

ଶଶାଙ୍କ ବାବୁ ପ୍ରାୟ କୋଡ଼ିଏ ହାତ ଛଡ଼ାରେ ଥିବା ଗୋଟେ ଝରକା ଆଡ଼କୁ ଚାହିଁ ଭାବୁଥିଲେ, ହୁଏତ ତାଙ୍କଠି ଅମାନୁଷିକ କିଛି ଦେଖନ୍ତି ବୋଲି ଲୋକମାନେ ତାଙ୍କ ସହିତ ଏଡ଼େ ଅଳ୍ପ ସମୟରେ ଏମିତି ଘନିଷ୍ଟ ହେଇ ପଡ଼ନ୍ତି । ବୋଧେ ସେ ଯେ ମରିବାକୁ ଅପେକ୍ଷା କରୁଚନ୍ତି–ଏଇଟା ତାଙ୍କୁ ସାଧାରଣଙ୍କ ସ୍ତରରୁ ଅନ୍ୟଠି ପହଞ୍ଚେଇ ଦେଇଚି ।

 

–‘‘କଡ଼ା ନୁହେଁ–ବରଂ ନିଜର କ୍ଷମତା ସଂପର୍କରେ ସ୍ଥିରନିଶ୍ଚିତ, ଧରନ୍ତୁ–ଯଦି ଜାଣନ୍ତେ ଯେ ସମସ୍ତେ ତାଙ୍କ କଥା ଗ୍ରାହ୍ୟ କରନ୍ତିନି–ତେବେ ସେ କଣ ଏତେଟା–ଏତେଟା ଅନଧିକାର ଚର୍ଚ୍ଚା କରିବାକୁ ସାହସ କରନ୍ତେ ?’’ ପ୍ରଭାତ ବାବୁ ଦ୍ରୁତ ହାତରେ ସିଧା ବଙ୍କା ଗାର ଟାଣି ଯାଉଥିଲେ । ତାଙ୍କ ଓଠରେ ହସ ଥିଲା–ତା ସତ୍ତ୍ୱେ ବି ଭଲ କରି ଜାଣି ହଉଥିଲା–ସେ ରାଗିଚନ୍ତି ।

 

–‘‘କେଜାଣି ।’’ ଶଶାଙ୍କ ବାବୁ ହଠାତ୍ ଭାବିବାକୁ ଆରମ୍ଭ କଲେ ଯେ–ଆଚ୍ଛା ପ୍ରଭାତ ବାବୁ କଣ ଜାଣନ୍ତନି ମିସେସ୍ ସରକାର ତାଙ୍କୁ ଠିକ୍ କି’ ଆଖିରେ ଦେଖନ୍ତି ?

 

–‘‘ଆପଣଙ୍କ କଥା ଯଦି ସତ ହେଇଥାଏ–ଜାଣିବାକୁ ହବ ଯେ ଅନ୍ୟମାନଙ୍କ ଦ୍ୱାରା ନିଜ କଥାକୁ ଗ୍ରାହ୍ୟ କରେଇନବାର ଶକ୍ତି ତାଙ୍କର ଅଛି । ସେଇଟା କଣ ଯଥେଷ୍ଟ ଶକ୍ତିଶାଳୀ ବ୍ୟକ୍ତିତ୍ୱର ପରିଚୟ ନୁହେଁ ?’’ ଶଶାଙ୍କ ବାବୁ ଅନ୍ୟମନସ୍କ ଭାବରେ କଥା ଶେଷ କଲେ । ସେ ଦେଖୁଥିଲେ–ଆଖି ଆଗ ଝରକାର ପର୍ଦ୍ଦା ଅଳ୍ପ ଆଡ଼େଇ ମିସେସ୍ ସରକାର ବାହାରକୁ ଚାହିଁଲେ ।

 

ଘର ଭିତରର ଗୋଟେ ଅଂଶ ବି’ ତାଙ୍କ ଆଖିରେ ପଡ଼ିଲା । ମିସେସ୍‌ ସରକାର ଝରକା ପାଖରୁ ଘୁଞ୍ଚି ଯାଇ ବଡ଼ ପଲଙ୍କ ଉପରେ ବସିଲେ । ପଲଙ୍କଟାର ମୁଣ୍ଡ ପାଖକୁ ଥିଲା ଛୋଟ ଗୋଟେ ଟେବୁଲ୍, ତା’ରି ପାଖରେ ଠିଆ ହେଇଥିଲେ ପ୍ରବୀର ବାବୁ । ହୁଏ ତ ସେମାନେ କଥାବାର୍ତ୍ତା କରୁଥିଲେ, କିନ୍ତୁ ଏତେ ଦୂରରୁ କିଛି ଶୁଭୁ ନ ଥିଲା ।

 

ପ୍ରଭାତ ବାବୁ ଛବିଟାରେ ମନ ଦବାକୁ ଚେଷ୍ଟା କରୁଥିଲେ । ତାଙ୍କ ଆଖି ସେଥିରେ ଲାଖି ରହିଥିଲା; ମୁହଁ ଚିନ୍ତିତ ଦିଶୁ ଥିଲେବି’ ।

 

–‘‘କିନ୍ତୁ ତାଙ୍କର ବୁଝିବା ଉଚିତ’’–ସେ ହୁଏତ ମିସେସ୍ ସରକାରଙ୍କୁ ଦେଖି ପାରି ନ ଥିଲେ, ‘‘ମଣିଷ ମନ ସବୁବେଳେ ସବୁ କ୍ଷେତ୍ରରେ ସମାନ ଅବସ୍ଥାରେ ରହେନି । ମୁଁ ପଢ଼ିଚି–ଯୁଦ୍ଧ ଭୂଇଁରେ ନିଜ ହାତରେ ଲକ୍ଷ୍ୟ ସ୍ଥିର କରି ପାଞ୍ଚଦଶ ଜଣ ଲୋକଙ୍କୁ ଗୁଳି କରି ମାରି ପାରିଥିବା ଲୋକ ନିଜ ପୁଅର ବ୍ଲେଡ଼ରେ କଟି ଯାଇଥିବା ହାତର ରକ୍ତ ଦେଖି ମୁର୍ଚ୍ଛା ହେବା କଥା ।’’

 

–‘‘ଆପଣଙ୍କ କଥା ସତ’’–ଶଶାଙ୍କ ବାବୁ ପୁଣି ଅନ୍ୟମନସ୍କ ଭାବରେ ଦେଖିଲେ–ପ୍ରବୀର ବାବୁ ଗୋଟେ ଗ୍ଲାସ ପାଣିରେ ଗୋଟେ ବୋତଲରୁ କିଛି କାଢ଼ି ପକେଇଲେ, ତା’ପରେ ଆଉ ଗୋଟେ ଛୋଟ ବୋତଲ ସେ ପାଣିରେ ଓଲଟେଇ ଦେଲେ । ମିସେସ୍ ସରକାରଙ୍କ ମୁହଁ କାନ୍ଥ ପଟକୁ ଥିଲା । ସେ ହାତ ବଢ଼େଇ ଗ୍ଲାସଟା କେବଳ ନେଲେ ପ୍ରବୀର ବାବୁଙ୍କ ହାତରୁ ।

 

–‘‘ଧରନ୍ତୁ ଯଦି ଜଣେ କିଏ ଦିନେ ତାଙ୍କର ଅବାଧ୍ୟ ହେବାକୁ ସାହସ କରିବ–ତେବେ ?’’ ପ୍ରଭାତ ବାବୁ ତୁଳିଟା ଫିଙ୍ଗି ଦେଇ ଆଉ ଗୋଟେ ତୁଳି ଗୋଟେଇ ନେଲେ ।

 

–‘‘ସେଦିନ ଗୋଟେ ଭୟାନକ ପରିସ୍ଥିତି ନିଶ୍ଚିତ ଉପୁଜିବ ।’’

 

–‘‘ହୁଏ ତ’’–ପ୍ରଭାତ ବାବୁ ଅନ୍ୟମନସ୍କ ଭାବରେ କଣ ଗୋଟେ ଖୋଜୁଥିଲେ । ନଇଁ ପଡ଼ି ନିଜର କ୍ୟାନ୍‍ଭାସ ବ୍ୟାଗଟାର ମୁହଁ ମେଲା କରି ସେ ତଳେ କୁଢ଼େଇ ଦେଲେ ଛୋଟ ବଡ଼ କେତେ ଗୁଡ଼େ ଜିନିଷ ।

 

–‘‘ଏଇ ଯା–ଟ୍ୟୁବଟା ଛାଡ଼ି ଆସିଚି, ଟିକେ ରହନ୍ତୁ–ଏଇକ୍ଷିଣି ନେଇ ଆସୁଚି’’–ସେ ଅନ୍ୟମନସ୍କ ଭାବରେ ଦ୍ରୁତ ପାଦରେ ଆର ପଟ ହୋଟେଲ ଆଡ଼େ ଆଗେଇ ଗଲେ ।

 

ଶଶାଙ୍କ ବାବୁ ଟିକେ ଝୁଙ୍କି ପଡ଼ି ଷ୍ଟାଣ୍ଡ ଉପରର ଛବିଟାକୁ ଚାହିଁଲେ । ହାଲ୍‌କା କଳା ରଙ୍ଗରେ ଚିତ୍ରଟିଏ ଫୁଟି ଆସୁଥିଲା । –‘‘ଏଇଟା କଣ ମୋ ଛବି ?’’ –ଟିକେ ବିସ୍ମିତ ହେଇ ଶଶାଙ୍କ ବାବୁ ପୁଣି ଆର୍ମ-ଚେୟାର୍‌ରେ ଆଉଜି ବସି ଆଖି ବୁଜିଲେ ।

 

କେଡ଼େ ନିଛାଟିଆ ଏ ଦିପହର–ସେ ଖରାର ଉତ୍ତାପ ଅନୁଭବ କଲେ–ଡାହାଣ ପାଖରେ ପତ୍ରର ଫାଙ୍କ ଦେଇ ତୀକ୍ଷ୍‍ଣ ଖରାର ଗୋଟେ ଝଲକ । ବାଁକୁ ମୁହଁ ବୁଲେଇ ନେଲେ ସେ-। ନିଦ ଆସି ନ ଥିଲା–କିନ୍ତୁ ଦେହ ତାଙ୍କର ପ୍ରାୟ ଶୋଇ ଆସିଥିଲା, ସ୍ତବ୍‌ଧ, ନିଶ୍ଚିତ ଭାବରେ-। ମନରେ କିନ୍ତୁ ଚିନ୍ତା ଗୁଡ଼ା ଅଳସ ଭାବରେ ପରସ୍ପରକୁ ଅନୁସରଣ କରୁଥିଲେ । କୌଣସି ଗୋଟିଏ ବିଶେଷ କଥା ଚିନ୍ତା ନ କଲେ ବି–ସେ ଭାବୁଥିଲେ ବହୁତ କିଛି ।

 

ହଠାତ୍ କ୍ଲିକ୍ କରି ଶବ୍ଦଟେ ହେଲା–‘‘ସର୍ବନାଶ’–’’ ସେ ଚମକି ଉଠି ବସିଲେ । ଅନ୍ୟମନସ୍କ ଭାବରେ କେତେବେଳେ କ୍ୟାମେରାର ସେଫ୍‌ଟି କ୍ୟାଚ୍‌ଟା ଖୋଲି ଦେଇଥିଲେ ସେ । ବର୍ତ୍ତମାନ୍‌ ସଟରଟାରେ ଟିପ ଦେବାରୁ–ସେ ବ୍ୟସ୍ତ ଭାବରେ କ୍ୟାମେରା ମୁହଁ କରିଥିବା ସେଇ ପୂର୍ବ ଝରକାକୁ ଚାହିଁଲେ । ଝରକାର ସର୍ଦ୍ଦାରେ ହାତଟିଏ କେବଳ ଦେଖାଗଲା ।

 

–‘‘ଗଲା–ଛିଃ–କି ଅଦ୍ଭୁତ’’–ନିଜକୁ ନିଜେ ଗାଳିଦେଇ ଶଶାଙ୍କ ବାବୁ ଭାବୁଥିଲେ ହାତଟା ମିସେସ୍ ସରକାରଙ୍କର ନୁହେଁ ତ ? ଫିଲ୍‌ମ୍‌ ନମ୍ବରଟା ଦେଖି ନେଇ ତାକୁ ବଦଳେଇ ଦେଲେ ସେ । ପ୍ରଭାତ ବାବୁ କଣ ଯେ ଭାବିବେ ?

 

ଝାଉଁବଣ ଆଡ଼ୁ ରମେଶ ଆସୁଥିଲା । ଶଶାଙ୍କ ବାବୁଙ୍କୁ ଦେଖି ସେ ଟିକେ ଠିଆ ହେଇ କଣ ଭାବିଲା–ଆଉ ପାଖକୁ ଆସି ପଚାରିଲା, ‘‘ମୋ ପ୍ୟାକେଟ୍ ଟା ରଖିଛନ୍ତି ତ ?’’

 

–‘ନିଶ୍ଚୟ–ଖୁବ୍ ଯତ୍ନରେ ରଖି ଦେଇଚି । ଆଣିବି ?’’ ଶଶାଙ୍କ ବାବୁ ଉଠିବାକୁ ଯାଉଥିଲେ ।

 

–‘‘ଏଇକ୍ଷଣି ନୁହେଁ–ଆଜି ରାତିରେ’’–ଚାଲି ଯାଉ ଯାଉ ରହସ୍ୟମୟ ଭାବରେ ରମେଶ କହିଲା ।

 

ଶଶାଙ୍କ ବାବୁଙ୍କର ଥରେ ମନେ ହେଲା ପ୍ରକୃତରେ ଉପରକୁ ଯାଇ ପ୍ୟାକେଟ୍‌ଟାରେ କଣ ଅଛି ଦେଖିବେ–ତା’ପରେ ହାତ ଟେକି ଅଳସ ଭାଙ୍ଗି ସେ ଭାବିଲେ–ସେଥିରେ ଯାହା ଆଉ ମୋ ପାଖେ ଥିବାଯାଏ ନିରାପଦ ।

–‘‘ନାଃ–ପାଇଲିନି, ଏଇଠି କୋଉଠି ପକେଇଚି ନିଶ୍ଚୟ, କି ମୁସ୍କିଲ ।’’ ଲମ୍ବା ପାଦ ପକେଇ ଆଗେଇ ଆସିଲେ ପ୍ରଭାତ ବାବୁ ଆଉ ନଇଁ ପଡିଲେ ଘାସ ଉପରେ ।

–‘‘କଥା କଣ କି’’–ଲଜ୍ଜିତ ଭାବରେ ଆରମ୍ଭ କଲେ ଶଶାଙ୍କ ବାବୁ । ନିଜର ଲଜ୍ଜାକର ଅସାବଧାନତା କଥାଟା ଯେତେ ଶୀଘ୍ର କୁହାଯାଇ ପାରେ ।

–‘‘ହେଇତ–ଏଇଠି ପକେଇ ଚାରିଆଡ଼େ କେତେ ଯେ ଖୋଜିଲିଣି’’–ପ୍ରଭାତ ବାବୁ ସେଇଟା ଗୋଟେଇ ନେଇ ଚେୟାର ଟାଣି କ୍ଳାନ୍ତ ଭାବରେ ବସି ପଡ଼ିଲେ ।

–‘‘ଆପଣଙ୍କ କାମେରାରେ ଯେଉଁ କେତେଟା ପ୍ଳେଟ୍‌ଥିଲା ସେଥିରୁ ମୁଁ ଗୋଟେ ନଷ୍ଟ କରିଚି’’–ଶଶାଙ୍କ ବାବୁ ଅନ୍ୟଆଡ଼କୁ ଚାହିଁ କହିଲେ, କାନ ଗରମ ଲାଗୁଥିଲା ତାଙ୍କର ।

–‘‘ଏଁ ? ଓଃ–ସେ କିଛି ନୁହେଁ ।’’ ରୁମାଲ ବାହାରକରି ମୁହଁ ପୋଛିଲେ ପ୍ରଭାତ ବାବୁ । ତାଙ୍କ ହାତଟା ଟିକେ ଥରୁଥିଲା କି ?

–‘‘ମତେ ଯଦି ସେଇଟାର ନେଗେଟିଭ୍‌ଟା ଦିଅନ୍ତି’’–ଶଶାଙ୍କ ବାବୁ ଜାଣିଶୁଣି କଥା ଶେଷ କରି ପାରିଲେନି ।

–‘‘ନିଶ୍ଚୟ ! ଡେଭେଲପ୍‌କରି ସାରି ।’’ ପ୍ରଭାତ ବାବୁ ଏଥର ରୁମାଲ ପକେଟରେ ରଖି ଉଠିଲେ ।

–‘‘ଆଜି ସେତିକି ଥାଉ’’–ସେ କ୍ୟାନଭାସ୍‌ଟି ଫିଟଉଥିଲେ ଷ୍ଟାଣ୍ଡରୁ ।

 

–୯–

 

ମୃତ ଦେହଟା ପଡ଼ିଥିଲା ପଲଙ୍କ ଉପରେ–ଚିତ୍‌ହୋଇ । ବେକଟାର ଅନେକଟା ରକ୍ତରେ ଲାଲ ହେଇ ଯାଇଥିଲା । ଶେଜ, ତକିଆ ସବୁଠି ରକ୍ତ । ଶଶାଙ୍କ ବାବୁଙ୍କୁ ଅସୁସ୍ଥ ଲାଗିଲା । ମୁଣ୍ଡ ବୁଲେଇ ଦେଉଥିଲା । ମାତ୍ର କେତେ ଘଣ୍ଟା ତଳେ ସେ ଦେଖିଛନ୍ତି ତାଙ୍କୁ, ଆଉ ଏଇକ୍ଷଣି–ସେ ବୁଲିପଡ଼ି ଘରୁ ବାହାରି ଗଲେ । ଦୁଆର ବାହାରେ ଠିଆହେଇ କହିଲେ, ‘‘ମୁଁ ବାହାରେ ଅପେକ୍ଷା କରୁଚି, ଦରକାର ମନେ କଲେ ଡାକିବେ ।’’

 

–‘‘ଦରକାର ବର୍ତ୍ତମାନ ପୋଲିସର’’ ଡା: ରବିନ୍‌ସ ପ୍ରବୀର ବାବୁଙ୍କ ମୁହଁକୁ ଚାହିଁଲେ । ପ୍ରବୀର ବାବୁ ସ୍ଥିର ଆଖିରେ ପଲଙ୍କ ଉପରର ଦେହାବଶିଷ୍ଟଟାକୁ ଦେଖୁଥିଲେ କିଛି ନ କହି ।

 

–‘‘ପୋଲିସ୍‌ ଇନ୍‌ସପେକ୍ଟର ଏଇକ୍ଷଣି ଆସୁଚନ୍ତି–ଆପଣମାନଙ୍କୁ ଅପେକ୍ଷା କରିବାରୁ କହିଲେ ସେ ।’’ ଟିକେ ବ୍ୟସ୍ତ ଭାବରେ କହିଲେ ନଗେନ୍ଦ୍ର ବାବୁ । ଦୁର୍ଘଟଣାଟା ଘଟିଥିଲା ଦିନବେଳେ–ସେତେବେଳେ ବି ସନ୍ଧ୍ୟା ହବାକୁ ଡେରି ଥିଲା ।

 

–‘‘ନଗେନ୍‌–କମଳା ଶେଷ ପର୍ଯ୍ୟନ୍ତ ବଞ୍ଚିଲାନି ନା ?’’ ଏଥର ଟିକେ ରହି ରହି ପ୍ରବୀର ବାବୁ କହିଲେ ।

 

ନଗେନ୍ଦ୍ର ବାବୁ ଥରେ ପଲଙ୍କ ଆଡ଼େ ଚାହିଁ ମୁହଁ ବୁଲେଇ ନେଲେ ଆଉ ସବୁରିକି ଆଶ୍ଚର୍ଯ୍ୟ କରି ଜବାବ୍‌ଦେଲେ–

 

–‘‘ମତେ ବିଶ୍ୱାସ କରିପାର ପ୍ରବୀର–’’

 

ତା’ ପରେ ଆସିଲେ ଇନ୍‌ସପେକ୍ଟର ବାବୁ–ରୁମ୍‌ଟି ଭିତରେ ସଦଳ ବଳରେ ପଶି ଭିତରୁ ଦୁଆର ବନ୍ଦ କରିଥିଲେ ସେ । ଆଉ ସମସ୍ତେ ବସିଥିଲେ ବାହାର ବାରଣ୍ଡାରେ–କେବଳ ସୁପ୍ରିୟା ଦେବୀ ସେ ପର୍ଯ୍ୟନ୍ତ ସମୁଦ୍ର କୂଳରୁ ଫେରି ନ ଥିଲେ, ସାଙ୍ଗରେ ରମେଶ ବି’ ଯାଇଥିଲା । ଶଶାଙ୍କବାବୁ ଦି’ ହାତରେ ମୁଣ୍ଡ ଚାପି ଧରି ବସିଥିଲେ–ମୁଣ୍ଡର ଶିରାଗୁଡ଼ା ସତେ ଯେମିତି ଛିଡ଼ିଯିବ–ହୁଏତ ଛାତିର ସ୍ପନ୍ଦନ ବି’ ବନ୍ଦ ହେଇଯିବ ।

 

କପାଳର ଝାଳ ପୋଛୁ ପୋଛୁ ଇନ୍‌ସପେକ୍ଟର ବାବୁ ପର୍ଦ୍ଦା ଆଡ଼େଇ ବାରଣ୍ଡାକୁ ଆସିଲେ ।

 

–‘‘ଡା: ରବିନ୍‌ସ’’–ସେ ଡା: ରବିନ୍‌ସଙ୍କୁ କେହି ନ ଚିହ୍ନେଇଲେ ବି, ଠିକ୍‌ ଚିହ୍ନି ନେଇ ପାରିଥିଲେ–‘‘ଆପଣ ଦୟା କରି ଆଘାତଟାର ଗୋଟେ ବିବରଣୀ ମତେ ଦେବେ କି ?’’

 

–‘‘ତା’ ପୂର୍ବରୁ ମୁଁ ପୁଣି ଥରେ ଭଲ କରି ଦେଖିବାକୁ ଚାହେଁ । ବହୁ ଦିନରୁ ଏମିତି କାମ କରିବା ଛାଡ଼ି ଦେଇଚି କି’ନା’’–ଡା: ରବିନ୍‌ସ ଉଠିଲେ ।

 

–‘‘ନିଶ୍ଚୟ–ଆପଣ ଭଲ କରି ଦେଖନ୍ତୁ । ୟା ଭିତରେ ମୁଁ କେତେଟା କାମ ସାରି ନିଏଁ ।’’ ଡା: ରବିନ୍‌ସ ଚାଲିଗଲା ପରେ ତାଙ୍କରି ଚେୟାରଟି ଅଧିକାର କରି ବସି ପଡ଼ିଲେ ଇନ୍‌ସପେକ୍ଟର ବାବୁ ।

 

–‘‘ନାଁଟା ହେଲା ମିସେସ୍‌ କମଳା ସରକାର’’–

 

–‘‘ହଁ’’–ପ୍ରବୀର ବାବୁ ପ୍ରଥମେ ଜବାବ ଦେଲେ, ଯଦିଓ ପ୍ରଶ୍ନଟା କୌଣସି ବିଶେଷ ଜଣକୁ ଲକ୍ଷ୍ୟ କରି ପଚରା ଯାଇ ନ ଥିଲା ।

 

–‘‘ଆପଣ ପ୍ରଥମେ ଆରମ୍ଭ କରନ୍ତୁ ପ୍ରବୀର ସରକାର ଆପଣଙ୍କ ସ୍ଥାୟୀ ଠିକଣା’’–

 

–‘‘–ନମ୍ବର ଭବାନୀପୁର, କଲିକତା’’–ଧୀର ସ୍ୱରରେ କହୁଥିଲେ ପ୍ରବୀର ବାବୁ ।

 

ବଡ଼ କ୍ଳାନ୍ତ ଦିଶୁଥିଲେ ସେ, ତାଙ୍କ ଚୌଡ଼ା କପାଳର ସେ ଗାର ଦି’ଟା ଭାରି ଗଭୀର ଦିଶୁଥିଲା, ଆଖି ଦି’ଟାରେ କ୍ଳାନ୍ତି ପୂରି ରହିଥିଲା, ହୁଏତ ତାଙ୍କ ମାନସିକ ଅବସ୍ଥା ସେ ଭଳି ପ୍ରଭାବିତ କରିଥିଲା ତାଙ୍କୁ । ଶଶାଙ୍କ ବାବୁ ଭାବି ଦେଖିବାକୁ ଚେଷ୍ଟା କରୁଥିଲେ–ପ୍ରବୀର ବାବୁଙ୍କ ବ୍ୟବହାରରେ କୋଉଠି ତାଙ୍କର ଏ ଦାରୁଣ କ୍ଷତି ପ୍ରତିଫଳିତ ହେଉଚି । କିନ୍ତୁ ନିଜ ଦୃଷ୍ଟିର ଅସ୍ପଷ୍ଟତା ଭିତରୁ ସେ ଦୁଃଖର କିଛି ପ୍ରବୀର ବାବୁଙ୍କଠିଁ ଦେଖି ପାରି ନ ଥିଲେ ।

 

–‘‘ସରକାର ଆଣ୍ଡ ବ୍ରଦର୍ସ–ହଁ ଚା ବ୍ୟବସାୟ ଆଉ–ଆପଣ ବରଂ ସେ ସବୁର ଧାରାବାହିକ ଲିଷ୍ଟ କୁମାରଠାରୁ ନେବେ–ସୁକୁମାର ସରକାର, ମୋର ପୁତୁରା ଆଉ ଜୁନିଅର–ପାର୍ଟନର ।’’ ପ୍ରବୀର ବାବୁ ଧୀର ସ୍ୱରରେ ନିଜର ସବୁ ବିବରଣୀ ଦେଇ ଯାଉଥିଲେ ।

 

–‘‘ମୋର ସ୍ତ୍ରୀଙ୍କୁ ଟାଇଫଏଡ଼୍‌ ହେଇଥିଲା କେତେମାସ ତଳେ–ତାଙ୍କୁ ନେଇ ବୁଲିବାକୁ ଆସିଥିଲି–ହଁ, ଦି’ମାସ ହବ ଏଇଠି ଆମେ ଅଛୁ । ଘରର ମାଲିକ ନଗେନ୍ଦ୍ର ବାବୁ, ମୋର ପୁରୁଣା ବନ୍ଧୁ, ଘରଟା ସୁବିଧାଜନକ ମନେହବାରୁ ଏଇଠି ରହିବା ସ୍ଥିର କରି ମୁଁ ପରେ ମୋ ପୁଅ ରମେଶ, ଛବି ଆଉ କୁମାର ଏ ସବୁରିକି ଅଣେଇ ଥିଲି । କଥା ଥିଲା ସେମାନେ ଛୁଟିଟା ଏଇଠି କଟେଇ ଫେରିଯିବେ ।’’

 

–‘‘ଛବି–ସେ କଣ ଆପଣଙ୍କ ଝିଅ ?’’ ଇନ୍‌ସପେକ୍ଟର ପଚାରିଲେ ।

 

–‘‘ଛବି–ସୁପ୍ରିୟା–ମୋ ଝିଆରୀ । ବରଂ କମଳା–ମୋ ସ୍ତ୍ରୀଙ୍କ ଝିଆରୀ କହି ପାରନ୍ତି–ସେ ତାଙ୍କ ଭାଇଙ୍କ ଝିଅ । ସୁକୁମାର ମୋ ବଡ଼ ଭାଇଙ୍କ ପୁଅ । ଏ ଦିହେଁ ପିଲାଦିନୁ ମୋ ଘରେ ମଣିଷ । ଉଭୟଙ୍କ ବାପ ମାଁ ପିଲାଦିନୁ ନାହାନ୍ତି–ଆଉ ରମେଶ’’–ପ୍ରବୀର ବାବୁଙ୍କ ଗଳା ଟିକେ ଥରିଗଲା–ସାମାନ୍ୟ । ସେ ଦୂର ଝାଉଁ ବଣକୁ ଚାହିଁଲେ ।

 

ଅନ୍ଧାର ହେଇ ଆସୁଥିଲା; ଶଶାଙ୍କ ବାବୁବି’ ଝାଉଁବଣ ଆଡ଼େ ଚାହିଁଲେ । ସେ ବାଟଦେଇ କେହି ଆସୁନି ତ ? ସେ ଦେଖିବାକୁ ଚେଷ୍ଟା କରୁଥିଲେ । ରମେଶ ଆଉ ସୁପ୍ରିୟା ଦେବୀ ଫେରି ନଥିଲେ ସେ ପର୍ଯ୍ୟନ୍ତ । ପ୍ରଭାତ ବାବୁଙ୍କର ବି’ ଦେଖା ନଥିଲା–ସେଇ ଦି’ ପହର ଠାରୁ ।

 

–‘‘ଆପଣ ଶେଷରେ କେତେବେଳେ ଆପଣଙ୍କ ସ୍ତ୍ରୀଙ୍କୁ ଦେଖିଥିଲେ ?’’ ଇନସ୍‌ପେକ୍‌ଟରଙ୍କ ପ୍ରଶ୍ନରେ ପ୍ରବୀର ବାବୁ ଅଳ୍ପ ଚମକି ପଡ଼ିଲେ ।

 

–‘‘ଏଁ–ଓଃ–ହଁ–କିନ୍ତୁ ସମୟଟା ଠିକ୍‌ କହିପାରିବିନି । ତେବେ ଖାଇ ସାରିବା ପରେ ମୁଁ ତାଙ୍କୁ ଓଷଦଟା ଖାଇବାକୁ ଦେଖିଥିଲି ।’’ ପ୍ରବୀର ବାବୁଙ୍କର ମେସିନ ଭଳି ଉତ୍ତର ଦେବା ଭଙ୍ଗି ପୁଣି ଫେରି ଆସିଲା ।

 

ଶଶାଙ୍କ ବାବୁଙ୍କ ଦି’ପହରଟା ମନେ ପଡ଼ୁଥିଲା । ସେ ଅନୁମାନ କଲେ ସମୟ ଦୁଇଟା ପାଖାପାଖି ହବ । କିନ୍ତୁ ଘଣ୍ଟା ସେ ବି’ ଦେଖି ନଥିଲେ । ମୁଣ୍ଡଟା ଆହୁରି ଯୋରରେ ବଥେଇବାକୁ ଆରମ୍ଭ କରିଥିଲା, ଯଦିଓ ଛାତିର ସ୍ପନ୍ଦନର ଦ୍ରୁତତା ଟିକେ କମିଥିଲା ।

 

–‘‘ଗୋଟେ ଶୋଇବା ଓଷଦ ଶିଶି ସେ ଘରେ ଥିଲା–ବୋଧେ ସେଇ ଗୋଟାକ କଥା ଆପଣ କହୁଛନ୍ତି ?’’ ଇନ୍‌ସପେକ୍‌ଟର ପୃଷ୍ଠା ପରେ ପୃଷ୍ଠା ଓଲଟେଇ ଯାଉଥିଲେ ।

 

–‘‘ହଁ–କିଛିଦିନ ହବ ନିଦ ନ ହେବାରୁ ସେଇଟା ଡା: ରବିନ୍‌ସଙ୍କ କଥା ଅନୁସାରେ ବ୍ୟବହାର କରା ଯାଉଥିଲା–ତା’ ପ୍ରାୟ ଆଠଦଶ ଦିନ ହବ ବୋଧହୁଏ ।’’

 

–‘‘ଆଠ ଦଶ ଦିନ ହବ ? ଇନ୍‌ସପେକ୍‌ଟର ଟିକେ ଚମକି ପଡ଼ି ଖାତାରୁ ମୁଣ୍ଡ ଉଠେଇଲେ ।

 

–‘‘ବୋତଲରେ କେତେଟା ହବ ପିଲ୍‌ ଥିଲା, କହିଲେ–ସେଗୁଡ଼ାକ ପିଲ୍‌ ତ ?’’ ସେ ପୁଣି ପଚାରିଲେ ।

 

–‘‘ହଁ–ସେଥିରେ ଥିଲା ପ୍ରାୟ ଶହେଟା ହବ ।’’ ଏଇ ଥର ଟିକେ ଆଶ୍ଚର୍ଯ୍ୟ ହେଲେ ବୋଧେ ପ୍ରବୀର ବାବୁ ।

ଗୁପ୍ତ ଘାତକ

 

–‘‘ଦିଟାକରି ଦିନକୁ ଖିଆଯାଏ ତ ? ସାଧାରଣତଃ ଯେମିତି ଖିଆଯାଏ–ଦି’ ପହରେ ଖାଇସାରି ଥରେ–ପୁଣି ରାତିରେ ଖାଇସାରି ଆଉଥରେ ।’’

 

ଶଶାଙ୍କ ବାବୁ ସେ ପର୍ଯ୍ୟନ୍ତ ଲକ୍ଷ୍ୟ କରି ଦେଖି ନଥିଲେ । ଇନ୍‌ସ୍‌ପେକ୍‌ଟର ଜଣକ ଅଳ୍ପ ବୟସ୍କ, ବୟସ ପଇଇଁତ୍ରିଶରୁ ବେଶୀ ହବନି–ସୁପୁରୁଷ । ତାଙ୍କ ଆଖିରେ ତୀକ୍ଷ୍‌ଣତା ଥିଲା ବେଶ୍‌ କେତେକଟା । ନାଁ, ବୋକା କୁହାଯିବନି ତାଙ୍କୁ କୌଣସିମତେ । ଚଷମାର କାଚ ଦେଇ ଇନ୍‌ସପେକ୍‌ଟର ବାବୁ ପ୍ରବୀର ବାବୁଙ୍କ ମୁହଁକୁ ଚାହିଁଥିଲେ । ତାଙ୍କ ନାଁ । ରଜତ କୁମାର ମହାନ୍ତି ।

 

–‘‘ହଁ–ଓଷଦଟା ସାଧାରଣତଃ ଛବି ଦିଏ ତାଙ୍କୁ । ଆଜି ମୁଁ ଦେଇଥିଲି ।’’ ବିସ୍ମିତ ଭାବରେ ଉତ୍ତର ଦଉଥିଲେ ପ୍ରବୀର ବାବୁ ।

 

–‘‘କାହିଁକି ?’’

 

–‘‘ଛବି ପାଖ ଘରେ ରମେଶକୁ ଶୁଆଉଥିଲା, ସେଇଥିପାଇଁ ମୋ ସ୍ତ୍ରୀ ମତେଇ ପାଣି ଆଣି ଦବାକୁ କହିଲେ ।’’

 

–‘‘ହୁଁ ତା ପରେ ?’’

 

–‘‘ଓଷଦଟା ଦେଇସାରି ମୁଁ ମୋ ଅଫିସ ଘରଟାକୁ ଯାଇଥିଲି, ସେଇଟା ହେଲା ଦାଣ୍ଡ ପାଖର ଛୋଟ ବସିବା ଘରଟା । ଝିଅ ମାଳତୀ ଡାକିବାରୁ’’ ପ୍ରବୀର ବାବୁ ଲନ୍‌ଆଡ଼କୁ ଚାହିଁ ଅଟକି ଗଲେ ।

ରମେଶ ଆସୁଥିଲା ସୁପ୍ରିୟା ଦେବୀଙ୍କ ହାତ ଧରି, ଟିକେ ଛଡ଼ାରେ ଆସୁଥିଲେ ପ୍ରଭାତ ବାବୁ । ରମେଶ ଆଉ ସୁପ୍ରିୟା ଦେବୀ ଦିହେଁ ହସୁଥିଲେ । ପ୍ରଭାତ ବାବୁଙ୍କ କଥା ଶୁଣି ବୋଧେ । ଶଶାଙ୍କ ବାବୁ ଶଙ୍କିତ ମନରେ ଅପେକ୍ଷା କରୁଥିଲେ । ରମେଶ ହୁଏତ ତା’ ମଲା କୁକୁର କଥା ଭୁଲିଯାଇଚି–ଆଉ ଏଇକ୍ଷଣି–ବିଚାରା–

–‘‘ପିଲାଟି ମୋ ପୁଅ, ସେ ଛବି ଆଉ ଇଏ ପ୍ରଭାତ ବାବୁ–ନଗେନ୍ଦ୍ର ବାବୁଙ୍କ ‘ସାଗର–ନିବାସ’ ହୋଟେଲରେ ରହୁଥିବା ଜଣେ ଆର୍ଟିଷ୍ଟ’’ । ଏଥର ବି’ ପ୍ରଥମେ ଉତ୍ତର ଦେଲେ ପ୍ରବୀର ବାବୁ ଇନ୍‌ସପେକ୍‌ଟର ବାବୁଙ୍କ ଜିଜ୍ଞାସୁ ଦୃଷ୍ଟିର ।

ପାହାଞ୍ଚରେ ଠିଆହୋଇ ସେମାନେ ଲକ୍ଷ୍ୟ କଲେ ବାରଣ୍ଡାର ଜନସମାଗମକୁ । ରମେଶ ସୁପ୍ରିୟା ଦେବୀଙ୍କ ହାତ ଛାଡ଼ି ଦେଇ ଧୀର ଭାବରେ ଆସି ଠିଆ ହେଲା ପ୍ରବୀର ବାବୁଙ୍କ ପାଖରେ । ପ୍ରଭାତ ବାବୁ ଥରେ ସୁପ୍ରିୟା ଦେବୀଙ୍କ ମୁହଁକୁ ଚାହିଁଲେ–ସୁପ୍ରିୟା ଦେବୀ କାବ୍‌ବା ହେଇ ଯାଇଥିଲେ-

–‘‘ଏଠିକି ଆସନ୍ତୁ ଆପଣମାନେ–ଗୋଟେ ଦୁର୍ଘଟଣା ଘଟିଚି । ମିସେସ୍‌ ସରକାର ଆକସ୍ମିକ ଭାବରେ–ତାଙ୍କର ମୃତ୍ୟୁ ହେଇଚି ।’’ ନୀରବତା ଭାଙ୍ଗି ଇନ୍‌ସପେକ୍‌ଟରଙ୍କ ପରିଷ୍କାର କଣ୍ଠ ସ୍ୱର କାନରେ ବାଜୁଥିଲା ।

ଶଶାଙ୍କ ବାବୁ ସୁପ୍ରିୟା ଦେବୀଙ୍କ ମୁହଁଙ୍କୁ ଚାହିଁଥିଲେ । ସୁପ୍ରିୟା ଦେବୀଙ୍କ ମୁହଁ ରକ୍ତହୀନ ହେଇଗଲା, ସେ ମୁହଁ ବୁଲେଇ ପ୍ରାୟ ପାଞ୍ଚ ମିନିଟ୍‌ ପ୍ରଭାତ ବାବୁଙ୍କ ମୁହଁକୁ ଚାହିଁଥିଲେ । ଶଶାଙ୍କ ବାବୁ ଆଖି ଫେରେଇ ନେଲେ ।

 

ଆଖି ପଡ଼ିଲା–ରମେଶ ଉପରେ । ରମେଶ ଦାନ୍ତରେ କାମୁଡ଼ି ଧରିଥିଲା ତଳ ଓଠଟାକୁ-। ତା’ର ଦୁର୍ବଳ ମୁହଁରେ ଅଦ୍ଭୁତ ଏକ ଭାବ ଫୁଟିଥିଲା, ରାଗ, ଭୟ, ବିରକ୍ତି କି ବିସ୍ମୟ–ବୁଝି ପାରିଲେନି ଶଶାଙ୍କ ବାବୁ । ସେ ଚାହିଁଥିଲା କୁମାର ବାବୁଙ୍କ ମୁହଁକୁ ।

 

ପ୍ରଭାତ ବାବୁ ଥରେ ଇନ୍‌ସ୍‌ପେକଟର ବାବୁ ଆଉ ଥରେ ସୁପ୍ରିୟା ଦେବୀଙ୍କ ମୁହଁକୁ ଚାହିଁ ହଠାତ୍‌ କହି ଉଠିଲେ, ‘‘ତମେ ମତେ ଭୁଲ ବୁଝିବନି ସୁପ୍ରିୟା । ମୁଁ ତାଙ୍କୁ ଖୁନ୍ କରିନି ।’’ ପ୍ରଭାତ ବାବୁ ଖଣ୍ଡେ ଚେୟାର ଟାଣି ବସି ପଡ଼ିଥିଲେ ।

 

ଶଶାଙ୍କ ବାବୁ ମନେ ପକାଉଥିଲେ କାଲି ସନ୍ଧ୍ୟାବେଳର କଥା । କାଲି ଆଉ ଆଜିର ସନ୍ଧ୍ୟା କେତେ ଏକା ଭଳି ଅଥଚ ଦି’ ଟା ଭିତରେ ତଫାତ କେତେ ବେଶୀ ! ତାଙ୍କର ମିସେସ୍‌: ସରକାରଙ୍କ କଥା କେତୋଟି ମନେ ପଡ଼ୁଥିଲା ।

 

–‘‘ମୋର ଡର ଖାଲି ମରିବାକୁ’’, ସେ କହିଥିଲେ । ଶଶାଙ୍କ ବାବୁଙ୍କର ଆହୁରି ମନେ ପଡ଼ୁଥିଲା, ମିସେସ୍‌ ସରକାର ମଣିଷକୁ ଡରୁ ନ ଥିଲେ ।

 

ଅସଂଲଗ୍ନ ଭାବରେ ସେ ଦିନ ଦି’ ପହରର ପ୍ରଭାତ ବାବୁଙ୍କ କଥାରୁ ବି’ କେତେଟା ମନେ ପଡ଼ିଲା–‘‘ମତେ ଯେବେ କାହାକୁ କେବେ ମାରିବାକୁ ପଡ଼େ ।’’

 

ଶେଷରେ କାଲି ସନ୍ଧ୍ୟାର ସେଇ ଦୀର୍ଘନିଶ୍ୱାସ–ଘୋଟି ଆସୁଥିବା ଅନ୍ଧାର ଭିତରେ ଶଶାଙ୍କ ବାବୁ ଦୁଃଖିତ ଭାବରେ ମୁଣ୍ଡ ହଲେଇଲେ ।

 

–୧୦–

 

ଜଣ ଜଣ କରି ସବୁରିଠାରୁ ଜମାନବନ୍ଦୀ ନେଇଥିଲେ ଇନ୍‌ସପେକ୍‌ଟର ବାବୁ ।

 

ମରିବା ଆଗରୁ ସବା ଶେଷରେ ପ୍ରବୀର ବାବୁ ଦେଖିଥିଲେ ମିସେସ୍ ସରକାରଙ୍କୁ, ଆଉ ଚାରିଟା ବେଳେ ଚା’ ଦବାକୁ ଆସି ଝିଅ, ମାଳତୀ ମୃତ ଦେହ ଆବିଷ୍କାର କରିଥିଲା ।

 

ଦି’ ପହରେ କିଏ କୋଉଠି କଣ କରୁଥିଲା–ତା’ର ବି ଏକ ମୋଟାମୋଟି ଲିଷ୍ଟ କରାଯାଇଥିଲା । ସୁପ୍ରିୟା ଦେବୀ ରମେଶକୁ ଶୁଆଇ ଶୋଇ ପଡ଼ିଥିଲେ । ପରେ ପ୍ରାୟ ଚାରିଟା ବେଳେ ପ୍ରଥମେ ସେ ଦିହେଁ ଚା ଖାଇ ବୁଲିବାକୁ ଯାଇଥିଲେ ।

 

କୁମାରବାବୁ ଦି’ ପହରଟା କାଗଜପତ୍ର ଦେଖା ଦେଖି କରି ନିଜ ରୁମ୍‌ରେ କଟେଇ ଥିଲେ । ପରେ ଚା ଖାଇବାକୁ ଆସି ପ୍ରବୀର ବାବୁଙ୍କଠାରୁ ଶୁଣିଲେ ଦୁର୍ଘଟଣା କଥା ।

 

ପ୍ରଭାତ ବାବୁ ଛବି ଆଙ୍କୁଥିଲେ–ଶଶାଙ୍କ ବାବୁଙ୍କର । ପରେ ନିଜ ରୁମ୍‌କୁ ଯାଇ ବଦଳି ସେ ବି’ ସମୁଦ୍ରକୂଳକୁ ଚାଲି ଯାଇଥିଲେ ।

 

ଶଶାଙ୍କ ବାବୁ ସବୁଦିନ ପରି ନିଜ ପ୍ରିୟ ଜାଗାଟିରେ ବସି ଚା’ ପାଇଁ ଅପେକ୍ଷା କରୁ କରୁ ଚାକର ରାମଠାରୁ ଶୁଣିଥିଲେ ଦୁର୍ଘଟଣା କଥା ।

 

ନଗେନ୍ଦ୍ରବାବୁ ହୋଟେଲ ପଟକୁ ଥିବା ନିଜ ଫ୍ଳାଟ୍‌ରୁ ବାହାରକୁ ଆସି ନାହାନ୍ତି । କିଛି ବେଳ ଶୋଇବାଘରେ, ଆଉ କିଛିବେଳ ଅଫିସ ଘରେ କଟେଇ ଥିଲେ ସେ । ଚାକର ଯାଇ ତାଙ୍କୁ ଦୁର୍ଘଟଣାର ଖବର ଦେଇଥିଲା ।

 

ଝିଅ ମାଳତୀ ଚାକର ବାକରଙ୍କ ଖଞ୍ଜାରେ ନିର୍ଦ୍ଦିଷ୍ଟ ତା’ ଘରେ ଦି’ପହରଟା କଟେଇଥିଲା-। ତା’ ପରେ ସବୁଦିନ ଭଳି ପ୍ରାୟ ଚାରିଟାବେଳେ ମିସେସ୍‌ ସରକାରଙ୍କୁ ଚା’ ଦବାକୁ ଆସିଥିଲା–ସେଇ ପ୍ରଥମେ ଯାଇ ପ୍ରବୀର ବାବୁଙ୍କୁ ଡାକିଲା ।

 

ପ୍ରଭାତ ବାବୁ ମୂଳରୁ ସ୍ପଷ୍ଟ କହି ଦେଇଥିଲେ ଯେ ନିହତ ହୋଇଥିବା ଭଦ୍ରମହିଳାଙ୍କ ସହ ତାଙ୍କର ପଡ଼ୁ ନଥିଲା । ସେ ଉତ୍ତର ଦଉଥିଲେ ବଡ଼ ବିରକ୍ତ ଭାବରେ–ଅଳ୍ପ ହସି କଥା ଶେଷରେ ସେ କହିଥିଲେ,

 

–‘‘ନାଁ ଏ ଖୁନ୍‍ଟା ମୁଁ କରିନି, କିନ୍ତୁ ଲୁଚେଇ ଲାଭ କଣ ? କଥାଟା ଯେତେବେଳ; ଲୁଚିବନି । ଯଦି ଶେଷ ପର୍ଯ୍ୟନ୍ତ ମୋର ଛବି ସହିତ ବିବାହ ପ୍ରସ୍ତାବରେ ସେ ବାଧା ଦେଇଥାନ୍ତେ, ତେବେ... ।’’ ବାକ୍ୟ ଅପୂର୍ଣ୍ଣ ରଖିଥିଲେ ସେ–

 

କୁମାର ବାବୁ କଥାର ଉତ୍ତର ଦଉଥିଲେ–ତାଙ୍କର ସବୁ ଦିନର ସେଇ ଅସ୍ଥିର ଭଙ୍ଗିରେ । ତାଙ୍କ କଥାରେ ନା ଥିଲା ଜୋର, ନା ଥିଲା ସତ୍ୟ ସୁଲଭ ସରଳତା । ଇନ୍‌ସପେକ୍ଟର ବାବୁ ପଚାରିଲେ, ‘‘ଆପଣ କଣ ଜାଣିଥିଲେ ଯେ ମିସେସ୍‌ ସରକାର ଶୋଇବା ଓଷଦ ଖା’ନ୍ତି ?’’

 

–‘‘ହଁ–ନାଁ–ମୁଁ ଜାଣିବି କେମିତି ? ମୁଁ ତ ତାଙ୍କୁ କେବେ–ସେ ତ କିଛି ଦିନ ହେଲା ଖାଉଥିଲେ–ଛବି ତାଙ୍କୁ ଦିଏ–ଦିନକୁ ଦି’ ଥର ସବୁଦିନ କିନ୍ତୁ ମୁଁ ଜାଣିବି କେମିତି ? ସ୍ଥିର ଦୃଷ୍ଟି ଆଗରେ ଶେଷକୁ ଆଖି ନୂଆଁଇଲେ କୁମାର ବାବୁ । ବିଚାରା–ହୁଏତ ଡରି ଯାଇଚନ୍ତି ଭୟାନକ ଭାବେ । ଶଶାଙ୍କ ବାବୁ ଟିକେ ସହାନୁଭୂତି ଅନୁଭବ କଲେ ।

 

ସୁପ୍ରିୟା ଦେବୀ ଉତ୍ତର ଦେଇଥିଲେ ସ୍ଥିର କଣ୍ଠରେ, କେବଳ ମଝିରେ ମଝିରେ ରମେଶ ମୁଣ୍ଡରେ ଧୀର ହାତ ରଖୁଥିଲେ ସେ । ଶଶାଙ୍କ ବାବୁ ଭାବୁଥିଲେ ତାଙ୍କ ଛଡ଼ା ଅନ୍ୟ କେହି କଥାଟିର ଅର୍ଥ ଗ୍ରହଣ କରି ପାରୁଥିବେ କି ନାହିଁ । ହୁଏତ–ସୁପ୍ରିୟା ଦେବୀ ଭାବୁଥିଲେ ପ୍ରଭାତ ବାବୁଙ୍କୁ ବିବାହ କରିବାକୁ ଜିଦ୍‌ କରିବା ଦ୍ୱାରା ରମେଶକୁ ମାତୃହୀନ କରେଇଛନ୍ତି ସେ । ଅର୍ଥାତ–ଶଶାଙ୍କ ବାବୁ ପ୍ରଭାତ ବାବୁଙ୍କ ବିସ୍ମିତ ମୁହଁକୁ ଚାହିଁ ଭାବିଲେ–ସୁପ୍ରିୟା ଦେବୀ ପ୍ରଭାତ ବାବୁଙ୍କର ହତ୍ୟାକାରୀ ସ୍ଥିର କରିଛନ୍ତି । ସୁପ୍ରିୟା ଦେବୀ ଭୁଲ୍‌ରେ ବି’ ଥରେ ପ୍ରଭାତ ବାବୁଙ୍କ ଆହତ, ଚକିତ ମୁହଁକୁ ଚାହିଁ ନ ଥିଲେ ।

 

ରମେଶ ଟେବଲ ଉପରେ ମୁଣ୍ଡ ଥୋଇଥିଲା–କାନ୍ଦୁଥିଲା ବୋଧେ । ତା’ ମୁହଁ ଦିଶୁ ନ ଥିଲା, କେବଳ ଦେହଟା ରହି ଥରି ଉଠୁଥିଲା । ପ୍ରବୀର ବାବୁ ଅନ୍ୟମନସ୍କ ଭାବରେ ବସିଥିଲେ ଝାଉଁବଣର ଅନ୍ଧାରକୁ ଚାହିଁ ।

 

ମୃତ ଦେହ ପାଖକୁ ଫେରିଯିବା ଆଗରୁ ଇନ୍‌ସପେକ୍‌ଟରବାବୁ ପ୍ରତିଟି ଜମାନବନ୍ଦୀ ଦସ୍ତଖତ କରେଇ ନେଇଥିଲେ । ଶେଷରେ ସେ କହିଲେ,

 

–‘‘ଯାହା ଜଣା ପଡ଼ୁଛି ଏଇଟା ଆତ୍ମହତ୍ୟା ନୁହେଁ । ଆଉ ମୋର ଧାରଣା ବାହାରର କାହାକୁ ଏଥିପାଇଁ ଦାୟୀ କରାଯାଇ ପାରିବନି । ଗୋଳମାଳଟା ନ ତୁଟିବାଯାଏ ଆପଣମାନେ ସମସ୍ତେ ଏଇଠି ରହିବା ଦରକାର–ପ୍ରଭାତବାବୁ ଆଉ ଶଶାଙ୍କ ବାବୁ ବି’ ।’’

 

ଇନ୍‌ସ୍‌ପେକ୍‌ଟର ବାବୁ କାଗଜପତ୍ର ଗୋଟାଇ ଚାଲି ଯିବା ଆଗରୁ ପୁଣି କହିଲେ–‘‘ହଁ, କହିବାକୁ ଭୁଲି ଯାଇଥିଲି–ଯୋଉ ଛୁରୀଟା ବ୍ୟବହାର କରାଯାଇଚି–ସେଇଟା ଗୋଟେ ଦାଢ଼ୁଆ ନେପାଳିଛୁରୀ, ସେଥିରୁ କେତେ ଗୁଡ଼େ ଟିପଚିହ୍ନ ମିଳିଛି, ତେଣୁ ଆମ ଲୋକ ଆସି କାଲି ଆପଣମାନଙ୍କ ହାତ ଟିପଚିହ୍ନ ନେଇଯିବ । ଚାକର ରାମ ମତରେ ଛୁରୀଟା ପ୍ରଭାତ ବାବୁଙ୍କର,’’ ସେ ଚାଲିଗଲେ ।

 

ସୁପ୍ରିୟା ଦେବୀ ରମେଶର ହାତଧରି ଡାକିଲେ, ‘‘ଆ ରମେଶ, ମୋ ସୁନା ଭାଇ’’–

 

ରମେଶ ମୁହଁ ତୋଳି ଚାହିଁଲା । ଶଶାଙ୍କ ବାବୁ ଏ ମଧ୍ୟରେ ଉଠି ପଡ଼ିଥିଲେ । ସେ ହଠାତ୍‌ ଅନୁଭବ କଲେ ଯେ ସେ କିଛି ଦେଖି ପାରୁନାହାନ୍ତି । ଦୃଷ୍ଟି ଅସ୍ପଷ୍ଟ, ଏମିତି କି ନିଜ ରୁମରେ ପହଞ୍ଚିବା ଭିତରେ ତାଙ୍କୁ ଦି’ ଥର ଝୁଣ୍ଟିବାକୁ ହେଲା । ‘‘ବିଚାରା’’–ଭାବୁଥିଲେ ସେ ।

 

–୧୧–

 

‘‘କଣ ଦେଖିଲେ ଡା: ରବିନ୍‌ସ ?’’ ଇନ୍‌ସପେକ୍‌ଟର ରଜତ୍‌ବାବୁ ଚେୟାର ଖଣ୍ଡେ ଟାଣି ବସିପଡ଼ିଲେ । ଘର ଭିତରେ ଆଲୁଅ ଜଳା ହେଇଥିଲା । ଜଣେ ଫଟୋଗ୍ରାଫର୍‌ ଆଉ ଦି’ ତିନି ଜଣ ସହକାରୀ, ଘରଟା ପରୀକ୍ଷା କରୁଥିଲେ ବିଧିବଦ୍ଧ ଭାବରେ । ଡା: ରବିନ୍‌ସ ବେସିନ୍‌ଟାରେ ହାତ ଧୋଇ ରୁମାଲରେ ପୋଛୁଥିଲେ ।

 

–‘‘ଦେଖନ୍ତୁ ରଜତ ବାବୁ–ମୋର ଏ ଭଳି କେଶ୍‌ ସଂପର୍କରେ ଅଭିଜ୍ଞତା ଖୁବ୍‌ କମ୍‌ । ତେଣୁ ମୋର ମନେହୁଏ ଆପଣ ଅନ୍ୟ କାହାକୁ ଦେଖେଇ ପ୍ରକୃତି କଥା ଥରେ ବୁଝି ନେବେ । ପ୍ରଥମ କଥା ହଉଚି, ଯୋଉ ନେପାଳୀ ଛୁରୀଟା ଖଟତଳୁ ମିଳିଛି–ଆଘାତଟା ତା’ରି ଦ୍ୱାରା ହେଇ ଥାଇପାରେ ।’’ ଡା: ରବିନ୍‌ସ ବୈଜ୍ଞାନିକର ଆଖିରେ ମୃତ ଦେହର ବେକ ପାଖଟା ଆଉ ସେଠାର ଆଘାତଟା ପରୀକ୍ଷା କରୁଥିଲେ । ପ୍ରାୟ ଇଞ୍ଚେ ଲମ୍ବା ଆଉ ଅଧ ଇଞ୍ଚେ ଚୌଡ଼ା ସେଇଟା–ତା’ ମଝିଟା ବେଶ୍‌ ଗଭୀର ।

 

–‘‘କି ଭଳି ଅସ୍ତ୍ର ବ୍ୟବହାର କରାଯାଇଚି ?’’ ରଜତ ବାବୁ ଛୋଟ ପକେଟବୁକ୍‌ଟାରେ କଣ ସବୁ ଲେଖୁଥିଲେ ।

 

–‘‘କୌଣସି ଗୋଟେ ଧାରୁଆ ଅସ୍ତ୍ର ବ୍ୟବହାର କରା ଯାଇଚି, ଏତିକି କେବଳ ସ୍ଥିର ଭାବରେ କୁହା ଯାଇପାରେ ।’’ ଡା: ରବିନ୍‌ସ ଭାବି ଚିନ୍ତି ଉତ୍ତର ଦେଲେ ।

 

–‘‘ଅନ୍ୟ କିଛି ଆଘାତର ଚିହ୍ନ ନାହିଁ ନା ?’’ ରଜତ୍‌ବାବୁ ପ୍ରଶ୍ନ କଲେ ।

 

–‘‘ନାଁ–ସେଇ ଗୋଟାକ ଅଦ୍ଭୁତ ମନେ ହଉଚି–ଅନ୍ତତଃ କିଛିଟା ପ୍ରତିରୋଧର ଚିହ୍ନ–’’ ଟିକେ ବିସ୍ମିତ ଭାବରେ କହିଲେ ଡା: ରବିନ୍‌ସ ।

 

–‘‘ସେ ଶୋଇବା ଓଷଦଟା କଥା ମନେଅଛି ତ ? ଧରନ୍ତୁ ଯଦି ସେଥିରୁ ଦି’ ଚାରିଟା ଏକ ସାଙ୍ଗରେ ଖୁଏଇ ଦିଆଯାଏ ?’’ ଶିଶିଟା ଟେବଲ୍‍ ଉପରେ ଥୁଆ ହେଇଥିଲେ ବି’ ହାତରେ ନ ଧରି ଅଙ୍ଗୁଠିରେ ଦେଖେଇଲେ ଇନ୍‌ସପେକ୍‌ଟର ବାବୁ ।

 

–‘‘ତେବେ ନିଦଟା ଗାଢ଼ ହୁଅନ୍ତା–ନିଦ ଓଷଦ ସେଇଟା । ଗୋଟା ଲେଖାଁ ପିଲ୍‌ ଥରକେ ଖାଇବା କଥା । କିନ୍ତୁ ସେଥିରେ ମୃତ୍ୟୁ ହବନି । ସତେତ–ଓଷଦଟା ତ’ ଏତେ ଚଞ୍ଚଳ ସରିବା କଥା ନୁହେଁ ?’’ ଡା: ରବିନ୍‌ସ ଏଇଥର ବେଶ୍‌ବ୍ୟସ୍ତ ହେଇପଡ଼ି ପ୍ରଥମଥର ପାଇଁ ଲକ୍ଷ୍ୟ କଲେ ଶିଶିଟା ଖାଲି ।

 

–‘‘କୋଡ଼ିଏଟା ଖଣ୍ଡେ ସରିବା କଥା’’–ଚିନ୍ତିତ ଭାବରେ ସେ କହିଲେ ।

 

–‘‘କିନ୍ତୁ ବୋତଲ ଖାଲି’’–କଥା ପୂରଣ କଲେ ଇନ୍‌ସ୍‌ପେକ୍‌ଟର ବାବୁ ।

 

–‘‘ତା ଛଡ଼ା–କିଛିଦିନ ହବ ଟାଇଫଏଡ଼୍‌ରୁ ଉଠିଥିଲେ ବି’ ଏ ମଧ୍ୟରେ ମିସେସ୍‌ ସରକାରଙ୍କ ଦୁର୍ବଳତା ପ୍ରାୟ ଚାଲି ଯାଇଥିଲା ।’’ ଡା: ରବିନ୍‌ସ ଧୀର ସ୍ୱରରେ କହିଲେ ।

 

–‘‘ମୃତ୍ୟୁର କାରଣ ତେବେ ଏଇ ଆଘାତଟା–ଓଷଦଟାର ସେଥିରେ କିଛି ହାତ ନାହିଁ ।’’ ଇନ୍‌ସ୍‌ପେକ୍‌ଟର ବାବୁ ତାଙ୍କ ଲେଖାରେ ପୁଣି ମନଦେଲେ ।

 

–‘‘ଅବଶ୍ୟ ପୋଷ୍ଟମଟେମ୍‌ କଲା ପରେ ସବୁ ଠିକ୍‌ ଭାବରେ ଜଣା ପଡ଼ିବ । ତଥାପି ମୋର ମନେହୁଏ–ଆପଣଙ୍କ କଥା ସତ । ଆଘାତଟାଇ ମୃତ୍ୟୁର କାରଣ । ତା’ଛଡା ରକ୍ତ, ଆଉ କ୍ଷତିର ରଙ୍ଗ ଦେଖୁଛନ୍ତି ?’’ ଓଲଟା ପ୍ରଶ୍ନ କଲେ ଡା: ରବିନ୍‌ସ । ତା’ ପରେ ପୁଣି ନିଜେଇ କହିଲେ–

 

–‘‘ଆଘାତଟା ମାରାତ୍ମକ–ମୃତ୍ୟୁର କାରଣ ହେଲା ଆଘାତଟାର ସ୍ଥାନ ଆଉ ବହିବା ରକ୍ତର ପରିମାଣ ।’’

 

–‘‘ଏଥର ମୃତ୍ୟୁର ସମୟଟା କୁହନ୍ତୁ’’ ଇନ୍‌ସ୍‌ପେକ୍‌ଟର ବାବୁ ଏଇଥର ମୁଣ୍ଡ ଉଠେଇ ପଚାରିଲେ ।

 

–‘‘ଧରନ୍ତୁ ପ୍ରାୟ ଦୁଇ ଘଣ୍ଟାରୁ ଅଢ଼େଇ ଘଣ୍ଟା ତଳେ; ତା’ ମାନେ ଦୁଇଟା, ଦୁଇଟା ତିରିଶ ମଧ୍ୟରେ । ଆଘାତଟାର କିଛି ପରେ ମୃତ୍ୟୁ ହେଇଚି । ରକ୍ତଟା ଦେଖି ମନ ହୁଏ–ପ୍ରାୟ ପଚିଶ ଠାରୁ ତିରିଶ ମିନିଟ୍‌ ଭିତରେ । ଯଦିଓ ଏଭଳି ଆଘାତରେ ଅନେକ ସମୟରେ ଆଘାତଟାର ଅନେକ ପରେ ମୃତ୍ୟୁ ହୁଏ ।’’

 

–‘‘ଧନ୍ୟବାଦ୍, ଅନ୍ତତଃ ମୃତ୍ୟୁର ସମୟଟା ନ ଜାଣିଲେ କାମଇ କରି ହୁଏନା । ଇନ୍‌ସ୍‌ପେକ୍‌ଟର ବାବୁ ପକେଟ୍‌ବୁକ୍ ବନ୍ଦ କଲେ ।

 

–୧୨–

 

ସବୁଦିନ ଭଳି ସେ ଦିନ ବି’ ଶଶାଙ୍କ ବାବୁ ସମୁଦ୍ର କୂଳେ ଠିଆ ହେଲେ ଆସି । ସେଦିନ ସକାଳେ ବି ନୋଳିଆ ମାନଙ୍କର ସାନ ସାନ ଡଙ୍ଗା ଗୁଡ଼ିକ ଢେଉର ତାଳେ ତାଳେ ଭାସି ଯାଉଥିଲା-। ଆକାଶ ପରିଷ୍କାର, କେବଳ ପଶ୍ଚିମପଟର ଦିଗ୍‌ବଳୟ ଉପରେ ଧୂଆଁ ଭଳି ଲାଖି ରହିଥିଲା ଛୋଟ ଖଣ୍ଡେ ମେଘ । ଶଶାଙ୍କ ବାବୁ ଛାଇ ଯାଗାଟିଏ ଖୋଜି ଗୋଟିଏ ବାଲିକୁଦ ପାଖରେ ପହଞ୍ଚିଲେ-। କିନ୍ତୁ ବସିବାକୁ ଯାଇ ଅଟକି ଗଲେ ସେ ।

 

ବାଲିରେ ଅଙ୍କା ଯାଇଥିଲା ଗୋଟେ ଚିତ୍ର । ମଣିଷ ବୋଲି ବୁଝେଇବାକୁ ଯୋଉ ଚିତ୍ର କରାଯାଇଥିଲା, ତା’ର ମୁଣ୍ଡ ନ ଥିଲା । ଆଉ ପାଖରେ ଅଙ୍କା ଯାଇଥିଲା । ଅସ୍ୱାଭାବିକ ବଡ଼ ଗୋଟେ ଛୁରୀର ଚିତ୍ର–ଏମିତିକି ସେଇଟାର ଆକାର ମସ୍ତକହୀନ, ସେ ମଣିଷ ଚିତ୍ରଠାରୁ ବି’ ଥିଲା ବହୁତ ବଡ଼ । ଶଶାଙ୍କ ବାବୁ ଗୋଡ଼ରେ ବାଲି ଆଡ଼େଇ ତାକୁ ଲିଭେଇ ଦେଲେ ସତ–କିନ୍ତୁ ତାଙ୍କ ଗୋଡ଼ଠାରୁ ମୁଣ୍ଡ ଯାଏ ଥରେ ଥରି ଉଠିଲା । ମୁଣ୍ଡର ସେଇ ଯନ୍ତ୍ରଣାଟା ପୁଣି–ସେ ଦି’ ହାତରେ ମୁଣ୍ଡ ଚାପି ବସି ପଡ଼ିଲେ ।

 

କାହା ସହିତ ଦେଖା ହେଇଯିବା ଭୟରେ ସେ ପୂର୍ବଦିନ ସନ୍ଧ୍ୟାଠାରୁ ସେ ପର୍ଯ୍ୟନ୍ତ ଲୁଚି ଲୁଚି ବୁଲୁଥିଲେ । ମଣିଷମାନଙ୍କ ପ୍ରତି କେମିତି ଗୋଟେ ମାନସିକ ବିତୃଷ୍ଣା ଅନୁଭବ କରୁଥିଲେ ସେ-। ତେଣୁ, ସେମାନଙ୍କଠୁଁ ଦୂରରେ ରହିବାକୁ ପ୍ରାଣପଣେ ଚେଷ୍ଟା କରିଥିଲେ ସେ । ପୂର୍ବ ଦିନର ଘଟଣାଟାକୁ ଭୁଲିବାକୁ ଚେଷ୍ଟା କରି ସୁଦ୍ଧା ଭୁଲି ପାରି ନ ଥିଲେ ସେ । ଅସ୍ୱସ୍ତ ଭାବରେ ନିଜର ଅନିଚ୍ଛାରେ ସୁଦ୍ଧା ସେ ଖୋଜୁଥିଲେ ଜଣେ କାହାକୁ–ଦୁର୍ଘଟଣାଟା ପାଇଁ ଦାୟୀ କରିବାକୁ ।

 

ଅନ୍ୟମନସ୍କ ଭାବରେ ତଳକୁ ଚାହିଁ ପ୍ରଭାତ ବାବୁ ଆସୁଥିଲେ । ଶଶାଙ୍କ ବାବୁଙ୍କୁ ଦେଖିପାରି ସେ ଧୀର ପାଦରେ ଆସି ତାଙ୍କ ପାଖରେ ଠିଆ ହେଲେ ।

 

–ଅନ୍ୟ ସବୁରି ଭଳି ଆପଣ ବି’ ମତେ ଘୃଣା କରିବାକୁ ଆରମ୍ଭ କରିଛନ୍ତି–ଏଇତ ?’’ ପ୍ରଭାତ ବାବୁ ସାମାନ୍ୟ ଥଟ୍‌ଟାର ସହିତ କହିଲେ ।

 

ଶଶାଙ୍କ ବାବୁ ତାଙ୍କ କଥାର କିଛି ଉତ୍ତର ଦେଲେନି । କିନ୍ତୁ ପ୍ରଭାତ ବାବୁଙ୍କ ମୁହଁର ହତାଶା ସେ ଲକ୍ଷ୍ୟ କରି ପାରିଥିଲେ । ତଥାପି ଶଶାଙ୍କ ବାବୁ କେମିତି ନିର୍ବିକାର ଅନୁଭବ କଲେ । ଅସମ୍ଭବ ନୁହେ–ଖୁନ୍ କରିବାର ସମସ୍ତ କାରଣ ଥିଲା ପ୍ରଭାତ ବାବୁଙ୍କର, ପୁଣି ଛୁରୀଟା ତାଙ୍କର ବୋଲି ସେ ନିଜେ ବି’ କହିଥିଲେ ।

 

‘‘ସତ କଥା କହୁ ନାହାନ୍ତି କାହିଁକି, ସେତିକି ଶୁଣିଲେ ତ ମୁଁ ଚାଲି ଯାଇଥା’ନ୍ତି । ମୋର ବିରକ୍ତିକର ସାନ୍ନିଧ୍ୟରୁ ଆପଣ ରକ୍ଷା ପାଇଥା’ନ୍ତେ । ତା ପରେ ହଠାତ୍‌ ବିଶ୍ୱାସର କଥା କହିବା ଭଳି ମୃଦୁ ସ୍ୱରରେ ପ୍ରଭାତ ବାବୁ କହିଲେ–’’ମୋର କହିବାକୁ ଆପତ୍ତି ନାହିଁ ଯେ ଏଇକ୍ଷଣି ମୋର ମନେ ହଉଚି ପ୍ରକୃତରେ ଖୁନ୍‌ଟା ନିଜେ କରିଥିଲେ ବୋଧେ ଆହୁରି ଭଲ ହେଇଥାନ୍ତା । ସେତେବେଳେ ଅନ୍ତତଃ ଗୋଟେ କାମ ସଫଳଭାବରେ କରିପାରି ଥିବାରୁ ମନରେ ଗୌରବ ବୋଧଟା ଥାନ୍ତା ।’’ ପ୍ରଭାତ ବାବୁ ଟାଣି ଟାଣି ହସୁଥିଲେ ଅସଂଲଗ୍ନ ଭାବରେ ।

 

–‘‘ଅର୍ଥାତ ଆପଣ କହିବାକୁ ଚାହାନ୍ତି ଯେ ଆପଣ ଖୁନ୍‌ଟା କରି ନାହାନ୍ତି ?’’ ଶଶାଙ୍କ ବାବୁ ନିରୀହ ସ୍ୱରରେ କହିଲେ କିନ୍ତୁ ମନେ ମନେ ଯଥେଷ୍ଟ ବିରକ୍ତ ହେଇଥିଲେ ସେ ।

–‘‘ଆଚ୍ଛା ଧରନ୍ତୁ ମୁଁ ଖୁନ୍‌କରିବି ବୋଲି ଧରି ନେଲେ ସମୟ ସଂପର୍କରେ ଗୋଳମାଳ ହବନି କି ?’’ ଏଥର ପ୍ରଭାତ ବାବୁ ସ୍ଥିର ଆଖିରେ ଶଶାଙ୍କ ବାବୁଙ୍କୁ ଚାହିଁଲେ, ସତେ ଯେମିତି ଉତ୍ତରଟା ସେ ଦାବୀ କରୁଥିଲେ–ସେଇଟା ଏକ ରକମ ତାଙ୍କର ପ୍ରାପ୍ୟ ।

–‘‘ଆପଣ କାଲି ଦି’ପହରେ ଠିକ୍‌ ଯେତିକିବେଳେ କିଛି ଗୋଟିଏ ଖୋଜିବାକୁ ମୋ ପାଖରୁ ଚାଲିଯାଇଥିଲେ– ଖୁନ୍‌ଟା ହଉଥିଲା ସେତିକିବେଳେ ।’’

–‘‘କେତେବେଳେ ମୁଁ ସମୟ ପାଇଲି ଖୁନ୍‌ କରିବାକୁ ? ପ୍ରାୟ ଦଶମିନିଟ୍‍ ମୁଁ ଯାଇଥିଲି ଘର ଭିତରକୁ । ପ୍ରକୃତରେ ସେ ରଙ୍ଗ ଟ୍ୟୁବ୍‌ଟା ଖୋଜିଥିଲି ମୁଁ ।’’ ଏଥର ପ୍ରଭାତ ବାବୁଙ୍କ ଗଳାରେ ହତାଶା ଫୁଟିଲା ।

–‘‘ସେ କଥା କେବଳ ଆପଣ କହୁଚନ୍ତି, ସେ ସମୟ ଭିତରେ ଆପଣ ଅକ୍ଳେଶରେ ମିସେସ୍‌ ସରକାରଙ୍କ ରୁମ୍‌କୁ ଯାଇ ଆସି ପାରିଥା’ନ୍ତେ । ତା’ ଛଡ଼ା ସେ ସମୟତକ ଦଶ ମିନିଟ ନ ହୋଇ କୋଡ଼ିଏ ମିନିଟ ବି’ ହୋଇପାରେ ତ ? କେହିତ ଆଉ ଘଣ୍ଟା ଦେଖି ନ ଥିଲା ?’’ ଶଶାଙ୍କ ବାବୁଙ୍କ ବିରକ୍ତି ବଢ଼ିଯାଉଥିଲା, କିନ୍ତୁ ମନଟା ଯେ ନରମି ନ ଆସିଥିଲା ଏମିତି ନୁହେଁ । ତେବେ ମନକୁ ଶକ୍ତ କରିବାକୁ ତାଙ୍କ ଚେଷ୍ଟାରେ ତ୍ରୁଟି ନ ଥିଲା । କିଏ ଜାଣେ–ପ୍ରଭାତ ବାବୁ ବି’ତ ଖୁନୀ ହେଇ ପାରନ୍ତି ?

–‘‘କିନ୍ତୁ ଆପଣ ତ ମତେ ତା’ ପରେ ପରେ ଦେଖିଥିଲେ । ମୋ’ଠି କଣ କିଛି ସମୟ ତଳେ ନିଷ୍ଠୁର ଭାବରେ ଏମିତି ଗୋଟେ ହତ୍ୟା କରି ଆସିଥିବାର କିଛି ଲକ୍ଷଣ ଆପଣ ଦେଖିଥିଲେ-?’’

 

ପ୍ରଭାତ ବାବୁ ଅନ୍ୟମନସ୍କ ଭାବରେ ଦୂରକୁ ଚାହିଁଥିଲେ, ହଠାତ୍‌ ତାଙ୍କ ଆଖିରେ ତୀକ୍ଷ୍‌ଣତା ଫୁଟି ଉଠିଲା ।

ଶଶାଙ୍କବାବୁ ବୁଲି ଚାହିଁଲେ । ବହୁଦୂରରେ ଦି’ଜଣ ଲୋକ ସେଇ ଆଡ଼େ ଆସୁଥିଲେ, ବାଲିରେ ଚାଲି ଚାଲି । ସେ ଅନୁମାନ କଲେ ଜଣେ ସୁପ୍ରିୟା ଦେବୀ–ଅନ୍ୟଜଣକ ରମେଶ । ରମେଶ ଶଶାଙ୍କ ବାବୁଙ୍କ ମନ ପ୍ରଭାତ ବାବୁଙ୍କ ପ୍ରତି ପୁଣି ବିମୁଖ ହୋଇ ଉଠିଲା, ବିଚାରା ରମେଶ–ଏଡ଼େ ପିଲାଦିନୁ ତାକୁ ମାତୃହରା କରିବାକୁ ସାମାନ୍ୟ ଦୟା ଆସିଲାନି କେମିତି !

–‘‘ଆପଣ ଯଥେଷ୍ଟ ସମୟ ପାଇଥିଲେ ଆପଣଙ୍କ ହାତରୁ ଆଉ ମନରୁ ଆପଣଙ୍କ କୀର୍ତ୍ତିର ସମସ୍ତ ଚିହ୍ନ ପୋଛି ଦବାକୁ । ତା’ ଛଡ଼ା ମୋର ମନେ ପଡ଼ୁଛି ଆପଣ ଫେରିବା ପରେ ମୁଁ ଆପଣଙ୍କ ହାତକୁ ଲକ୍ଷ୍ୟ କରିଥିଲି । ଆପଣଙ୍କ ହାତ ଥରୁଥିଲା ।’’ ଶଶାଙ୍କ ବାବୁ ସନ୍ଦେହୀ ଆଖିରେ ଚାହିଁଲେ ପ୍ରଭାତ ବାବୁଙ୍କ ଅନ୍ୟମନସ୍କ ମୁହଁକୁ ।

‘‘–ସେ ତ ସ୍ୱାଭାବିକ–ମୁଁ ଯାହା ଦେଖି ଆସିଥିଲି’’–ଏଥର ହଠାତ୍‌ ଫେରି ଚାହିଁଲେ ପ୍ରଭାତ ବାବୁ ଶଶାଙ୍କ ବାବୁଙ୍କ ମୁହଁକୁ କଥା ମଝିରେ ରହିଯାଇ ।’’

–‘‘କଣ ଦେଖି ଆସିଥିଲେ ?’’ ଶଶାଙ୍କ ବାବୁ କିନ୍ତୁ ନଛୋଡ଼ବନ୍ଧା; ସେ ନିରୀହ ସ୍ୱରରେ ପଚାରି ବସିଲେ ।

–‘‘ଲୁଚେଇ କଣ ଲାଭ, ଛୁରୀଟାରୁ ହାତଚିହ୍ନ ମିଶାଇ ଆଜି ବୋଧେ ମତେ ଇନ୍‌ସପେକ୍‌ଟ୍‌ର ହତ୍ୟା ଅଭିଯୋଗରେ ଗିରଫ୍ କରିବେ, ‘‘ଉଃ–କି ବୋକା ମୁଁ’’–ପ୍ରଭାତ ବାବୁ ହତାଶ ଭାବରେ କହିଲେ ।

 

–‘‘ଆପଣ କଣ ଦେଖି ଆସିଥିଲେ ?’’ ଶଶାଙ୍କ ବାବୁ କିନ୍ତୁ କଥାଟିର ଉତ୍ତର ଶୁଣିବାକୁ ଚାହୁଁଥିଲେ ।

 

–‘‘ମୁଁ ପ୍ରକୃତରେ କାଲି ଆପଣଙ୍କ ପାଖରୁ ଆସି ମିସେସ୍‌ ସରକାରଙ୍କ ରୁମ୍‌କୁ ଯାଇଥିଲି-।’’ ପ୍ରଭାତ ବାବୁ ଧୀର ସ୍ୱରରେ କହିଲେ ।

 

–‘‘କାହିଁକି ଯାଇଥିଲେ ?’’

 

–‘‘ଆପଣ ବୋଧେ ଜାଣନ୍ତିନି ମିସେସ୍‌ ସରକାରଙ୍କର ଛବି–ସୁପ୍ରିୟା ସହିତ ମୋ ବିବାହ ବିରୁଦ୍ଧରେ ପ୍ରଧାନ ଆପତ୍ତିଟି କଣ ଥିଲା ।’’

 

ଶଶାଙ୍କ ବାବୁ କିଛି ନ କହି ଅପେକ୍ଷା କଲେ–ଯଦି ଓ କଥାଟା ସଂପର୍କରେ ତାଙ୍କର ନିଜସ୍ୱ ଗୋଟେ ମତ ଥିଲା ।

 

–‘‘ସେ କହୁଥିଲେ ଘରଦ୍ୱାରା ନାହିଁ ଏମିତି ଗୋଟେ ଲୋକ ମୁଁ’’–ପ୍ରଭାତ ବାବୁ କହି ଚାଲିଲେ–‘‘ସୁତରାଂ–ମୁଁ ଆପଣଙ୍କ ପାଖରୁ ପ୍ରକୃତରେ ଚାଲି ଆସିଥିଲି ରଙ୍ଗ ଟିଉବ୍‌ଟା ଖୋଜିବାକୁ-। କିନ୍ତୁ ହୋଟେଲ ବାରଣ୍ଡାରେ ଚାକର ରାମ ମତେ ଗୋଟେ ଟେଲିଗ୍ରାମ ଦେଲା । ସେଥିରେ ମୋ ଅଜାଙ୍କ ମରିବା ଖବର ଥିଲା ।’’ ଗପ କହିବା ଭଳି କହିଯାଉଥିଲେ ପ୍ରଭାତ ବାବୁ ।

 

–‘‘ଅବଶ୍ୟ ଏ ସବୁର ଆଉ ଏଇକ୍ଷଣି କଣ ଦରକାର ? ଯାହା ହବାର ହେଇଚି’’–ଏଇଥର ସେ ଚୁପ କଲେ ।

 

–‘‘ଟେଲିଗ୍ରାମ୍‌ଟା ପାଇ ଆପଣ କଲେ ?’’ ଏଥର ଶଶାଙ୍କ ବାବୁଙ୍କ ଗଳାରେ ଆଗ୍ରହ ଫୁଟିଲା ।

 

–‘‘ଟେଲିଗ୍ରାମ କରିଥିଲେ ମୋ ଓକିଲ–ଅଜା ମରିବା ପୂର୍ବରୁ ତାଙ୍କର ସବୁ ସମ୍ପତ୍ତି ମୋ ନାଁ’ରେ ଉଇଲ୍‌କରି ଯାଇଛନ୍ତି ।’’

 

–‘‘ଆପଣଙ୍କ ଅଜା ହେଲେ’’–ଶଶାଙ୍କ ବାବୁ ଟିକେ ସନ୍ଦିଗ୍ଧ ଭାବରେ ପଚାରିଲେ ।

 

–‘‘ସେଇଠି ଆପଣଙ୍କର ଭୁଲ ହେଲା’’–ଓଠ ବଙ୍କେଇ ବିଦ୍ରୂପର ହସ ହସିଲେ ପ୍ରଭାତ ବାବୁ, ‘‘ମୁଁ ଯେମିତି ଭାଗା–ମୋ ଅଜା ସେ ଶ୍ରେଣୀର ନୁହନ୍ତି; କିନ୍ତୁ–ଅର୍ଥାତ୍‌ ମରିବା ଆଗରୁ ସେ ବେଶ୍‌ କେତେକଟା ସମ୍ଭ୍ରମ ଅର୍ଜନ କରିଥିଲେ; ବୟସ ବେଳେ ଯାହା କରନ୍ତୁ ପଛେ–ଏମିତିକି ଗୋଟେ ଦି’ଟା ଖେତାବ ପର୍ଯ୍ୟନ୍ତ । ରାଜା ହରି ଦାସ ଦତ୍ତରାୟଙ୍କ ନାଁ ଆପଣ ଶୁଣିଛନ୍ତି ବୋଧେ ?’’ ପ୍ରଭାତ ବାବୁ ଏଥର ପୁଣି ଅନ୍ୟମନସ୍କ ହେଇ ପଡ଼ିଲେ । ଶଶାଙ୍କ ବାବୁ ବିସ୍ମିତ ହେଲେ, ରାଜା ହରିଦାସ ଦତ୍ତରାୟ–ବିଖ୍ୟାତ ବଡ଼ଲୋକ, ପ୍ରଭାତ ବାବୁ ତେବେ–।

 

–‘‘ବିଶ୍ୱାସ ନ ହେଲେ ଏଇ ଟେଲିଗ୍ରାମଟା ଦେଖି ପାରନ୍ତି’’–ପକେଟରେ ହାତ ଦେଇ ଚମକି ପଡ଼ିଲେ ପ୍ରଭାତ ବାବୁ ।

 

–‘‘କିନ୍ତୁ ସେଇଟା ତ ଏଠି ନାହିଁ ?’’ ସେ ଆକାଶରୁ ପଡ଼ିଲେ–ବ୍ୟସ୍ତ ଭାବରେ ସବୁ ପକେଟ ଖୋଜିଲେ ସେ । ତାଙ୍କ ମୁହଁ ସମ୍ପୂର୍ଣ୍ଣ ରକ୍ତହୀନ ହେଇ ପଡ଼ିଥିଲା ।

 

–‘‘ଠିକ୍‌ ହେଇଚି–ଏଥର ଆଉ କେହି ବିଶ୍ୱାସ କରିବେନି ମୁଁ ନିର୍ଦ୍ଦୋଷ ବୋଲି । ଖୁବ୍‌ଭଲ ହେଇଚି । ତା’ ଛଡ଼ା ତାର ଦରକାରବି’ କଣ ?’’ ପ୍ରଭାତ ବାବୁ ଚାଲି ଯାଉଥିଲେ ।

 

–‘‘ଟିକେ ରହନ୍ତୁ–ଟେଲିଗ୍ରାମଟା ପାଇବା ପରେ ଆପଣ କଣ କଲେ ?’’ ଶଶାଙ୍କ ବାବୁ ଯେତେ ଚେଷ୍ଟା କରି ବି’ ପ୍ରଭାତ ବାବୁଙ୍କ କଥା ଅବିଶ୍ୱାସ କରି ପାରୁ ନ ଥିଲେ ।

 

–‘‘ତା ପରେ ? ହଁ ଟେଲିଗ୍ରାମଟା ପାଇବା ପରେ, ମୋ ମୁଣ୍ଡରେ ହଠାତ୍‌ ଗୋଟେ ଚିନ୍ତା ଆସିଲା–ମଉ ଭୂତ ଲାଗିଲା ଭଳି ମୁଁ ସେଇଟା ଦେଖେଇବାକୁ ମିସେସ୍‌ ସରକାରଙ୍କ ରୁମ୍‌ରେ ପହଞ୍ଚିଲି । ସେ ସେତେବେଳକୁ ମରି ସାରିଥିଲେ, ଶେଯ ତକିଆ ରକ୍ତରେ ଭାସୁଥିଲା । ବୋକାଙ୍କ ଭଳି ଛୁରୀଟା ଭିଡ଼ି ବାହାର କରିବାକୁ ଯାଇ ଦେଖିଲି ସେଇଟା ମୋ ଛୁରୀ, ବାହାରି ଆସିଲା ସେଇଟା ଆଉ ଗଳି ପଡ଼ିଲା ଖଟ ସନ୍ଧିରେ–ପ୍ରାଣ ଭୟରେ ମୁଁ–କିନ୍ତୁ ଆପଣ ଯଦି ବିଶ୍ୱାସ ନ କରନ୍ତି ତେବେ ମତେ ଅକାରଣେ ବକଉଚନ୍ତି କାହିଁକି ?’’ ବିରକ୍ତ ଭାବରେ ପ୍ରଭାତ ବାବୁ ବଡ଼ ବଡ଼ ପାହୁଣ୍ଡ ପକେଇ ଚାଲିଗଲେ ।

 

ଶଶାଙ୍କ ବାବୁ ଚିନ୍ତିତ ଭାବରେ ବାଲିରେ ଗାର ଟାଣୁ ଥିଲେ । ସତେତ–! କଥାଟା ସତ ହେଲେ, ଜିନିଷଟା ଗୋଳମାଳିଆ ।

 

ରମେଶ ଆସି ତାଙ୍କ ପାଖରେ ଠିଆ ହେଲା, ପ୍ରାୟ ପଚିଶ ହାତ ଦୂରରେ ସୁପ୍ରିୟା ଦେବୀ ବସିଥିଲେ । ରମେଶ ଗମ୍ଭୀର ଭାବରେ ପଚାରିଲା,–‘‘ମା’କୁ କିଏ ମାରିଚି ଜାଣନ୍ତି ?’’ ତା’ ପରେ ଶଶାଙ୍କ ବାବୁଙ୍କ ବିହ୍ୱଳମୁହଁକୁ ଚାହିଁ ଯୋଗ କଲା । –‘‘ମୁଁ ଜାଣେ–’’

 

–‘‘ମିନୁକୁ ବି ସେଇ ମାରିଥିଲେ, ମା’ର ଶୋଇବାଘର ଥାକ ଉପରର ସେ ବିଷ ବୋତଲରୁ ବିଷ ଦେଇ–ମୁଁ ଠିକ୍‌ ଜାଣିଚି । କୁମାର ଭାଇ ପ୍ରକୃତରେ ମିନୁକୁ ମାରିଥିଲେ–ମତେ ମାଳତୀ କହିଚି, ଆଉ ମୁଁ ଜାଣେ, ମାଁକୁ ବି’ ସେଇ ମାରିଚନ୍ତି ।’’ ସେ ସ୍ଥିର ଆଖିରେ ଶଶାଙ୍କ ବାବୁଙ୍କ ମୁହଁକୁ ଚାହିଁଲା ।

 

ଶଶାଙ୍କ ବାବୁ ତା’ କଥାର କିଛି ଉତ୍ତର ଦେଲେନି । କେଜାଣି–କୁମାର ବାବୁଙ୍କର ଶେତା, ରକ୍ତହୀନ ମୁହଁ ତାଙ୍କର ମନେ ପଡ଼ିଲା । ଆଉ ବି’ ଗୋଟିଏ କଥା ସେ କଥା ସେ ମନେ ପକଉଥିଲେ ।

 

କେତେ ଦିନ ତଳର ଗୋଟିଏ ସନ୍ଧ୍ୟା–ସେ ଦିନ ପ୍ରବୀର ବାବୁ କହିଥିଲେ, ‘‘ତମର ବି’ ଭୁଲିଯିବା ଉଚିତ ନୁହେଁ ଯେ କିଏ କଣ କଲା ତା’ ସବୁବେଳେ ତମେ ଜାଣି ପାରିବନି–କିଏ ତମର ଅବାଧ୍ୟ ହେଲାକି ନାହିଁ କେମିତି ଖବର ରଖିବ ତମେ ?’’

 

–‘‘ମୁଁ କିନ୍ତୁ କିଏ କଣ କରୁଚି ଠିକ୍‌ ଜାଣି ପାରିବି–ହେଇ ସେ ଦିନ କୁମାର–ମୁଁ ସବୁ ଜାଣେ’’–ମିସେସ୍‌ ସରକାର କଥାଟି ବଡ଼ ଅର୍ଥପୂର୍ଣ୍ଣ ଭାବରେ ଶେଷ କରିଥିଲେ । ତା’ପରେ କୁମାର ତାଙ୍କର ବାବୁଙ୍କର ସେ ଅପ୍ରତିଭ, ନିର୍ଜୀବ ଅବସ୍ଥା–ଶଶାଙ୍କ ବାବୁ ଭାବୁଥିଲେ କୁମାର ବାବୁଙ୍କ ସମ୍ପର୍କରେ ମିସେସ୍‌ ସରକାର ଏମିତି କଣ ଜାଣିଥିଲେ ?

 

–୧୩–

 

ଗଛ ମୂଳର ପୂର୍ବ ଜାଗାଟିରେ ବସି ଶଶାଙ୍କ ବାବୁ ଖବର କାଗଜ ପଢ଼ୁଥିଲେ–ଅନ୍ତତଃ ପଢ଼ିବାକୁ ଚେଷ୍ଟା କରୁଥିଲେ । କିନ୍ତୁ ସେଥିରେ ମନ ଦେଇ ପାରୁ ନ ଥିଲେ ସେ । ଦି’ ପହରର ନିର୍ଜନତା ବରଂ ତାଙ୍କୁ ଚିନ୍ତା କରିବାକୁ ପ୍ରବର୍ତ୍ତାଉ ଥିଲା ।

 

ଚାକର ଆଣି ଇନ୍‌ସପେକ୍ଟର ରଜତ ବାବୁଙ୍କ ସେଠି ପହଞ୍ଚେଇ ଦେଇଗଲା । ଶଶାଙ୍କ ବାବୁ ଭଦ୍ର ଭାବରେ ନମସ୍କାର କରି ଭାବୁଥିଲେ ହାତ ଓ ଟିପଚିହ୍ନ ଗୁଡ଼ାକ ନେଇ ରଜତ ବାବୁ କି ସିଦ୍ଧାନ୍ତରେ ପହଞ୍ଚିଥିବେ ।

 

–‘‘ନମସ୍କାର–ପୁଣି ଥରେ ଆପଣଙ୍କୁ ବିରକ୍ତ କଲି ।’’ ରଜତ୍‌ବାବୁ ବସି ପଡ଼ି କହିଲେ ।

 

–‘‘କଥା କଣ ଜାଣନ୍ତି, ମୋର ମନେ ହେଲା ଏଠି ଆପଣ କେବଳ ମାତ୍ର ଲୋକ ଯେ କୌଣସି ବାଟେ ଏମାନଙ୍କ ସଙ୍ଗେ ସଂପୃକ୍ତ ନୁହେଁ–ଅଥଚ ଘଟଣାଟି ବିଷୟରେ ସବୁ ପ୍ରାୟ ଜାଣନ୍ତି-। ତେଣୁ ଆପଣଙ୍କ ସହିତ କେତେଟା କଥା କହି, କେତେଟା ବିଷୟ ପରିଷ୍କାର କରି ନବାର ଲୋଭ ହେଲା ।’’

 

–‘‘ନିଶ୍ଚୟ–କିନ୍ତୁ ମୁଁ ଏଠାକୁ ଆସିବା ପୂର୍ବ ପର୍ଯ୍ୟନ୍ତ ଏମାନଙ୍କୁ ଆଦୌ ଚିହ୍ନି ନଥିଲି–ତା’ ଯେମିତି ଭୁଲି ନ ଯା’ନ୍ତି ।’’ ଶଶାଙ୍କ ବାବୁ ଇଚ୍ଛା କରି କହିଲେ, ରଜତ ବାବୁ କାଳେ ଖୁବ୍‌ ବେଶୀ କିଛି ଆଶା କରି ବସିବେ ସେଇ ଭୟରେ ।

 

–‘‘ପ୍ରଥମରୁ କହି ରଖେ ଯେ ମୃତଦେହ ପାଖରୁ ମିଳିଥିବା ଛୁରୀଟାରେ କେବଳ ମାତ୍ର ପ୍ରଭାତ ବାବୁଙ୍କ ହାତ ଚିହ୍ନ ସହିତ ସାମଞ୍ଜସ୍ୟ ଥିବା ଚିହ୍ନ ମିଳୁଚି–ତା’ ପୁଣି ଖୁବ୍‌ ପୁରୁଣା ବି’ ନୁହେଁ । ଆଉ ସଂଖ୍ୟା ବି’ ଖୁବ୍‌ ବେଶୀ ନୁହେଁ । ଆମ ବିଶେଷଜ୍ଞ ମତରେ ଛୁରୀଟି ପ୍ରଥମେ ଖୁବ୍‌ ସାବଧାନରେ ପୋଛି ଦିଆଯାଇ ଅନ୍ୟ ସବୁ ଚିହ୍ନ ଲିଭାଇ ଦିଆଯାଇଚି । ପରେ ଏ ଚିହ୍ନ ପଡ଼ିଚି ।’’

 

–‘‘ଛୁରୀଟା ପ୍ରଭାତ ବାବୁଙ୍କର ଯେତେବେଳେ ସେଥିରେ ତାଙ୍କ ହାତ ଚିହ୍ନ ପଡ଼ିବା କଥା-।’’ ଶଶାଙ୍କ ବାବୁ ବିସ୍ମିତ ଭାବରେ କହିଲେ, କିନ୍ତୁ ରଜତ ବାବୁ ଉତ୍ତର ଦେଲେନି ।

 

–‘‘ଯଦି ପ୍ରଭାତ ବାବୁ ହତ୍ୟାକାରୀ ହୋଇ ଥା’ନ୍ତେ’’–ଏଥର ଟିକେ ନର୍ଭସ ଭାବରେ ଆରମ୍ଭ କଲେ ଶଶାଙ୍କ ବାବୁ ।

 

–‘‘ମୁଁ ସେଇ କଥା କହିବାକୁ ଯାଉଥିଲି–ଯଦି ପ୍ରଭାତ ବାବୁ ହତ୍ୟାକରୀ ହେଇଥା’ନ୍ତେ, ତେବେ ସେ କଣ ଏମିତି ପରିଷ୍କାର ଭାବରେ ନିଜକୁ ଧରେଇ ଦବା ଭଳି ବୋକାମୀ କରିଥା’ନ୍ତେ–ସବୁ ଚିହ୍ନ ଗୁଡ଼ା ପୋଛି ଦେଇ ନିଜ ହାତର ସ୍ପଷ୍ଟ ଚିହ୍ନ କେତେଟା ଛାଡ଼ି ଆସି ଥା’ନ୍ତେ ?’’ ରଜତ ବାବୁ ପଚାରିଲେ ।

 

–‘‘ସେ ବି’ ଗୋଟେ କଥା–କିନ୍ତୁ ସତରେ କହିବାକୁ ଗଲେ ତାଙ୍କ ନିଜ କଥା ଅନୁସାରେ ପ୍ରଭାତ ବାବୁ ମିସେସ୍‌ ସରକାରଙ୍କ ରୁମ୍‌କୁ ଯାଇଥିଲେ ଖୁନ୍‌ର କିଛି ପରେ ।’’ ଶଶାଙ୍କ ବାବୁ ଧୀର ସ୍ୱରରେ ଶୁଣିଥିବା କଥା କେତେଟା ରଜତ ବାବୁଙ୍କ ଆଗରେ ପୁନରାବୃତ୍ତି କଲେ ।

 

–‘‘କଥାଟା ସତ ହେଇ ଥାଇପାରେ–ଅନ୍ତତଃ ମିଳୁଥିବା ସବୁ ପ୍ରମାଣ ଅନୁସାରେ, କିନ୍ତୁ ଟେଲିଗ୍ରାମଟା’’–ରଜତ ବାବୁ ସବୁ ଶୁଣିସାରି ଚିନ୍ତିତ ଭାବରେ କହିଲେ ।

 

–‘‘ଟେଲିଗ୍ରାମଟା ମିଳିଥିଲେ କଥାଟା ଆହୁରି ବିଶ୍ୱାସ ଯୋଗ୍ୟ ହୁଅନ୍ତା–ତେବେ ଆପଣ ଇଚ୍ଛା କଲେ ଟେଲିଗ୍ରାଫ୍‌ ଅଫିସରୁ କଥାଟାର ସତ୍ୟତା ବୁଝି ପାରନ୍ତି ।’’ ଶଶାଙ୍କ ବାବୁ ଟିକେ ସହାନୁଭୂତଶୀଳ କଣ୍ଠରେ କହିଲେ ।

 

–‘‘ଶୋଇବା ଓଷଦ ବୋତଲଟି ସମ୍ପୂର୍ଣ୍ଣ ଖାଲି ଭାବରେ ମିଳିଚି ସେ ଘରୁ, କିନ୍ତୁ ପ୍ରବୀର ବାବୁ ଓ ଡା: ରବିନ୍‌ସ ଉଭୟେ କହନ୍ତି ସେଇଟାରେ ଥିଲା ପ୍ରାୟ ଶହେଟା ଟ୍ୟାବ୍‌ଲେଟ୍‌ ଆଉ ଖର୍ଚ୍ଚ ହେଇଥିବା କଥା ଖୁବ୍‌ ଜୋର୍‌ କୋଡ଼ିଏଟା । ମୁଁ ବର୍ତ୍ତମାନ କେବଳ ପୋଷ୍ଟମର୍ଟେମ୍‌ର ରିପୋର୍ଟକୁ ଅପେକ୍ଷା କରୁଚି, ଯଦି ସବୁତକ ଓଷଦ ଖିଆଯାଇଥାଏ’’–ରଜତ୍‌ବାବୁ ପୁଣି ଟିକେ ହସିଲେ–‘‘ଅବଶ୍ୟ ଡା: ରବିନ୍‌ସଙ୍କ ମତରେ ସେଥିରୁ ଗୋଟିଏ ଖାଇଲେ ବି ଦି’ ଘଣ୍ଟା ପେଇଁ ଅନ୍ତତଃ ବେଶ୍‌ ଟାଣ ନିଦ ହବ । ପୁଣି ଛୁରୀରେ ଆଘାତ ପାଇବାର ପ୍ରତିରୋଧର କୌଣସି ଚିହ୍ନ ନଥିବାରୁ ମନେ ହୁଏ, ନିଦରେ ଶୋଇଥିବା ବେଳେ ମୃତ୍ୟୁ ହେଇଚି ।’’

 

–‘‘ମୁଁ ଶୁଣିଲି ସେ ଘରେ ଆଉ ଗୋଟେ ବିଷ ଓଷଦ ଶିଶି ଥିଲା ?’’ ମୃଦୁ ସ୍ୱରରେ ଶଶାଙ୍କ ବାବୁ ପଚାରିଲେ ।

 

–‘‘କାହାଠୁଁ ଶୁଣିଲେ ?’’ ଟିକେ ସନ୍ଦିଗ୍‌ଧ ଭାବରେ ରଜତ ବାବୁ ପଚାରିଲେ–ତା’ ପରେ ଭାବିଲେ ତାଙ୍କ ଅନୁମାନ ପ୍ରକୃତରେ ଠିକ୍‌ । ନିର୍ଜୀବ, ପାଣ୍ଡୁର ଏ ଲୋକଟା ମୁଣ୍ଡରେ ବୁଦ୍ଧି ବେଶ୍‌ କେତେକଟା ।

 

‘‘ପ୍ରବୀର ବାବୁଙ୍କ ପୁଅ ରମେଶକୁ ଦେଖିଛନ୍ତି ? ତା’ର ଗୋଟେ କୁକୁର ଥିଲା । କିଛିଦିନ ତଳେ ରୋଗୀଣା ହେଇ ଥିବାରୁ ସେଇଟାକୁ ମାରି ଦିଆ ଯାଇଛି । ରମେଶ କହେ କୁମାର ବାବୁ ତା କୁକୁରଟାକୁ ଶୋଇବା ଘରର ସେଇ ବିଷ ଓଷଦଟା ଦେଇ ମାରି ଦେଇଛନ୍ତି ।’’

 

‘‘ଓହୋଃ–ହଁ–ଓଷଦଟାର ନାଁ ହେଲା–ରଫ୍‌ଅନ୍‌ ର‍୍ୟାଟ୍‌ସ୍‌ (Rough on rats), ସେ ବୋତଲଟା ବି’ ମୁଁ ପରୀକ୍ଷା କରିବାକୁ ଦେଇଚି ।’’ ରଜତ୍‌ବାବୁ ଏଇଥର ଉଠିଲେ ।

 

‘‘–ପ୍ରବୀର ବାବୁ ଆଉ ତାଙ୍କ ସ୍ତ୍ରୀଙ୍କ ଭିତରେ ଖୁବ୍‌ ଭଲ ପଡ଼ୁଥିଲା କି ?’’ ହଠାତ୍‌ କଣ ଭାବି ରଜତ ବାବୁ ପଚାରି ବସିଲେ ।

 

–‘‘କହି ପାରିବିନି’’–ସତର୍କ ହେଇ ଉଠିଲେ ଶଶାଙ୍କ ବାବୁ ।

 

–‘‘ତେବେ ମିସେସ୍‌ ସରକାର ଥିଲେ କଡ଼ା ଧରଣର ଲୋକ, ନିଜର ଆଖ ପାଖରେ ଥିବା ସୁବରି ଠାରୁ ବାଧ୍ୟତା ସେ ଏକରକମ ଦାବୀ କରୁଥିଲେ । ଆଉ ବିବାହିତ ଜୀବନର ଏତେବର୍ଷ ଭିତରେ କଣ ଏ ନେଇ କେବେ କିଛି ମନୋମାଳିନ୍ୟ ହେଇ ନ ଥିବ ? ଅବଶ୍ୟ ପ୍ରବୀର ବାବୁ ଥଣ୍ଡା ସ୍ୱଭାବର ଲୋକ ।’’ ଶଶାଙ୍କ ବାବୁ ରଜତ ବାବୁଙ୍କ ଆଡ଼କୁ ଚାହିଁଥିଲେ କିନ୍ତୁ ତାଙ୍କ ମନର ଚିନ୍ତାଗୁଡ଼ିକ ତାଙ୍କୁ ବ୍ୟତିବ୍ୟସ୍ତ କରି ପକଉଥିଲେ । ତେଣୁ ରଜତ ବାବୁ ଚାଲି ଗଲା ପରେ ବି’ ସେ ନିଶ୍ଚଳ ଭାବରେ ବସି ରହିଥିଲେ ।

 

–୧୪–

 

ଚାକର ରାମ ଆଣି ଚା’ ଜଳଖିଆ ଦେଇଗଲା । ଶଶାଙ୍କ ବାବୁ ଅଟକେଇଲେ ତାକୁ ।

 

–‘‘ଆଚ୍ଛା ରାମ ମିସେସ ସରକାରଙ୍କୁ ସମସ୍ତେ ଡରୁଥିଲେ ନାଁ ?’’ ଶଶାଙ୍କ ବାବୁ ଭାବିଚିନ୍ତି କଥା ଆରମ୍ଭ କଲେ ।

 

–‘‘ବାବା–ସାକ୍ଷାତ ମା ଚଣ୍ଡୀ ଯେ–କୁମାର ବାବୁ ତ’’–ରାମ ଟିକେ ଆଶ୍ଚର୍ଯ୍ୟ ଭାବରେ ଉତ୍ତର ଦେଲା ।

 

–‘‘କୁମାର ବାବୁ ଖୁବ୍‌ ଡରୁଥିଲେ–କିନ୍ତୁ ପ୍ରବୀର ବାବୁ କଣ ଠିକ୍‌ ସେମିତି ଡରୁଥିଲେ ?’’

 

–‘‘ପ୍ରବୀର ବାବୁ ? –ନାଁ ପ୍ରବୀର ବାବୁ ଠିକ୍‌ ଡରୁ ନ ଥିଲେ ତେବେ ମାଳତୀ କହୁଥିଲା ସବୁ ସମ୍ପତ୍ତି କୁଆଡ଼େ ମିସେସ୍‌ ସରକାରଙ୍କ ନାଁରେ ଅଛି–ଥିଲା । କୁମାର ବାବୁ ସବୁ ବୁଝା ବୁଝି କରନ୍ତି ।’’

 

–‘‘ଇନ୍‌ସ୍‌ପେକ୍‌ଟରଙ୍କ ସେ ଆର ଲୋକଟି କହୁଥିଲା ଯେ କୁଆଡ଼େ ପ୍ରଭାତ ବାବୁ’’–ରାମ ଅଟକି ଯାଇ ଇତସ୍ତତ କଲା ।

 

–‘‘ଯୋଉ ଛୁରୀଟାରେ ମରାଯାଇଚି ସେଇଟା ପ୍ରଭାତ ବାବୁଙ୍କର କି’ ନା ?’’ ଶଶାଙ୍କ ବାବୁ ମୁଣ୍ଡ ହଲେଇ କହିଲେ ।

 

–‘‘କିନ୍ତୁ ମୁଁ ଜାଣେ ପ୍ରଭାତ ବାବୁ ଖୁନ୍‌ କରି ନାହାନ୍ତି–ସେଦିନ ମୁଁ ନିଜେ ତାଙ୍କୁ ଦେଖିଚି । ମୁ’ହିଁ ତ ଟେଲିଗ୍ରାମଟା ଆଣି ଦେଇଥିଲି ତାଙ୍କୁ । ତା’ ଛଡ଼ା ଦି’ମାସ ହେଲା ଦେଖୁଚି–କିଏ କେମିତି ଲୋକ ଜାଣି ପାରିବିନି ? ସେ ସେମିତି ଲୋକ ନୁହନ୍ତି ।’’ ରାମ ଦୃଢ଼ ସ୍ୱରରେ କହିଲା ।

 

–‘‘ଟେଲିଗ୍ରାମଟାରେ କଣ ଲେଖା ଥିଲା ତମେ ଜାଣିଚ ରାମ ?’’ ଶଶାଙ୍କ ବାବୁ ପଚାରିଲେ ।

 

–‘‘ପରେ ଜାଣିଲି–ଆହା–ଦି’ ଅକ୍ଷର ଇଂରାଜୀ ପଢ଼ି ଜାଣୁଥିଲେ କଣ’’–ରାମ ଟିକିଏ ଦୁଃଖର ସହିତ କହିଲା ।

 

–‘‘ହେଲେ ମିସେସ୍‌ ସରକାରଙ୍କ ସାଙ୍ଗରେ ତାଙ୍କର ଭଲ ଜ୍ଞାନ ଥିଲା ଜାଣିଚ ତ ? ପୁଣି ଛୁରୀଟା’’–ଶଶାଙ୍କ ବାବୁ ମୃଦୁ ସ୍ୱରରେ ମତ ପ୍ରକାଶ କଲେ କେବଳ ।

 

–‘‘ମିସେସ ସରକାରଙ୍କର ସାଙ୍ଗରେ ତ କାହାର ଭଲ ପଡ଼ୁନଥିଲା । ମୁଁ ତ କୁମାର ବାବୁଙ୍କ କଥା ଜାଣିଚି । ସେ ଖାଲି ଡରକୁଳା ବୋଲି । ନ ହେଲେ ମିସେସ୍‍ ସରକାର ଯୋଉଭଳି ଲୋକ–ଆଉ ଛୁରୀ କଥା କହିଲେ ଯେ–ଛୁରୀଟା ପ୍ରଭାତ ବାବୁ ଯେମିତି ରଖନ୍ତି–ସହଜରେ ଯେ କେହି ତାକୁ ହାତ କରି ପାରନ୍ତା । ତା’ଛଡ଼ା ଏମିତି ହବବୋଲି ଏବେ କିଏ ଜାଣିଥିଲା ।’’

 

–‘‘ହଁ, କିନ୍ତୁ କୁମାର ବାବୁଙ୍କ କଥା କଣ କହୁଥିଲ ଯେ ?’’ ଶଶାଙ୍କ ବାବୁ ମୃଦୁ ସ୍ୱରରେ ପଚାରିଲେ ।

 

–‘‘ଆଜ୍ଞା ମୁଁ କିଛି ଜାଣିନି–ହେଲେ’’–ରାମ ଏଥର ଟିକେ ଇତସ୍ତତ କରୁଥିଲା ।

 

–‘‘ମୁଁ ଦିନେ କୁମାର ବାବୁଙ୍କୁ ଖୁବ୍ ରାଗି କରି ମେମ୍‌ ସାହେବଙ୍କ ସାଙ୍ଗେ କଥାବାର୍ତ୍ତା କରିବାର ଦେଖିଚି । ବହୁତ ଦିନ ତଳେ’’–

 

–‘‘ପ୍ରାୟ କେତେ ଦିନ ହବ ?’’

 

–‘‘ତା’ ଠିକ୍‌ କହି ପାରିବିନି ଆଜ୍ଞା’’–

 

–‘‘କଣ କହୁଥିଲେ ସେ ?’’ ଆଗ୍ରହରେ ପଚାରିଲେ ଶଶାଙ୍କ ବାବୁ ।

 

–‘‘ମୁଁ ଏତେ କାନ ଦେଇନି–’’ ରାମ ଗମ୍ଭୀର ଭାବରେ କହିଲା ।

 

–‘‘ତଥାପି–’’ ଶଶାଙ୍କ ବାବୁ ଟିକେ ରହି ପୁଣି ଆରମ୍ଭ କଲେ–

 

–‘‘କଥା କ’ଣ କି ମତେ ଇନ୍‌ସ୍‌ପେକ୍ଟର ବାବୁ କହୁଥିଲେ ଯେ ପ୍ରଭାତ ବାବୁ କୁଆଡ଼େ ସେଦିନ ଦି’ ପହରେ ମିସେସ୍‌ ସରକାରଙ୍କ ଘରକୁ ଯାଇଥିଲେ । ଅନ୍ୟ ସମସ୍ତେ ହେଲେ ଘରର ଲୋକ, କେବଳ ବାହାର ଲୋକ ସେ–ପୁଣି ତାଙ୍କର ମିସେସ୍‌ ସରକାରଙ୍କ ସାଙ୍ଗେ ବେଶ ଅପଡ଼ ଥିଲା ।’’ ହାଇ ମାରିଲେ ଶଶାଙ୍କ ବାବୁ ।

 

–‘‘କହିଚି ତ ସେମିତି ଲୋକ ସାଙ୍ଗରେ କାହାର ଭଲ ପଡ଼ି ପାରିବନି ।’’ ଏଥର ରାମ ବିରକ୍ତ ଭାବରେ କହିଲା ।

 

–‘‘ମୁଁ ତ ଶୁଣିଚି–ସେଦିନ କୁମାର ବାବୁ ଖୁବ୍‌ ରାଗି ଚିତ୍କାର କରୁଥିଲେ, ଆଉ ମେମ୍‌ ସାହେବ–ତାଙ୍କ ହସଟା ମନେ ପଡ଼ିଲେ ମୋ ରକ୍ତ ପାଣି ହେଇଯାଏ । ସତେ କି ବାଘୁଣୀ–କୁମାର ବାବୁ କହୁଥାନ୍ତି, ‘‘ବେଶୀ ଦିନ ନୁହେଁ–ଆଉ ବେଶୀ ଦିନ ଏମିତି ଯିବନି, ଆଉ ଏମିତି କେତେ କଣ-।’’ ରାମ ମୁଣ୍ଡ ହଲେଇଲା ।

 

–‘‘ହୁଁ ।’’ ଶଶାଙ୍କ ବାବୁ ଚୁପ ରହି ପୁଣି ଥରେ ଭାବିଲେ କୁମାର ବାବୁଙ୍କ ବିଷୟରେ ମିସେସ୍‌ ସରକାର ଏମିତି କଣ ଜାଣି ଥିଲେ । ଅନ୍ୟମନସ୍କ ଭାବରେ ମଗର ଝରକାଟା ଉପରେ ଆଖି ପଡ଼ି–ଚମକି ଉଠିଲେ ସେ ।

 

–‘‘ସେ ଘରଟା ଖୋଲିଲାଣି ତେବେ ?’’ ଝରକାରୁ ଆଖି ନ ଫେରେଇ ସେ କହିଲେ ।

 

–‘‘ହଁ, ଆଜି ଖୋଲି ଦେଲେ ଇନ୍‌ସପେକ୍ଟର ବାବୁ ।’’ ରାମ ଚାଲିଗଲା ।

 

ଶଶାଙ୍କ ବାବୁ ସେ ଝରକାକୁ ଚାହିଁ ଭାବୁଥିଲେ କିଛି ଦିନ ତଳର ସେଇ ବିଶେଷ ଦିନଟି କଥା । ତାଙ୍କର ଆଖି ଆଗରେ–ହଁ–କହିବାକୁ ଗଲେ ଖୁନ୍‌ଟା ହେଲା ତାଙ୍କରି ଆଖି ଆଗରେ । ଅଥଚ–କଣ କଣ ଦେଖିଥିଲେ ସେ ସେଦିନ ? ସେ ମନେ ପକେଇବାକୁ ଚେଷ୍ଟା କରୁଥିଲେ । କିଛି ମନେ ପଡ଼ିଲାନି ତାଙ୍କର କେବଳ ପ୍ରଭାତ ବାବୁଙ୍କ କ୍ୟାମେରାଟା ଛଡ଼ା, କ୍ୟାମେରାଟାରେ ନିଜର ଅଜାଣତରେ ଗୋଟେ ଫଟୋ ଉଠେଇ ଥିଲେ ସେ–ଆଉ ଚମକି ପଡ଼ି ଆଗକୁ ଚାହିଁଲା ବେଳକୁ ଝରକାଟାରେ ଦେଖିଲେ ଗୋଟିଏ ହାତ, ଝରକାର ପର୍ଦ୍ଦା ଟାଣି ଦେଉଥିଲା ସେ ହାତ । ଆଚ୍ଛା ଫଟୋଟାରେ କଣ ଉଠିଥିବ ? ଟିକେ କୌତୁହଳୀ ଭାବରେ ସେ ଭାବିଲେ ।

 

–ଝରକା ଆଉ ସେ ହାତ–ନା–ଠିକ୍‌ ଝରକାର ପର୍ଦ୍ଦା ବନ୍ଦ ହେଇ ଯିବାର ଟିକେ ଆଗରୁ ସେ ସଟର ଟିପି ଥିଲେ । ବୋଧେ ସେତେବେଳେ ପର୍ଦ୍ଦା ବନ୍ଦ ହେଇ ନ ଥିଲା । ତା’ ହେଲେ ଘର ଭିତରର ଗୋଟେ ଦୃଶ୍ୟ ହୁଏତ ଥିବ ଫଟୋଟାରେ । ଫଟୋ ଉଠେଇବାର କିଛି ପୂର୍ବର ଘଟଣା ତାଙ୍କର ମନେ ପଡ଼ୁଥିଲା ।

 

ଖଟ ଉପରେ ଥିଲେ ମିସେସ୍ ସରକାର–ପ୍ରବୀର ବାବୁ ତାଙ୍କୁ କାଚ ଗ୍ଲାସଟା ବଢ଼େଇ ଦେଇଥିଲେ । ଫଟୋଟାରେ ମିସେସ୍‌ ସରକାର ଥିବେ କି ?

 

ସେ ମୃଦୁ ହସି ଠିକ୍‌ କଲେ ସୁବିଧା ପାଇଲେଇ ସେ ପ୍ରଭାତ ବାବୁଙ୍କଠୁଁ ନେଗେଟିଭଟା ଆଣିବେ । ଅବଶ୍ୟ କେହି ଯେମିତି କିଛି ସନ୍ଦେହ ନ କରନ୍ତି ।

 

ଡା: ରବିନ୍‌ସ ଆଉ ପ୍ରବୀର ବାବୁ ଆସି ପହଞ୍ଚିଲେ ।

 

–‘‘ଇନ୍‌ସପେକ୍‌ଟରଙ୍କର ଧାରଣା ଥିଲା ଯେ ମୁଁ ଦେଇଥିବା ଶୋଇବା ଓଷଦରୁ ସବୁତକ ଖୁଆଇ ଦିଆଯାଇଚି ।’’ ଡା: ରବିନ୍‌ସ ଶଶାଙ୍କ ବାବୁଙ୍କ ଚା’ ଆଣିବା ପ୍ରସ୍ତାବରେ ଅମତ ହେଇ କଥା ଆରମ୍ଭ କଲେ ।

 

ପ୍ରବୀର ବାବୁ ଓ ଡା: ରବିନ୍‌ସ ବସି ପଡ଼ିଥିଲେ ଶଶାଙ୍କ ବାବୁଙ୍କ ପାଖେ ।

 

–‘‘ଶୋଇବା ଓଷଦଟାକୁ ତା’ହେଲେ ବ୍ୟବହାର କରାଯାଇନି ? କିନ୍ତୁ ଓଷଦ ଶିଶିଟା ଯେ ଏକଦମ୍‌ ଖାଲିଥିଲା ।’’ ଶଶାଙ୍କ ବାବୁ ପଚାରିଲେ ।

 

–‘‘ପୋଷ୍ଟମର୍ଟେମ ରିପୋର୍ଟରୁ ଜଣାଯାଇଚି ଯେ ପାକସ୍ଥଳୀ ଭିତରେ ନ ଥିବା ଉଚିତ ଏମିତି କୌଣସି ଜିନିଷ ନାହିଁ । ଶୋଇବା ଓଷଦର ଯୋଉ ପରିମାଣ ମିଳିଚି–ସେଇଟା ଆଦୌ ବିଷାକ୍ତ ନୁହେଁ ।’’ ଡା: ରବିନ୍‌ସ କଥାରେ ଜୋରଦେଇ କହିଲେ ।

 

–‘‘କିନ୍ତୁ ତା ସମ୍ଭବ ହେଲା କେମିତି ?’’ ଗଭୀର ବିସ୍ମୟର ସହିତ କହିଲେ ପ୍ରବୀର ବାବୁ-

 

ଏଥର ଡା: ରବିନ୍‌ସ ପଚାରିଲା ଆଖିରେ ତାଙ୍କୁ ଚାହିଁଲେ,–କାହିଁକି ?’’

 

–‘‘ମୁଁ’’–ପ୍ରବୀର ବାବୁଙ୍କ ମୁହଁ ରକ୍ତହୀନ ଦିଶିଲା–‘‘କାଇଁକି ନା–ପେଟ ଭିତରୁ ବିଷଟା ମିଳିବ ବୋଲି ମୁଁ ଭାବିଥିଲି ।’’ ଶାନ୍ତ, ସଂଯତ ଭାବରେ ଉତ୍ତର ଦେଲେ ସେ ।

 

–‘‘ବିଷ ? କିନ୍ତୁ ଶୋଇବା ଓଷଦଟା ବିଷ ନୁହେଁ । ମୋ କଥା କେହି ବିଶ୍ୱାସ କରିବାକୁ ଚାହାନ୍ତିନି । କି ଆଶ୍ଚର୍ଯ୍ୟ–କୋଡ଼ିଏ ବର୍ଷ ହେଲା ପ୍ରାକ୍‌ଟିସ୍‌ କଲିଣି, ମୁଁ ବିଷ ଆଉ ଶୋଇବା ଓଷଦ ଭିତରେ ତଫାତ୍‌ ଜାଣିନି ?’’ ବିରକ୍ତି ଭାବରେ କହିଲେ ଡା:ରବିନ୍‌ସ । ଶଶାଙ୍କ ବାବୁ ବୁଝି ପାରିଲେ ସେ ନିଦ ଓଷଦଟା ନେଇ ଏ ମଧ୍ୟରେ ଇନ୍‌ସପ୍ଟେରଙ୍କ ସାଙ୍ଗରେ ଡାକ୍ତରଙ୍କର ଟିକେ ବଚସା ହେଇଚି ।

 

–‘‘ନ ହେଲା ଅବା ମୋ କଥାଟା ବିଶ୍ୱାସ ଯୋଗ୍ୟ ନୁହେଁ–ପୋଲିସ ଡାକ୍ତର ବି’ତ ବର୍ତ୍ତମାନ ସେଇଆ କହିଲେ ।’’ ଏଥର ଡା: ରବିନ୍‌ସ ଗମ୍ଭୀର ଭାବରେ ଚୁପ୍‌ କରିଗଲେ ।

 

ପ୍ରବୀର ବାବୁ ତାଙ୍କ ମୁହଁକୁ ଚାହିଁ ଧୀର ସ୍ୱରରେ କହିଲେ,

 

–‘‘କିନ୍ତୁ ମୁଁ ନିଦ ଓଷଦ କଥା କହୁ ନ ଥିଲି । ବରଂ ସେ ଆର ବିଷଟା–ଯୋଉଟା ଦେଇ କୁକୁରଟାକୁ ମାରି ଦିଆ ଯାଇଥିଲା ।’’ ସେ ଡା: ରବିନ୍‌ସଙ୍କ ମୁହଁକୁ ସ୍ଥିର ଆଖିରେ ଚାହିଁ ରହିଥିଲେ ।

 

–‘‘My God ! ସେଇଟା ଏ ସାଙ୍ଗରେ ଏ କଥାର ସଂପର୍କ କଣ ?’’ ଖୁବ୍‌ ଆଶ୍ଚର୍ଯ୍ୟ ଭାବରେ କହିଲେ ଡା: ରବିନ୍‌ସ । ଶଶାଙ୍କ ବାବୁ ଭାବୁଥିଲେ ହୁଏତ ପ୍ରବୀର ବାବୁ ଏତେବେଳ ପରେ ଭାଙ୍ଗି ପଡ଼ିବାକୁ ଯାଉଛନ୍ତି, ହୁଏତ ତାଙ୍କ ମୁଣ୍ଡ ଠିକ୍‌ ନାହିଁ । ହେଲେ ପ୍ରବୀର ବାବୁଙ୍କୁ ଠିକିଛି ମାତ୍ର ଅସ୍ୱାଭାବିକତା ଦେଖା ଯାଉ ନ ଥିଲା ।

 

–‘‘ସଂପର୍କ ଅତି ଘନିଷ୍ଠ, ସେଇଟାରୁ କେତେଟା ପାଣିରେ ଗୋଳେଇ ମୁଁ ମୋ ସ୍ତ୍ରୀ ଙ୍କୁ ଖାଇବାକୁ ଦେଇଥିଲି କି ନା ?’’ ପ୍ରବୀରବାବୁ ଟିକେ ବେଳ ଅପେକ୍ଷା କଲେ ଯେମିତି, ତା’ପରେ ଶ୍ରୋତା ଦିହିଙ୍କ ବିହ୍ୱଳ ମୁହଁକୁ ଚାହିଁ ଅଳ୍ପ ହସିଲେ–ଜୋର୍‌ କରି ।

 

–‘‘ପିଲା ଦି’ଟାକୁ ସବୁବେଳେ ଏମିତି ହଇରାଣ କରୁଥିଲେ ସେ । କୁମାର ତ’ ମଣିଷ ହେଇ ନାହିଁ–ଛବିର ଜୀବନ ବି’ ନଷ୍ଟ ହବାକୁ ଯାଉଥିଲା । ସେଇଥିପାଇଁ–ଖୁବ୍‌ ଭାବିଚିନ୍ତି ଅବଶ୍ୟ କାମଟା କରିଥିଲି, ଆଉ ପୋଲିସ ହାତରେ ଧରା ବି’ ଦବାକୁ ଯାଉଥିଲି । କିନ୍ତୁ’’–ଏଇଠି ପ୍ରବୀର ବାବୁଙ୍କ ଭ୍ରୂକୁଞ୍ଚିତ ହେଇଗଲା ।

 

–‘‘କିନ୍ତୁ ଛୁରୀଟା ?’’ ଶଶାଙ୍କ ବାବୁ ପ୍ରଥମେ ନିଜକୁ ସଂଯତ କରି ପାରିଥିଲେ–ଯଦିଓ ତାଙ୍କ ମୁଣ୍ଡ ଭିତରେ ମେସିନ୍‌ଗନ୍‌ ଚାଲିବା ଭଳି ଗୋଟେ ଅନୁଭୂତି ହଉଥିଲା; ସେ ଦି’ ହାତରେ ବାଳଗୁଡ଼ା ମୁଠେଇ ଧରିଥିଲେ ।

 

–‘‘ଛୁରୀଟା ଦେଖି ମୋର ସବୁ ପ୍ଲାନ୍‌ ନଷ୍ଟ ହେଇଗଲା । ଛୁରୀ ମୁଁ ବ୍ୟବହାର କରି ନଥିଲି ।’’ ପ୍ରବୀର ବାବୁ ଧୀର ସ୍ୱରରେ କହିଲେ–ତିନିଜଣଙ୍କ ମଧ୍ୟରେ ସେଇ ଥିଲେ ସବୁଠୁ ସ୍ୱାଭାବିକ ।

 

–‘‘ଶୋଇବା ଓଷଦଟା ?’’ ଡା: ରବିନ୍‌ସ ସନ୍ଦିଗ୍‌ଧ ଭାବରେ ପଚାରିଲେ, ହୁଏତ ତାଙ୍କର ବି’ ସନ୍ଦେହ ଆସିଥିଲା–ପ୍ରବୀର ବାବୁ ପାଗଳ ହେଇ ଯାଇଚନ୍ତି କି ନାହିଁ ସେ ବିଷୟରେ ।

 

–‘‘ସେଇଟା ବି’ ମୋ କାମ ନୁହେଁ । ମୁଁ ସେ ଦିନ ପାଣିରେ ବିଷଟା ମିଶେଇ–ଶୋଇବା ଓଷଦର ଠିକ୍‌ ଗୋଟିଏ ବଟିକା ଦେଇ ପାଣିଟା ଦେଇଥିଲି ।’’

 

ଶଶାଙ୍କ ବାବୁଙ୍କର ଗୋଟି ଗୋଟିକର ମନେ ପଡ଼ୁଥିଲା କଥାଟା, ପ୍ରବୀର ବାବୁଙ୍କ ହାତର ସେ ବୋତଲ–ପାଣି ଗ୍ଲାସଟା–ସେ ଧୀର ସ୍ୱରରେ ପଚାରିଲେ, ‘‘ଆଉ କାହାକୁ ଏ କଥା କହି ନାହାନ୍ତି ତ ?’’

 

–‘‘ନାଁ,–କିନ୍ତୁ ଦେଖା ହେଲେ ଇନ୍‌ସପେକ୍ଟରଙ୍କୁ କହିବି ସ୍ଥିର କରିଚି ।’’ ପ୍ରବୀର ବାବୁ ଉଠି ପଡ଼ିଲେ ।

 

–‘‘କିନ୍ତୁ ତାଙ୍କୁ କହି ଲାଭ କଣ ?–ଯେତେବେଳେ ମୃତ୍ୟୁର କାରଣ ବିଷ ନୁହେଁ । ବିଶେଷତଃ ପେଟରେ ବି’ ବିଷଟା’’–ମୃଦୁ ପ୍ରତିବାଦ କଲେ ଡା: ରବିନ୍‌ସ ।

 

–‘‘ମୋର ନିଜର କିଛି ସ୍ୱତନ୍ତ୍ର ମତ ନାହିଁ, ଆପଣ ଯାହା କହିବେ ତା’ ବି’ କରିପାରେ ।’’ ଉଦାସ, କ୍ଲାନ୍ତ ଭାବରେ କହିଲେ ବି’ ପ୍ରବୀର ବାବୁଙ୍କ ମୁହଁରେ ତୃପ୍ତି ଥିଲା । କଥାଟା ତାଙ୍କ ବିବେକକୁ ଖୁବ୍‌ ବିବ୍ରତ କରିଥିଲା ବୋଧେ ।

 

–୧୫–

 

ପ୍ରବୀର ବାବୁ ଚାଲିଗଲେ । ଡା: ରବିନ୍‌ସ ଚାହିଁଥିଲେ ତାଙ୍କ ଯିବା ବାଟକୁ ।

 

–‘‘ଆପଣ ବରଂ ମୋ ରୁମ୍‌କୁ ଚାଲନ୍ତୁ, ଡା: ରବିନ୍‌ସ, କିଛି ଦିନ ଧରି ଦେହଟା କେମିତି ଭଲ ଲାଗୁନି ।’’ ଶଶାଙ୍କ ବାବୁ ଉଠିଲେ ।

 

–‘‘ଛାତିରେ କିଛି କଷ୍ଟ ହଉନି ତ ?’’ ଟିକେ ବ୍ୟସ୍ତ ଭାବରେ ହା: ରବିନ୍‌ସ ପଚାରିଲେ ।

 

–‘‘ନାଁ–ବରଂ ମୁଣ୍ଡଟା ବିନ୍ଧୁଚି ରହି ରହି, ରାତିରେ ନିଦ ବି’ ହଉନି ଠିକ୍‌ ମତେ ।’’ ଶଶାଙ୍କ ବାବୁ ପୋର୍ଟିକୋ ଆଡ଼େ ଆଗେଇ ଯାଉଥିଲେ, ଟିକେ ଛଡ଼ାରେ ଡା: ରବିନ୍‌ସ ।

 

–‘‘ମୁଁ ଯେଉଁ ଓଷଦଟା ଖାଇବା ପାଇଁ କହିଥିଲି–ବିଧିମତ ଖାଉଚନ୍ତି ତ ? ମୋର ମନେ ହୁଏ ଆପଣ ଏ ଘଟଣାକୁ ବହୁତ ଗୁରୁତ୍ୱ ଦଉଚନ୍ତି ଆଉ ବହୁତ ଭାବୁଚନ୍ତି ଏ ବିଷୟରେ ।’’ ଡା: ରବିନ୍‌ସ ସହାନୁଭୂତିଶୀଳ କଣ୍ଠରେ କହୁଥିଲେ ।

 

–‘‘ଉପାୟ କଣ ? ତା ଛଡ଼ା ନିଜ କଥା ଭାବିବା ଅପେକ୍ଷା–ଆପଣ ମୋ ଅବସ୍ଥାରେ ଥିଲେ ବୁଝନ୍ତେ । ବିଶେଷତଃ ଗତ କେତେ ବର୍ଷ ଧରି ତ ନିଜ କଥା ଖାଲି ଭାବୁଥିଲି । ଫଳ କଣ ହେଲା ସେଥିରେ ? ବରଂ ଏମିତିରେ ମନଟା ଗୋଟିଏ ବିଶେଷ କଥା ଚିନ୍ତାରୁ ଦୂରରେ ରହି ଅନ୍ୟ ବିଷୟ ଚିନ୍ତା କରୁଚି । ସେଇ ବିଶେଷ ଚିନ୍ତାଟି କଣ ତା’ ଆପଣ ଜାଣନ୍ତି ତ ? ମରିବା କଥାଟା ଏମିତିରେ ବି’ ବେଶ୍‌ କଷ୍ଟ ଦାୟକ, ଯାହାକୁ ମରିବାକୁ ପଡ଼େ ।’’ ଶଶାଙ୍କ ବାବୁ ଅଟକିଗଲେ ସିଢ଼ି ତଳେ । ତା’ ପରେ କଣ ଭାବି ହଠାତ୍‌ କହିଲେ–‘‘ମିସେସ ସରକାରଙ୍କ ଶୋଇବା ଘରଟା ବର୍ତ୍ତମାନ ଖୋଲି ଦିଆଯାଇଚି ।’’

 

–‘‘ହଁ, ଇନ୍‌ସପେକ୍ଟରଙ୍କ ମତରେ ଅକାରଣେ ନଗେନ୍ଦ୍ର ବାବୁ ଆଉ ତାଙ୍କ ଅତିଥିମାନଙ୍କୁ ହଇରାଣ କରି ଲାଭ ନାହିଁ କିଛି । ତା’ଛଡ଼ା ସେ ଘରେ ଏମିତି କିଛି ଦେଖିବାର ନାହିଁ ଯାହା ପୋଲିସ ନ ଦେଖିଚି ।’’ ଡା: ରବିନ୍‌ସ ଟିକେ ବିସ୍ମିତ ହେଲେ ବୋଧେ ଶଶାଙ୍କ ବାବୁଙ୍କ ଆଗ୍ରହ ଦେଖି ।

 

–‘‘ମୁଁ ଘରଟା ଆଉ ଥରେ ଦେଖିବାକୁ ଚାହେଁ, ସେ ଦିନ ଭଲ କରି ଦେଖିପାରି ନଥିଲି । ବାହାରୁ ଝରକାବାଟେ ଘରଟା ଏତେ ଥର ଦେଖିଚି ଯେ–‘‘ଶଶାଙ୍କ ବାବୁ ପୁଣି ଆଗେଇ ଗଲେ ।

 

ଘରଟାରେ ଦୁର୍ଘଟଣାର କୌଣସି ଚିହ୍ନ ନ ଥିଲା–ଶେଯ ଇତ୍ୟାଦି ପରିଷ୍କାର ପରିଚ୍ଛନ୍ନ । ମୁଣ୍ଡ ପାଖ ଟେବ୍‌ଲରେ ଥୁଆ ହୋଇଥିଲା ଖାଲି କାଚ ଗ୍ଲାସଟେ, ନିଦ ଓଷଦର ଖାଲି ବୋତଲଟା ଆଉ ନାଲିଗାର ଦିଆ ଯାଇ, ‘ପଏଜନ୍‌’ ବୋଲି ଲେଖା ଯାଇଥିବା ରଫ୍‌ ଅନ୍‌ ରାଟ୍‌ସ୍‌ର ବୋତଲଟା-

 

ଶଶାଙ୍କ ବାବୁ ଖଟଟାକୁ ଟିକେ ଚାହିଁ ବଗିଚା ପଟ ଝରକା ପାଖରେ ଠିଆ ହେଲେ । ବଗିଚାରେ ଆମ୍ବଗଛ ମୂଳର ତାଙ୍କ ପ୍ରିୟ ଯାଗାଟି ପରିଷ୍କାର ଦେଖା ଯାଉଥିଲା । ସେ ମନେ ମନେ ଭାବିଲେ କେଜାଣି ଯଦି ଫଟୋଟା ଠିକ୍‌ ଉଠିଥାଏ–।

 

ବାହାରେ ଅନ୍ଧାର ପୁରା ଆସି ନ ଥିଲେ ବି’ ଘରେ ବେଶ୍‌ ଅନ୍ଧାର ହେଇ ଯାଇଥିଲା । କେଜାଣି କାହିଁକି ଶିହରି ଉଠିଲେ ଶଶାଙ୍କ ବାବୁ–ହୁଏତ–ହୁଏତ ବର୍ତ୍ତମାନ ସୁଦ୍ଧା ମିସେସ୍‌ ସରକାରଙ୍କ ଆତ୍ମା–।

 

ବିଷ ଓଷଦର ବୋତଲଟା ଓଲଟ ପାଲଟ କରି ଦେଖୁଥିଲେ ଡା: ରବିନ୍‌ସ । ଶଶାଙ୍କ ବାବୁ ତାଙ୍କ ଆଡ଼କୁ ମନ ଦେଲେ । ବୋତଲଟାର ଠିପି ଖୋଲି ଡା: ରବିନ୍‌ସ ସେଇଟା ଶୁଙ୍ଘିବାକୁ ଆରମ୍ଭ କରିଥିଲେ । ତା’ପରେ ବିଶି ଆଙ୍ଗୁଠି ଅଗରେ ନେଇ ଟିକେ ଜିଭରେ ଦେଲେ ଓଷଦଟା । ଶଶାଙ୍କ ବାବୁ ପୁଣି ଆଖି ଫେରେଇ ବଗିଚାର ଘନାୟମାନ ଅନ୍ଧାରକୁ ଚାହିଁଲେ । ରମେଶର ମିନୁ ମରିଚି ଏଇ ଓଷଦ ଖାଇ ।

 

–‘‘ଆଶ୍ଚର୍ଯ୍ୟ !’’ ଡା: ରବିନ୍‌ସ ଏକ ରକମ ଚିତ୍କାର କରି ଉଠିଲେ ।

 

–‘‘କଣ ଆଶ୍ଚର୍ଯ୍ୟ ?’’ ଚମକିପଡ଼ି ଫେରି ଚାହିଁଲେ ଶଶାଙ୍କ ବାବୁ ।

 

–‘‘ଏଇ ଓଷଦଟା । ଆପଣଙ୍କୁ ଏ ବିଷୟରେ ଇନ୍‌ସପେକ୍‌ଟର କିଛି କହି ନାହାନ୍ତି ନା-?’’ ଡା: ରବିନ୍‌ସ ଏଥର ଆଉ ଟିକେ ଓଷଦ ଜିଭ ଅଗରେ ଦେଲେ ।

 

–‘‘ନା–ତେବେ ମୁଁ ଜାଣେ ସେ ସବୁ ଇନ୍‌ସପେକ୍‌ଟର ନିଶ୍ଚେ ପରୀକ୍ଷା କରିଥିବେ । କିନ୍ତୁ ମୁଁ ବୁଝି ପାରୁନି ବିଷଟା ବିପଦଜନକ ଜାଣି ସୁଦ୍ଧା ଏ ବୋତଲଟା ଏଠି କାହିଁକି ରଖିବାକୁ ଦିଆଯାଇଚି ପୁଣି ସଂମ୍ପୂର୍ଣ୍ଣ ଖୋଲା ଖୋଲି ଭାବରେ ।’’ ଶଶାଙ୍କ ବାବୁ ଆଗ୍ରହରେ କହିଲେ ।

 

–‘‘କିନ୍ତୁ ଏ ବୋତଲରେ ଯାହା ଅଛି ତା’ର ଦି’ଗୁଣ ଖାଇବାକୁ ଦେଲେ ବି’ କାହାର କିଛି କ୍ଷତି ହବନି, ତେଣୁ ଏ ଜିନିଷଟା ସଂପୂର୍ଣ୍ଣ ନିରାପଦ । କଥାଟା କଣ ଜାଣନ୍ତି–ଏଥିରେ ବିଷ ମୋଟେ ନାହିଁ । ଏ ଜିନିଷଟା ହେଲା–ଗ୍ଳୁକୋଜ୍‌–ହଁ, ପ୍ଲେନ୍‌ ଗ୍ଲୁକୋଜ୍‌ । ତେବେ ମୁଁ ଜାଣି ପାରୁନି ବିଷୟଟା ଇନ୍‌ସପେକ୍‌ଟର ହସ୍ତଗତ କରିଛନ୍ତି ନାଁ ଅନ୍ୟ କାହା ହାତରେ ପଡ଼ିଚି ସେଇଟା ।’’ ଡା: ରବିନ୍‌ସ ନୀରବ ହେଲେ–ତା’ପରେ ବୋତଲଟା ପୂର୍ବ ସ୍ଥାନରେ ଥୋଇ ଦେଲେ ।

 

–‘‘ଏଥିରେ ବିଷ ନାହିଁ ? ହୁଁ, ସେଇଥିପାଇଁ ପାକସ୍ଥଳୀରୁ ବିଷ ମିଳି ନଥିଲା–ପ୍ରବୀର ବାବୁ ବିଷ ବୋଲି ଯାହା ଦେଇଥିଲେ–ସେଇଟା ହେଲା ଗ୍ଲୁକୋଜ୍‌ ।’’

 

–୧୬–

 

–‘‘ଆପଣ ମନକୁ ମୋଟେ ବିଶ୍ରାମ ଦଉ ନାହାନ୍ତି । ଟିକେ ସାବଧାନ ହବା ଦରକାର ।‘‘ ଡା:ରବିନ୍‌ସ ଶଶାଙ୍କ ବାବୁଙ୍କ ନାଡ଼ି, ଛାତି, ଆଖି ଏ ସବୁ ପରୀକ୍ଷା କରି ଉଠିଲେ ।

 

–‘‘ଚେଷ୍ଟା ତ କଲି । ସୁବିଧା ହେଲା କୋଉଠି ।’’ ଶଶାଙ୍କବାବୁ ଉଠି ବସିଲେ । ପର୍ଦ୍ଦା ଅଡ଼େଇ ଆସିଲେ ଇନ୍‌ସପେକ୍ଟର ରଜତ ବାବୁ ।

 

–‘‘ମୁଁ ତେବେ ବର୍ତ୍ତମାନ ଆସୁଚି, ଓଷଦଟା କିନ୍ତୁ ନିୟମିତ ଭାବେ ଖାଉଥିଲେ–ଅସୁବିଧା ହବନି ।’’ ଡା:ରବିନ୍‌ସ ଉଠିଗଲେ–ରଜତ ବାବୁଙ୍କ ନମସ୍କାରର ଗୋଟେ ଗମ୍ଭୀର ପ୍ରତିନମସ୍କାର ପରେ ।

 

‘‘ଡା:ରବିନ୍‌ସ ମୋ ଉପରେ ବେଶ୍‌ ବିରକ୍ତ ହେଇଚନ୍ତି ଦେଖୁଚି,’’ ରଜତ ବାବୁ ଟିକେ ହସି ଚେୟାର ଖଣ୍ଡକ ଅଧିକାର କରି ବସିଲେ ।

 

–‘‘ମୋ ସାଙ୍ଗରେ କିଛି କାମ ଥିଲା ?’’ ଶଶାଙ୍କ ବାବୁ କ୍ଳାନ୍ତ ଭାବରେ ପଚାରିଲେ ।

 

–ମୁ ଆପଣଙ୍କୁ ଆହୁରି ଥରେ ଅନୁରୋଧ କରିବି–ସେ ଦିନ ଦି’ ପହରେ ଆପଣ ଯାହା ଯାହା ଦେଖିଥିଲେ ଭଲ କରି ମନେ ପକେଇବାକୁ । କଥାଟା କଣ ଜାଣନ୍ତି–ଆପାତତଃ ଆପଣଙ୍କ କଥାହେଲା କେବଳ ମାତ୍ର ସୂତ୍ର–ଏ ସମସ୍ତ ଗୋଳମାଳିଆ ବ୍ୟାପାରଟାର ।’’ ରଜତ ବାବୁ ଭଦ୍ରଭାବରେ ପଚାରିଲେ ।

 

–‘‘ସେ ଦିନ ଆପଣଙ୍କୁ କହିଥିଲି ତ–ମୁଁ କୋଉଠି ବସିଥିଲି । ଆପଣ ବି’ ଜାଣନ୍ତି ମୁଁ କଣ ଦେଖିଥିଲି ।’’

 

–‘‘ଶୁଣିଚି ତଥାପି’’–

 

–‘‘ଅସଲ କଥା ହଉଚି ପ୍ରଭାତ ବାବୁଙ୍କ କ୍ୟାମେରାର ଗୋଟେ ଫିଲ୍ମି ନଷ୍ଟ କରିସାରି ମୁଁ ଏମିତି ବିବ୍ରତ ହେଇପଡ଼ିଥିଲି ଯେ ଅନ୍ୟ କିଛି ଲକ୍ଷ୍ୟ କରିବା ଅବସ୍ଥାରେ ନ ଥିଲି । କିନ୍ତୁ–କାହିଁକି ମୁଁ ତ ଆପଣଙ୍କୁ କହିଚି–ସେଇ ଯେ ଗୋଟେ ହାତ ପର୍ଦ୍ଦାଟା ଟାଣି ଦେଇଥିଲା ।’’

 

–‘‘ମନେଅଛି–ଆପଣ ହାତଟାକୁ ଚିହ୍ନି ପାରି ନ ଥିଲେ, ନାଁ ?’’

 

–‘‘ଅଦ୍ଭୁତ ତ–ଯଦି ଚିହ୍ନି ପାରି ଥା’ନ୍ତି ତେବେ ଆପଣଙ୍କୁ ଏତେଦିନ ଭିତରେ ନ କହିଥାନ୍ତି କାହିଁକି ?’’ ଶଶାଙ୍କ ବାବୁ ଏ କଥା କହିବା ସତ୍ୱେ ପୁଣି ଥରେ ସବୁ କଥା ଭାବି ଦେଖୁଥିଲେ ।

 

‘‘ହାତଟା କୌଣସି ଝିଅର ନୁହେଁ, ସେଥିରେ ଚୁଡ଼ୀ ନ ଥିଲା ।’’ ଶଶାଙ୍କ ବାବୁ ଧୀର ସ୍ୱରରେ କହିଲେ, ବରଂ ବଡ଼ ପାଟିରେ ଭାବିଲେ ବୋଲି କୁହାଯାଇପାରେ ।

 

‘‘ଝି’ ମାଳତୀର ହାତ ଦେଖିଛନ୍ତି ? ସେ ବି’ ଚୁଡ଼ୀ ପିନ୍ଧେନା ।’’ ରଜତ ବାବୁ ମୃଦୁ ସ୍ୱରରେ କହିଲେ ।

 

–‘‘ପ୍ରଭାତ ବାବୁଙ୍କ କଥା ବିଶ୍ୱାସ କରିବାର ଯଥେଷ୍ଟ କାରଣ ଅଛି, ପ୍ରବୀର ବାବୁଙ୍କ କଥା ବି ।’’ ଏଥର ଶଶାଙ୍କ ବାବୁ ଆଗ୍ରହୀ ଆଖିରେ ଇନ୍‌ସପେକ୍ଟରଙ୍କ ମୁହଁକୁ ଚାହିଁଲେ ।

 

–‘‘ପ୍ରବୀର ବାବୁଙ୍କ କଥା ?’’ ଇନ୍‌ସପେକ୍ଟର ବାବୁ ଟିକେ ବିସ୍ମିତ ଭାବରେ କହିଲେ ।

 

ଶଶାଙ୍କ ବାବୁ ପ୍ରବୀର ବାବୁଙ୍କ କଥା କହିଲେ ।

 

–‘‘ହୁଁ–ଅର୍ଥାତ୍‌ ଆପଣଙ୍କ ମତରେ ଏ ଦିହିଙ୍କୁ ଖୁନ୍‌ ଅଭିଯୋଗରୁ ମୁକ୍ତି ଦିଆଯାଇପାରେ-। କିନ୍ତୁ ବିଷରେ ମୃତ୍ୟୁ ହେଇନି ଜାଣିବା ପରେ ବିଷ ଦେଇଥିବା କଥାଟିର ଗୁରୁତ୍ୱ ଅନେକ କମିଯାଏ, ତେଣୁ ପ୍ରବୀର ବାବୁ ମିଛ ନ କହିବେ ଏମିତି କିଛି କଥା ନାହିଁ । ୟାଡ଼େ ପୁଣି ପ୍ରଭାତ ବାବୁଙ୍କ ଟେଲିଗ୍ରାମଟି ନ ମିଳିବା ଯାଏ ସେ ବିଷୟରେ ବି’ କିଛି କରାଯାଇ ପାରୁନି–ଅବଶ୍ୟ ମୋ ଲୋକେ ବର୍ତ୍ତମାନ ଖୋଜୁଛନ୍ତି ସେଇଟା । ତା’ଛଡ଼ା ଟେଲିଗ୍ରାମଟା ପାଇଥିଲେ ବି’ ଯେ ପ୍ରଭାତ ବାବୁ ଖୁନୀ ନ ହେଇ ପାରନ୍ତି ।’’

 

–‘‘ଗୋଟେ ପ୍ରତିଶ୍ରୁତି ଆପଣଙ୍କୁ ଦବାକୁ ହବ । ଦୟାକରି ଦେଖିବେ ଯେମିତି ପ୍ରବୀର ବାବୁଙ୍କ କଥା ବାହାରେ ପ୍ରକାଶିତ ନ ହୁଏ । ଅବଶ୍ୟ ଖୁବ୍‌ ଦରକାର ହେଲେ ।’’ ଶଶାଙ୍କ ବାବୁ ଟିକେ ରହି ରହି କହିଲେ ।

 

–‘‘ଆଚ୍ଛା । କିନ୍ତୁ ଗୋଟେ କଥା ଜାଣନ୍ତି ତ ? ସାଧାରଣ ନିୟମ ଅନୁଯାୟୀ ସ୍ୱାମୀ ସ୍ତ୍ରୀ ଉଭୟଙ୍କ ମଧ୍ୟରୁ ଜଣେ ନିହତ ହେଲେ ହତ୍ୟାକାରୀ ବୋଲି ପ୍ରଥମେ ସନ୍ଦେହ ପଡ଼େ ଅନ୍ୟ ଜଣକ ଉପରେ । ସୁତରାଂ ଏ କ୍ଷେତ୍ରରେ ପ୍ରବୀର ବାବୁ’’ ।

 

–‘‘ନଗେନ୍ଦ୍ର ବାବୁ ପ୍ରବୀର ବାବୁ ଓ ମିସେସ୍‌ ସରକାରଙ୍କୁ ବହୁତ ଆଗରୁ ଚିହ୍ନିଥିଲେ–ହୁଏତ ବେଶ୍‌ ଅନ୍ତରଙ୍ଗ ଭାବରେ ବି’ । ଆପଣ ଖବର ନେଇଚନ୍ତି ତ ?’’ ଶଶାଙ୍କ ବାବୁଙ୍କର ବହୁତ ଦିନ ତଳର କେତେଟା କଥା ମନେ ପଡ଼ୁଥିଲା–‘‘ଭଗବାନଙ୍କୁ ଧନ୍ୟବାଦ । ସେମିତି ସ୍ତ୍ରୀ ଭାଗ୍ୟରୁ ଅଳ୍ପକେ ବଞ୍ଚିଗଲି ।’’ ସେ ଦିନ ସେ କାଗଜ ଖଣ୍ଡକର କଥା କେତୋଟି ।

 

–‘‘ଡିଟେକ୍ଟିଭ ଗପ ମାନଙ୍କରେ ଯାହା ଉପରେ ମୂଳରୁ ଟିକେ ବି’ ସନ୍ଦେହ ପଡ଼ିବାର କୌଣସି କାରଣ ନାହିଁ–ସେଇ ସାଧାରଣତଃ ହୋଇଥାଏ ହତ୍ୟାକାରୀ ।’’ ରଜତ ବାବୁ କହୁଥିଲେ–

 

–‘‘କିନ୍ତୁ ପ୍ରକୃତରେ କଣ ହୁଏ ଜାଣନ୍ତି ? ଖୁନ କରିବା ସବୁ ଆଡ଼ୁ ସମ୍ଭବ ହେଲେ ଖୁନୀ ସେଇ ଖୁନ କରିଥାଏ । ତଥାପି ନଗେନ୍ଦ୍ର ବାବୁଙ୍କ କଥା ମୁଁ ମନେ ରଖିବି । ଆଉ ସୁପ୍ରିୟା ଦେବୀ’’–ରଜତ ବାବୁ ଅନ୍ୟମନସ୍କ ଭାବରେ ଝରକା ବାଟେ ବାହାରକୁ ଚାହିଁଲେ ।

 

–‘‘ଶୋଇବା ଓଷଦ ଶିଶିଟା ଖାଲି ଥିଲା, କିନ୍ତୁ ମିସେସ୍‌ ସରକାର ତା’ ଦେହରୁ ଖାଇଥିଲେ ମାତ୍ର ଗୋଟେ, ଅନ୍ତତଃ ପୋଷ୍ଟମର୍ଟେମ୍‌ ରିପୋର୍ଟକୁ ତ ବିଶ୍ୱାସ କରିବାକୁ ହବ ? ବାକିଟା କୁଆଡ଼େ ଗଲା ?’’ ହଠାତ୍‌ ପ୍ରଶ୍ନ ପଚାରିଲେ ରଜତ ବାବୁ ।

 

–‘‘ମୁଁ ବି’ ସେଇଆ ବୁଝି ପାରୁ ନ ଥିଲି–ବର୍ତ୍ତମାନ ମନେ ହୁଏ–ସେଇ ଓଷଦତକ ଫିଙ୍ଗି ଦେଇ ସେ ହାତଟି ପର୍ଦ୍ଦା ବନ୍ଦ କରିଥିଲା ସେ ଦିନ ।’’ ଶଶାଙ୍କ ବାବୁ ଚିନ୍ତିତ ଭାବରେ ଉତ୍ତର ଦେଲେ-

 

–‘‘କିନ୍ତୁ ଓଷଦଟା’’ ରଜତ ବାବୁ କଥା ଶେଷ କଲେନି ।

 

–‘‘ସେଇ ଓଷଦଟା–ଅନ୍ତତଃ ସେଥିରୁ କେତେକଟା ମୁଁ ଆଜି ସକାଳେ ପାଇଚି, ସେ ଝରକାତଳୁ–ଫୁଲ ତୋଳିବାକୁ ଯାଇ ।’’ ଶଶାଙ୍କ ବାବୁ ଏଥର ଛାତି ପକେଟରୁ ଗୋଟେ କାଗଜ ପୁଡ଼ିଆ କାଢ଼ି ଦେଲେ ରଜତ ବାବୁଙ୍କ ହାତକୁ ।

 

–‘‘କିନ୍ତୁ ମୋର ଯେତେଦୂର ମନେ ହୁଏ ସେ ଗଛଟାରେ ଫୁଲ ଗୋଟେ ବି’ ମୁଁ ଦେଖିନି–ଏ କେତେ ଦିନ ଭିତରେ । ଆପଣ ଏଠିକି ଆସିବା ଆଗରୁ ଏମାନଙ୍କ ମଧ୍ୟରୁ କାହାକୁ ଚିହ୍ନି ନ ଥିଲେ ନାଁ ?’’ ରଜତ ବାବୁ ଉଠିବାକୁ ଯାଇ ସନ୍ଦିଗ୍‌ଧ ସ୍ୱରରେ ପଚାରିଲେ ।

 

–‘ନାଁ’–ଶଶାଙ୍କ ବାବୁ ଅଳ୍ପ ହସିଲେ । ରଜତ ବାବୁ ଚାଲିଗଲେ ।

 

–‘‘ସେ ଦିନ ଦି’ପହରେ ଠିକ୍‌ ଯେତେବେଳେ ଖୁନ୍‌ଟି ହଉଥିଲା’’–ନିଜର କଣ୍ଠସ୍ୱର ଶୁଣି ନିଜେ ଚମକି ପଡ଼ିଲେ ଶଶାଙ୍କ ବାବୁ । ମନର କଥା କେତେଟାକୁ ଶାବ୍ଦିକରୂପ ଦେଇ ସାରିଥିଲେ ସେ–ନିଜର ଅଜାଣତରେ । ଅଳ୍ପ ହସି ସେ ଝରକା ଉପରେ ବସିଲେ ଯାଇ ।

 

ସେ ଦିନ ଠିକ୍‌ ଯେତେବେଳେ ଖୁନ୍‌ଟି ହଉଥିଲା–କଣ କରୁଥିଲେ ସେ ନିଜେ ? ଶୋଇଥିଲେ–ନାଁ–ପ୍ରକୃତରେ ଫଟୋଟି ଉଠୋଉ ଥିଲେ ସେ । ତା’ହେଲେ କ୍ୟାମେରାରେ ମୁହଁ ଯଦି ଝରକାଆଡ଼କୁ ଥାଏ–ଏବଂ କ୍ୟାମେରାଟା ଯଦି ବେଶ୍‌ ଶକ୍ତିଶାଳୀ ହୁଏ । ଖବର କାଗଜର ବିଜ୍ଞାପନ ମନେ ପଡ଼ିଲା ତାଙ୍କର–‘‘ଲିକା–ପୃଥିବୀର ଶ୍ରେଷ୍ଠ ଶକ୍ତିଶାଳୀ କ୍ୟାମେରା’’–ହୁଏତ ଫଟୋଟା–ସେ ଟିକେ ଚମକି ପଡ଼ିଲେ–ସତେ ତ ? ଅନ୍ତତଃ ଦେଖିବା ଉଚିତ । ଯଦି ପ୍ରକୃତରେ ଖୁନ୍‌ର ଦୃଶ୍ୟଟି ଫଟୋରେ ଥାଏ ତେବେ ସେ ଦୃଶ୍ୟର ପ୍ରଧାନ ଚରିତ୍ର ଦିଓଟିଙ୍କ ଚିତ୍ର–ହତ୍ୟାକାରୀ ତ ଏ ଦିଓଟି ଚରିତ୍ର ମଧ୍ୟରୁ ନିଃସନ୍ଦେହରେ ଗୋଟିଏ । ସେ ଶିହରି ଉଠିଲେ–ଯଦି କଥାଟା ସେ ଜାଣିପାରେ ?

 

ଶଶାଙ୍କ ବାବୁ ପ୍ରଭାତ ବାବୁଙ୍କ ଦୁଆର ମୁହଁରେ ଠିଆହେଇ ଇତସ୍ତତ ହେଉଥିଲେ ।

 

–‘‘ଆସନ୍ତୁ’’–ଭିତରୁ ପ୍ରଭାତ ବାବୁ କହିଲେ ।

 

କଣ ଦରକାର ?’’ ତାଙ୍କ କଣ୍ଠ ଶୀତଳ ଆଉ ନିର୍ଲିପ୍ତ ।

 

–‘‘କଥା କଣ କି’’ ଇତସ୍ତତ କରି ଆରମ୍ଭ କଲେ ଶଶାଙ୍କ ବାବୁ ।

 

–‘‘ମୁଁ ଆପଣଙ୍କ କ୍ୟାମେରାରେ ଗୋଟିଏ ଫଟୋ ଉଠେଇଥିଲି’’–ସେ ଚୁପ୍‌ହୋଇ ଗଲେ ନିରୂପାୟ ଭାବରେ ।

 

–‘‘ଓହୋଃ–ହଁ ଫିଲ୍ମିଟା ଡେଭେଲପ୍‌ କରେଇ ଆଣିଚି ହେଇ ସେ ଟେବ୍ଲ ଉପରେ ଅଛି, ସେଇ ଯୋଉ ନାଲି ମୋଟା ବହିଟା–ବାଛିନେବେ ଆପଣ ନେଗେଟିଭ୍‌ଟା । ପ୍ରଭାତ ବାବୁ ଖଟରେ ପଡ଼ିଥିଲେ ମୁହଁ ମାଡ଼ି ।

 

–‘‘ଧନ୍ୟବାଦ’’–ନାଲି ବହିଟା ଭିତରୁ ନେଗେଟିଭ୍‌ ଭର୍ତ୍ତି ଲଫାପାଟା କାଢ଼ି ଶଶାଙ୍କ ବାବୁ ଗୋଟିକ ପରେ ଗୋଟିଏ ଦେଖିଗଲେ । ଏଇଟା ସୁପ୍ରିୟା ଦେବୀଙ୍କର, ଇଏ ରମେଶ–କାଖରେ ତା’ର ମିନୁ–ଏ କେତଟା ତାଙ୍କ ନିଜର, ତାଙ୍କର ମନେ ପଡ଼ିଲା ତାଙ୍କର ବି’ କେତୋଟା ଫଟୋ ଉଠେଇଥିଲେ ପ୍ରଭାତ ବାବୁ ଆଉ ଏଇଟା କଣ ? ଚମକି ପଡ଼ିଲେ ସେ, ଚଷମାଟା ନାକ ଉପରକୁ ଟାଣି ନିରିଖି କରି ଦେଖିଲେ ସେ । ହୁଁ–ଏଇ ଗୋଟାକ ତେବେ ସେ ଉଠେଇଥିଲେ ସେଦିନ । ସେ ବଡ଼ ସାବଧାନରେ ସେଇଟି ଅଲଗା କରି ପକେଟ୍‌ ବହିରେ ରଖିଲେ । ଯଦି ତାଙ୍କ ଅନୁମାନ ସତ ହୁଏ ତେବେ–ଜିନିଷଟା ମାରାତ୍ମକ, ଅନ୍ତତଃ ଜଣକ ପକ୍ଷରେ ।

 

–‘‘ଆଚ୍ଛା ପ୍ରଭାତ ବାବୁ, ଆପଣଙ୍କ କ୍ୟାମେରାଟା ଖୁବ୍‌ଭଲ ନାଁ ? ଖୁବ୍‌ ଦୂରକୁ ବି’’–ସେ ଅନ୍ୟ କେତେଟା ନେଗେଟିଭ୍‌ ଦେଖି ଲଫାପାରେ ଭରୁଥିଲେ ।

 

–‘‘ହଁ, ପ୍ରାୟ ଅଧିକାଂଶ ଛବି ଭଲ ଉଠେ, ଆଉ ଡେଭେଲପ୍‌ କରିଥିବା ଫଟୋ ଦୋକାନୀ କହିଛି ଏ ସବୁ ଫଟୋଗୁଡ଼ିକ ଏନ୍‌ଲାର୍ଜ କରି ଅନ୍ତତଃ ପୋଷ୍ଟକାର୍ଡ଼–ସାଇଜର କରାଯାଇପାରିବ । ଆପଣ କାହାର ଫଟୋ ଉଠେଇଚନ୍ତି ଶଶାଙ୍କ ବାବୁ ?’’ ଶେଯରେ ଉଠି ବସିଲେ ପ୍ରଭାତ ବାବୁ ।

 

ବହିଟା ବନ୍ଦ କରି ଯଥାସ୍ଥାନରେ ରଖି ବାହାରି ଯାଉ ଯାଉ ଶଶାଙ୍କ ବାବୁ କହିଲେ–‘‘ରମେଶର କୁକୁର ମିନୁର’’–ପର୍ଦ୍ଦା ଆଡ଼େଇ ବାହାରି ଗଲାବେଳେ ସେ ହଠାତ୍‌ ମନେ ପକେଇଲେ–କଥାଟା ମିଛ ହେଇଗଲା । କାରଣ ଫଟୋଟି ଉଠିବାବେଳେ ମିନୁ ମରି ସାରିଥିଲା–ତେବେ ସାମଞ୍ଜସ୍ୟଟା–।

 

–୧୭–

 

ଇନ୍‌ସପେକ୍ଟର ରଜତ ବାବୁ ଚାଲିଗଲା ପରେ ଶଶାଙ୍କ ବାବୁ ପୁଣି ଥରେ ଚେୟାରଟାରେ ଆଉଜି ବସିଲେ । ସମୁଦ୍ରର ଘୁ ଘୁ ଶବ୍ଦଟା ଖୁବ ପାଖରେ ଭଳି ମନେ ହଉଥିଲା । ପଶ୍ଚିମ ଆକାଶରୁ କଳା ମେଘ ଖଣ୍ଡେ ଆସୁଥିଲା–ତା’ ସାଙ୍ଗରେ ଆସୁଥିଲା ସନ୍ଧ୍ୟା । ଶଶାଙ୍କ ବାବୁ ନିଶ୍ୱାସ ମାରିଲେ ।

 

ହୁଏତ ବିପଦର ଝୁଙ୍କିଟା ପ୍ରଭାତ ବାବୁଙ୍କ ଉପରେ ପଡ଼ିବ ବହୁତ ବେଶୀ–ତଥାପି ପରୀକ୍ଷା କରି ଦେଖାଯାଇପାରେ ।

 

ଡା:ରବିନ୍‌ସ ଆଗେଇ ଆସୁଥିଲେ ।

 

–‘‘ଶୁଣିଲି ଆପଣ ଅସୁସ୍ଥ ହେଇ ପଡ଼ିଚନ୍ତି ?’’ ସେ ଧୀର କଣ୍ଠରେ କହିଲେ ।

 

–‘‘ମୁଣ୍ଡଟା ହରଦମ ଏମିତି ଅସମ୍ଭବ ଭାବରେ କାହିଁକି ବିନ୍ଧୁଚି କହି ପାରିବେ ?’’ ଶଶାଙ୍କ ବାବୁ ନିମ୍ନ କଣ୍ଠରେ ପଚାରି ପୁଣି ଅନ୍ୟମନସ୍କ ହେଇ ପଡ଼ିଲେ ।

 

–‘‘କହିଚି ତ ଆପଣ ମନକୁ, ମସ୍ତିଷ୍କକୁ ମୋଟେ ବିଶ୍ରାମ ଦଉ ନାହାନ୍ତି । ଆପଣଙ୍କ ରୁମ୍‌କୁ ଚାଲନ୍ତୁ ବରଂ–ଭଲ କରି ଥରେ ପରୀକ୍ଷା କରିବା ଦରକାର ।’’ ଏଥର ଟିକେ ବ୍ୟସ୍ତ ଭାବରେ ଡା: ରବିନ୍‌ସ କହିଲେ ।

 

–‘‘ପ୍ରବୀର ବାବୁ ଅନ୍ତଃତ ଖୁନ୍‌ କରି ନାହାନ୍ତି’’–ଶଶାଙ୍କ ବାବୁଙ୍କ ଘରେ ପହଞ୍ଚି ଡା:ରବିନ୍‌ସ ତାଙ୍କୁ ପରୀକ୍ଷା କରୁ କରୁ କହିଲେ ।

–‘‘ଇନ୍‌ସପେକ୍ଟରଙ୍କର କଣ ମତ ?’’ ସେ ହଠାତ୍‌ ପ୍ରଶ୍ନ କଲେ ।

–‘‘ମୃତ ଦେହର ପାକସ୍ଥଳୀରୁ ତ’ ବିଷ ମିଳିନି, ଆଉ ବିଷ ବୋଲି ଭାବି ପ୍ରବୀର ବାବୁ ଯାହା ଦେଇଥିଲେ ସେ ଗ୍ଳୁକୋଜ ।’’ ପ୍ରଶ୍ନର ଉତ୍ତର ଅପେକ୍ଷା ନ କରି ଡା:ରବିନ୍‌ସ କହିଗଲେ ।

ଘଣ୍ଟାକୁ ଚାହିଁଲେ ଶଶାଙ୍କ ବାବୁ । ଓଷଦ ଖାଇବା ବେଳ ହେଇ ଗଲାଣି । ସେ ଡ୍ରୟାର ଟାଣି ଓଷଦଟା କାଢ଼ିଲେ । ତାଙ୍କର ଆଖି ପଡ଼ିଲା ସେ ଅନ୍ୟ ପ୍ୟାକେଟ୍‌ଟା ଉପରେ ।

–‘‘ଇନ୍‌ସପେକ୍ଟରଙ୍କ ମତରେ ସେ ଘରେ ଯୋଉ ଦିଟା ଓଷଦ ଥିଲା ତା ଭିତରୁ ଗୋଟେ ହେଲା ଆପଣ ଦେଇଥିବା ଶୋଇବା ଓଷଦ ଆଉ ଅନ୍ୟଟା ରମେଶର କୁକୁରକୁ ମାରିବାରେ ବ୍ୟବହାର କରା ଯାଇଥିବା ବିଷ ଓଷଦ–'Rough on rat's (ରଫ୍‌ ଅନ୍‌ ରାଟ୍‌ସ୍‌) କିନ୍ତୁ ଆଶ୍ଚର୍ଯ୍ୟ କଥା ହେଲା, ଶୋଇବା ଓଷଦ ଶିଶିଟାରୁ ଯୋଉଠି କୋଡ଼ିଏଟା ସରିବା ଉଚିତ, ସେଠି ମିଳିଚି ବୋତଲଟା ସମ୍ପୂର୍ଣ୍ଣ ଖାଲି ଭାବରେ, ଆଉ ବିଷ ଓଷଦ ବୋତଲଟାରେ ବିଷ ବଦଳରେ ଅଛି ଗ୍ଲୁକୋଜ ।’’ ଶଶାଙ୍କ ବାବୁ କଥା କେତେଟା କହୁ କହୁ ହଠାତ୍‌ କଣ ଭାବି ନିଜ ଓଷଦ ବଦଳରେ ବାହାର କଲେ ସେ ଅନ୍ୟ ବୋତଲଟା ।

–‘‘ତା ହେଲେ ଇନ୍‌ସପେକ୍ଟର ବି’ ବିଶ୍ୱାସ କରନ୍ତି ଯେ ପ୍ରବୀର ବାବୁ ଖୁନ୍‌ କରି ନାହାନ୍ତି-?’’ ଡା:ରବିନ୍‌ସ ଶଶାଙ୍କ ବାବୁଙ୍କ ଢଙ୍ଗଢ଼ାଙ୍ଗ ଆଡ଼େ ବିଶେଷ ମନ ଦେଇ ନ ଥିଲେ ବୋଧେ ।

 

–‘‘ଇନ୍‌ସପେକ୍‌ଟର ବିଶ୍ୱାସ କରନ୍ତି ଯେ ପ୍ରବୀର ବାବୁ ବିଷ ଦେଇ ନାହାନ୍ତି ଅର୍ଥାତ୍‌ ସେ ଯାହା ଦେଇଛନ୍ତି ତା’ ବିଷ ନୁହେଁ । କିନ୍ତୁ ତା ବୋଲି ସେ ଖୁନୀ ନୁହନ୍ତି’’–ଶଶାଙ୍କ ବାବୁ ଏଥର କଥାର କ୍ରମ ରକ୍ଷା ନ କରି କହିଲେ, ‘‘ଆଚ୍ଛା ଏଇଟା କଣ ଦେଖିଲେ ?’’

 

–‘‘କଣ ସେଇଟା ?’’ ବୋତଲଟା ଶଶାଙ୍କ ବାବୁଙ୍କ ହାତରୁ ନେଲେ ଡା:ରବିନ୍‌ସ । ତା’ପରେ ବୋତଲଟା ଖୋଲି ନାକର ଅଳ୍ପ ପାଖକୁ ନେଇ ସେ ଚମକି ପଡ଼ିଲେ ।

 

–‘‘କଣ ହେଲା ?’’ ଶଶାଙ୍କ ବାବୁ କାବ୍‌ବା ହେଇ ପଚାରିଲେ ।

 

–‘‘ବିଷ–ଏଇଟା ବୋଧେ ‘‘ରଫ୍‌ ଅନ୍‌ ରାଟ୍‌ସ’ କିନ୍ତୁ ଆପଣ ୟାକୁ ପାଇଲେ କୋଉଠୁ-?’’ ଏଥର ଡା:ରବିନ୍‌ସ ବି’ ସନ୍ଦିଗ୍‌ଧ ହେଇ ପଡ଼ିଲେ । ହୁଏତ ଭୀଷଣ ଦେହ ଖରାପ ଫଳରେ ଶଶାଙ୍କ ବାବୁ ପାଗଳ ହେଇ ଯାଇଚନ୍ତି–ଖୁନ୍‌କରି–

 

–‘‘ବୋତଲଟା ରଖିବାକୁ ଦେଇଥିଲା ରମେଶ–ଠିକ୍‌ ତା’ କୁକୁର ମରିବାର କିଛିଦିନ ପରେ–ଖୁନ୍‌ ହବା ଆଗଦିନ ।’’ ଶଶାଙ୍କ ବାବୁ କ୍ଳାନ୍ତ ଭାବରେ ପୁଣି ଖଟ ଉପରେ ବସି ପଡ଼ିଲେ ।

 

–୧୮–

 

ଶଶାଙ୍କ ବାବୁ ଦୁଆର ପାଖରେ ଠିଆ ହେଇ ଇତସ୍ତତ କଲେ । ଘରଟା ମିସେସ୍‌ ସରକାରଙ୍କର । କିନ୍ତୁ ସେ ଦିନ ସେଠି ମିସେସ୍‌ ସରକାର ନ ଥିଲେ । ତାଙ୍କର ମନେ ପଡ଼ିଲା–ସେ ଯୋଉଦିନ ପ୍ରଥମେ ସେ ଘରକୁ ଯାଇଥିଲେ । ସେ ଦିନ ବି’ ମିସେସ୍‌ ସରକାର ସେଠି ନ ଥିଲେ । ଥିଲା ତାଙ୍କର ନିର୍ଜୀବ ଦେହ । ସେ ଟିକେ ଶୀତେଇ ଉଠିଲେ–ତଥାପି–ହୁଏତ ବର୍ତ୍ତମାନ ବି’ ଅଦୃଶ୍ୟ ଭାବରେ ଏ ଘରେ ରହି ଯାଇଚନ୍ତି ସେ । ପର୍ଦ୍ଦା ଆଡ଼େଇ ସେ ଘର ଭିତରକୁ ଗଲେ ।

 

ଘର ଭିତରେ ଅନ୍ୟ ସମସ୍ତେ ଥିଲେ–ପ୍ରଭାତ ବାବୁଙ୍କ ଛଡ଼ା । ଶଶାଙ୍କ ବାବୁ ଝରକା ଆଡ଼େ ଆଗେଇ ଗଲେ ।

 

–‘‘ଆପଣ ବରଂ ଏଇ ଚେୟାରଟାରେ ବସନ୍ତୁ ।’’ ରଜତ ବାବୁ କାହିଁକି କେଜାଣି ଟିକେ ସମ୍ଭ୍ରମ ସହିତ ଚେୟାରଟା ଆଗେଇ ଦେଲେ ।

 

ସେଦିନ ରାତି ହେଇ ଯାଇଥିଲା । ଘରେ ଆଲୁଅ ଜଳୁଥିଲା ଆଉ ସେଇ ଆଲୁଅରେ ଟିକେ ଥରେ ସବୁରି ମୁହଁକୁ ଚାହିଁଗଲେ ଶଶାଙ୍କ ବାବୁ । ସୁପ୍ରିୟା ଦେବୀ ରମେଶ ପାଖରେ ବସିଥିଲେ ।

 

ପ୍ରବୀର ବାବୁ ଟିକେ ଦୂରଛଡ଼ା ହେଇ ଠିଆ ହେଇଥିଲେ, ଟେବୁଲରେ ଭରା ଦେଇ ।

 

କୁମାର ବାବୁ ପଲଙ୍କଠୁ ଟିକେ ଛଡ଼ାରେ ଚେୟାରଟାରେ ବସିଥିଲେ । ନଗେନ୍ଦ୍ର ବାବୁ ଚିନ୍ତିତ ମୁହଁରେ ସବୁରି ମୁହଁକୁ ଥରେ ଥରେ ଚାହୁଁଥିଲେ ।

 

–‘‘ସମସ୍ତେ ତ ଆସିଚନ୍ତି’’–ରଜତ ବାବୁ ସମ୍ମିଳନୀ ଆରମ୍ଭ କଲା ଭଳି କହିଲେ ।

 

–‘‘ପ୍ରଭାତ ବାବୁ ?’’ ଏଥର ପ୍ରଶ୍ନ କଲେ ନଗେନ୍ଦ୍ର ବାବୁ–ତୀକ୍ଷ୍‌ଣ ଆଖିରେ ଇନ୍‌ସପେକ୍‌ଟରଙ୍କ ମୁହଁକୁ ଚାହିଁ ।

 

–‘‘ସେ ଆସି ପାରିବେନି ।’’ ରଜତ ବାବୁ ଧୀର ସ୍ୱରରେ କହିଲେ । ଚମକି ପଡ଼ିଲା ପରି ମୁହଁ ଉଠେଇ ଚାହିଁଲେ ସୁପ୍ରିୟା ଦେବୀ । ତା’ ପରେ ରଜତ ବାବୁଙ୍କ କୌତୁହଳୀ ଆଖି ଆଗରେ ମୁହଁ ନୁଆଇଁଲେ । ଟିକେ ହସ ଲାଗିଲା ଶଶାଙ୍କ ବାବୁଙ୍କୁ–ହୁଏତ ଏତେ ଲୋକଙ୍କ ଆଗରେ ଏମିତି ଧରା ପଡ଼ିବାବୁ ଚାହିଁ ନ ଥିଲେ ସେ ।

 

ଘର ଭିତରେ ଅନ୍ଧାର ଗାଢ଼ତର ହେଇ ଯାଇଥିଲା ।

 

–‘‘କାରଣ–କାହିଁକି ଆପଣମାନଙ୍କ ଭିତରୁ ଅନ୍ତତଃ ଜଣେ ତ ଜାଣନ୍ତି ଯେ’’–ଏଥର ରଜତ ବାବୁ ଚୁପ୍‌କରି ଗଲେ ।

 

–‘‘ମୁଁ ଆଜି ସକାଳେ ଆପଣମାନଙ୍କୁ ସବୁଟା କହି ନ ଥିଲି । ତେବେ ଏତିକି କହିଥିଲି ଯେ ପ୍ରଭାତ ବାବୁଙ୍କ କ୍ୟାମେରାରେ ଉଠିଥିବା ଗୋଟିଏ ଫଟୋ ହେଲା ହତ୍ୟାକାରୀ ବିରୁଦ୍ଧରେ ସବୁଠାରୁ ବଡ଼ ପ୍ରମାଣ । ଫଳରେ ଆଜି ଦି’ପହରେ ପ୍ରଭାତ ବାବୁଙ୍କ ଜୀବନ ଉପରେ ଏଇ ଆକ୍ରମଣ ହେଇ ଯାଇଚି । ମୋର ମନେ ହୁଏ ଖୁନୀ ଏ ମଧ୍ୟରେ ସମ୍ପୂର୍ଣ୍ଣ ହତାଶ ହେଇ ଟିକେ ଅସାବଧାନ ହେଇ ପଡ଼ିଚି ।’’ ରଜତ ବାବୁ କଣ କହିବାକୁ ଯାଉଥିଲେ କିନ୍ତୁ ସବୁରିକି ଚକିତ କରି ଘରର ଲାଇଟଟା ଲିଭିଗଲା ।

 

ଘର ଭିତରେ ଅଖଣ୍ଡ ନିସ୍ତବ୍ଧତା ।

 

–‘‘ଏମିତି ସାଧାରଣତଃ ହୁଏ । ଯେ ଏ ଦିଗରେ ସମ୍ପୂର୍ଣ୍ଣ ନୂଆ ତା ପକ୍ଷରେ ଖୁନ୍‌ର ଝୁଙ୍କି ନବା ସବୁବେଳେ ସହଜସାଧ୍ୟ ହୁଏନି । ହଁ କହିବାକୁ ଭୁଲି ଯାଇଥିଲି–ଦୁଆର ପାଖକୁ ଦୟାକରି କେହି ଯିବେନି । ବାହାର ପଟୁ ବନ୍ଦ ଅଛି ସେଇଟା ।’ ରଜତ ବାବୁଙ୍କ କଥା ସରିବା ପରେ ପରେ ଶୁଭିଲା ଗୋଟେ ସ୍ପଷ୍ଟ ଦୀର୍ଘ ନିଶ୍ୱାସ ।

 

ଧଳା କାନ୍ଥ ଉପରେ ପଡ଼ିଲା–ଲାଇଟଟା । ବଗିଚା ପଟ ଝରକାର ଠିକ୍‌ ବାହାରୁ ଆସୁଥିଲା ସେଇଟା । ପର୍ଦ୍ଦା ଉପରେ ପଡ଼ିଲା ଭଳି ଅସ୍ପଷ୍ଟ ଛାଇଟା–ଆଉ କ୍ରମଶଃ ସ୍ପଷ୍ଟ ହେଲା ।

 

–‘‘ଆପଣମାନଙ୍କ ମନରୁ ସବୁ ପ୍ରକାର ସନ୍ଦେହ ପୋଛି ଦବ ଏଇଟା–ଠିକ୍‌ହତ୍ୟାର ଦୃଶ୍ୟ ।’’ ଛବିଟା ଆହୁରି ସ୍ପଷ୍ଟ ହେଲା–ଆହୁରି–ଶେଷକୁ–

 

–‘‘ମା ଗୋ’’–ଅସ୍ଫୁଟ କଣ୍ଠରେ ଚିତ୍କାର କରି ଉଠିଲେ ସୁପ୍ରିୟା ଦେବୀ ।

 

–‘‘ମୁଁ ମୂଳରୁ ଠିକ୍‌ ଜାଣିଥିଲି ।’’ ଶାନ୍ତି, ଗମ୍ଭୀର ଶୁଭିଲା ରମେଶର ସ୍ୱର ।

 

–‘‘କିନ୍ତୁ ଏଇଟା ବିଶ୍ୱାସ ଯୋଗ୍ୟ କି ?’’ ଅନ୍ଧାରରୁ ଆଶ୍ୱସ୍ତ ଶୁଭିଲା ନଗେନ୍ଦ୍ର ବାବୁଙ୍କ କଣ୍ଠ ।

 

ଛବିଟା ସେଇ ଘରର । ଦିଶୁଥିଲା ଘର ଭିତରର ଗୋଟେ ଅଂଶ । ପଲଙ୍କ ଉପରେ ପଡ଼ିଥିଲା ଗୋଟେ ଦେହ–ଆଉ ଟେବ୍ଲ ପାଖରେ ବିହ୍ୱଳ ଭାବରେ ଠିଆ ହେଇଥିଲେ–

 

–‘‘ଆପଣ ହୁଏତ ଜାଣି ନ ଥିଲେ ଯେ ଆପଣଙ୍କ କାମର ସାକ୍ଷୀ ଅଛି ଜଣେ । ଶଶାଙ୍କ ବାବୁ ଦେଖିଥିଲେ କେବଳ ଆପଣଙ୍କ ହାତ । ଦେଖିଥିଲା କ୍ୟାମେରା–ପ୍ରଭାତ ବାବୁଙ୍କର ଶକ୍ତିଶାଳୀ ଲିକା କ୍ୟାମେରା, ନାଁ–ଯିବାକୁ ଚେଷ୍ଟା କରିବେନି ।’’ ରଜତ ବାବୁଙ୍କ ଗଳା ଦୃଢ଼ ଶୁଭିଲା । ବଗିଚା ପଟୁ ଆସୁଥିବା ସେ ଶକ୍ତିଶାଳୀ ଲାଇଟ୍‌ଟା ଲିଭିଗଲା ।

 

ଘରର ଲାଇଟ୍‌ଟା ଜଳି ଉଠିଲା–ଦୁଆର ପାଖରେ ଠିଆ ହୋଇଥିଲେ ସୁକୁମାର ବାବୁ ।

 

–‘‘ମୁଁ–ଖୁବ୍‌ ଭଲ କରିଚି ତାଙ୍କୁ ଖୁନ୍‌କରି ।’’ ଦୃଢ଼, ସ୍ଥିର ଆଖିରେ ଚାହିଁଥିଲେ ସେ ପ୍ରବୀର ବାବୁଙ୍କ ମୁହଁକୁ ।

 

–‘‘କୁମାର–ତୁ ?’’ ପ୍ରବୀର ବାବୁ ଏତେବେଳ ପରେ ପ୍ରଥମ କରି କଥା କହିଲେ ସ୍ୱପ୍ନରୁ ଉଠିବା ପରି ।

 

–‘‘ସେଥିରେ ଅବଶ୍ୟ ଆପଣଙ୍କର କିଛି ଲାଭ ନ ଥିଲା ଏମିତି ନୁହେଁ । ନୁହେଁକି ? ଧରନ୍ତୁ ସେ ଯଦି ପ୍ରବୀର ବାବୁଙ୍କୁ କହିଦେଇ ଥା’ନ୍ତେ ଯେ ଆପଣ ଚା’ ସେୟାର କିଣିବାକୁ ନେଇଥିବା ସେଇ ଦଶହଜାର ଟଙ୍କାଟା ନିଜର ରେସ୍‌ପାଇଁ କରିଥିବା ଧାର ସୁଝିଚନ୍ତି–ଯଦି ସେ ପ୍ରବୀର ବାବୁଙ୍କ କାନରେ ପକେଇ ଥା’ନ୍ତେ ଯେ ଆପଣ କଲିକତାର ସେଇ ଦରବାନର ଝିଅଟିକୁ ଦାଣ୍ଡରେ ବସେଇଚନ୍ତି–ତା’ ହେଲେ ଆପଣଙ୍କ ଅବସ୍ଥା କଣ ହେଇଥାନ୍ତା ?’’ ରଜତ ବାବୁ କଥା କହୁଁ କହୁଁ ଦୁଆରଟା ଖୋଲିଲେ । ସେଇଟା ଆଉଜା ହେଇଥିଲା କେବଳ ।

 

ତେବେ ତାର ବାହାର ପଟେ ଠିଆ ହେଇଥିଲେ ଦୁଇଜଣ ସଶସ୍ତ୍ର କନେଷ୍ଟବଲ୍‌।

 

–୧୯–

 

–‘‘ଧନ୍ୟବାଦ । ମୁଁ ଭଲ ଅଛି ।’’ ପ୍ରଭାତ ବାବୁ ବହିରୁ ମୁହଁ ନ ଉଠେଇ କହିଲେ ।

 

–‘‘କଥା କଣକି’’–ଶଶାଙ୍କ ବାବୁ ଟିକେ ଅପ୍ରସ୍ତୁତ ଭାବରେ ଆରମ୍ଭ କଲେ ସୁପ୍ରିୟା ଦେବୀଙ୍କ ଆହତ ମୁହଁକୁ ଚାହିଁ । ସୁପ୍ରିୟା ଦେବୀ ପ୍ରଭାତ ବାବୁଙ୍କ ମୁଣ୍ଡ ପାଖର ଛୋଟ ଟି’ପୟ ପାଖରେ ଠିଆ ହେଇଥିଲେ ।

 

–‘‘ମୁଁ କ୍ଳାନ୍ତ–ଆପଣ ବି’ । ବରଂ ବିଶ୍ରାମ ନେବେ ଯା’ନ୍ତୁ ।’’ ନିର୍ଲିପ୍ତ କଣ୍ଠରେ କହିଲେ ପ୍ରଭାତ ବାବୁ । ମୁଣ୍ଡରେ ତାଙ୍କର ବ୍ୟାଣ୍ଡେଜ ବନ୍ଧା ହେଇଥିଲା । ବହିରୁ ଆଖି ଉଠି ନ ଥିଲା ।

 

ରଜତ ବାବୁଙ୍କଠାରୁ ସବୁ ବୁଝିଥିଲେ ଶଶାଙ୍କ ବାବୁ । ପ୍ରଭାତ ବାବୁ ସେ ଦିନ ଦି’ପହରେ ଅଳ୍ପକେ ବଞ୍ଚି ଯାଇଥିଲେ । ଚାକର ରାମ କଣ ଗୋଟେ କାମରେ ଅସମୟରେ ତାଙ୍କ ରୁମ୍‌କୁ ଯାଇ ଦେଖିଲା ଯେ ତାଙ୍କ ମୁହଁରେ ବନ୍ଧା ଯାଇଚି ପ୍ରକାଣ୍ଡ ଗୋଟେ ରୁମାଲ–ମୁଣ୍ଡରେ ଗୋଟେ ଆଘାତ, ହାତରେ ତାଙ୍କର ଥିଲା ଛୋଟ ପିସ୍ତଲଟା–ଆଉ ପାଖ ଟେବ୍‌ଲ ଉପରେ ଖଣ୍ଡେ କାଗଜରେ କେତେ ଲାଇନ୍‌ ଲେଖା–

 

–‘‘ଛବି,

 

ମୁଁ ଖୁନ୍‌ କରିନି–ତଥାପି ଦୁନିଆ ଆଖିରେ ମୁଁ ଖୁନୀ । ତେଣୁ ମୁଁ ବର୍ତ୍ତମାନ ନିଜକୁ ହତ୍ୟା କରିବି । ଆଉ କେବେ ବିରକ୍ତ କରିବିନି ତମୁକୁ’’–

 

ରଜତ ବାବୁଙ୍କ ମତରେ ପ୍ରଭାତ ବାବୁ ପ୍ରକୃତରେ ଆତ୍ମହତ୍ୟା କରିବାକୁ ବସିଥିଲେ–ଏମିତିକି ଚିଠିଟା ବି’ ଲେଖା ସାରିଥିଲେ । ଏଇ ସମୟରେ ଆର୍ବିଭାବ ହୁଏ ପ୍ରକୃତ ହତ୍ୟାକାରୀର ଫଟୋର ସନ୍ଧାନରେ । ଭାଗ୍ୟେ ରାମ ସେଇ ସମୟରେ ଆସି ପହଞ୍ଚିଲା–ନ ହେଲେ ପ୍ରଭାତ ବାବୁ ଆରମ୍ଭ କରିଥିବା କାମ ସେ ଶେଷ କରି ଦେଇଯାଇଥାନ୍ତା ।

 

–‘‘ହଉ ତେବେ ମୁଁ ଆସୁଚି’’–ଶଶାଙ୍କ ବାବୁ ବାହାରି ଗଲେ ଆଉ ନିଜ ଅଜାଣତରେ ବୋଧେ–ଦୁଆରଟା ଆଉଜେଇ ଦେଇଗଲେ । କିଛି ବେଳ ଚୁପ୍‌ଚାପ ।

 

–‘‘ତମେ ଗଲନି ଯେ ?’’ –ପ୍ରଭାତ ବାବୁ ନିସ୍‌ପୃହ କଣ୍ଠରେ ପଚାରିଲେ ।

 

–‘‘ମୁଁ–ହଁ, ମୁଁ ଯାଉଚି ।’’ ସୁପ୍ରିୟା ଦେବୀ ଅସ୍ଥିର ପାଦରେ ଦ୍ୱାର ଆଡ଼କୁ ଆଗେଇ ଗଲେ-

 

–‘‘ଛବି–ମୋ ଜୀବନରୁ ଏମିତି ଭାବରେ ବିଦାୟ ନବାକୁ ମୁଁ ତମୁକୁ ଦେବିନି । ତମେ ମତେ ଏତେ ଭୁଲ ବୁଝିଲ କାହିଁକି ?’’ ପ୍ରଭାତ ବାବୁଙ୍କ କଣ୍ଠରେ ଅଭିମାନ ଥିଲା ସ୍ପଷ୍ଟ ।

 

–‘‘ମତେ ସେ ଯିବାକୁ କହିଲେ’’–ଦୁଆର ମୁହଁରେ ଠିଆ ହେଇ କହିଲେ ସୁପ୍ରିୟା ଦେବୀ-

 

–‘‘ଯିବାକୁ ଇଚ୍ଛା କରୁଚ ତେବେ ?’’ ଉଷ୍ଣ କଣ୍ଠରେ କହିଲେ ପ୍ରଭାତ ବାବୁ ।

 

–‘‘ନିଶ୍ଚୟ–ମତେ ବି’ ଯାଇ ଆସେ’’–ତତୋଧିକ ଉଷ୍ଣ କଣ୍ଠରେ ଜବାବ ଦେଲେ ସୁପ୍ରିୟା ଦେବୀ ।

 

–‘‘ତା ହେଲେ ମତେ ଉଠିବାକୁ ହେଲା’’–ଟିକେ ଅସ୍ଥିର ଭାବରେ ଶେଯରେ ଉଠି ବସିଲେ ପ୍ରଭାତ ବାବୁ ।

 

–‘‘ଡାକ୍ତର କହିଥିଲେ ଶେଯରୁ ଉଠିଲେ’’–ସୁପ୍ରିୟା ଦେବୀ ନିର୍ଲିପ୍ତ କଣ୍ଠରେ କହିବାକୁ ଚେଷ୍ଟା କଲେ ।

 

–‘‘ମରିଯିବି–ମୁଣ୍ଡରେ ଜୋର୍‌ପଡ଼ିବ । କିନ୍ତୁ ଶେଯରେ ଶୋଇଲେ ବି’ ତ ଛାତିରେ ଜୋର୍‌ପଡ଼ିବ । ଆଉ ମରିଯିବାକୁ ହବ–ସୁତରାଂ’’–ଏଇଥର ପ୍ରଭାତ ବାବୁ ଶେଯ ତଳକୁ ଗୋଡ଼ ବଢ଼େଇଲେ ।

 

କଣ ଭାବି ଶେଯ ପାଖକୁ ଧାଇଁ ଆସିଲେ ସୁପ୍ରିୟା ଦେବୀ । ତା’ପରେ ପ୍ରଭାତ ବାବୁଙ୍କ ଗୋଡ଼ ପାଖରେ ଆଣ୍ଠେଇ ପଡ଼ି ତାଙ୍କ କୋଳରେ ମୁହଁ ରଖିଲେ ।

 

–‘‘ମତେ କ୍ଷମା କରି ପାରିବନି ତମେ–ମୁଁ’’–ତାଙ୍କ ଗଳା ବନ୍ଦ ହୋଇଗଲା ।

 

–‘‘ପାଗଳ–ସେମିତି କିଛି ଯଦି ହେଇଥାନ୍ତା ତେବେ ତମୁକୁ ଅଟକେଇ ଥାନ୍ତି କାହିଁକି ?’’ ପ୍ରଭାତ ବାବୁ ସୁପ୍ରିୟା ଦେବୀଙ୍କ ବାଳ ଅଡ଼ୁଆ କରୁଥିଲେ ।

 

–‘‘ହୁଁ ଭାରୀ ଚାଲାକ । ଦେହ ପ୍ରକୃତରେ କିଛି ହେଇନି, ମତେ ମିଛରେ’’–ମୁହଁ ଉଠେଇଲେ ସୁପ୍ରିୟା ଦେବୀ ଆଉ ଲୁହ ଭିତରୁ ଓଠ ଚିପି ହସିଲେ ।

 

–‘‘ଦେହ ଏଇକ୍ଷଣି କିଛି ହେଇନି–କିନ୍ତୁ ହେଇଥିଲା । ଛବି–ବିଶ୍ୱାସ କର । ଯାଉ ସେ କଥା–ଦେଖି ମୁହଁ ଉପରକୁ ଉଠେଇଲ–ଆହୁରି–ଆଉ ଟିକେ– ।’’

Image